ସୂଚନା ଅଧିକାର ଆଇନରେ ତଥ୍ୟ ନ ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସରକାରୀ ଅଧିକାରୀମାନେ ଏଣିକି ସୂଚନା ଅଧିକାର ଆଇ (ଆରଟିଆଇ) ବଳରେ ମଗାଯାଇଥିବା ତଥ୍ୟ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଦେବାକୁ ବାଧ୍ୟ । ଏଥିରେ ଅବହେଳା କଲେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହ ସମସ୍ତ ବିଭାଗକୁ ଚିଠି ଦ୍ୱାର ଅବଗତ କରାଇଛନ୍ତି । ସୂଚନା ଯୋଗ୍ୟ ଯେ ଅନେକ ସମୟରେ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟ ପ୍ରଦାନ କରିବାରେ ବିଭାଗୀୟ ଅଧିକାରୀମାନେ ଅବହେଳା ପ୍ରଦର୍ଶନ କରି ଆସୁଥିଲେ । ଫଳରେ ଆବେଦନକାରୀ ସୂଚନା ଆୟୋଗଙ୍କ ନିକଟରେ ଫେରାଦ ହେଉଥିଲେ । ଏପରି ଅଭିଯୋଗ ତାଲିକା ଲମ୍ବି ଚାଲିଥିବାରୁ ସୂଚନା କମିଶନ ଅସନ୍ତୋଷ ବ୍ୟକ୍ତ କରିବା ସହ ଆରଟିଆଇ ସମ୍ପର୍କିତ ଚିଠିପତ୍ରକୁ ‘ଏ’ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ଦ୍ୱାରା କମ୍‌ ସମୟ ମଧ୍ୟରେ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ କରିହେବ । ଯେଉଁ ବିଭାଗ ତଥ୍ୟ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରିବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ନିର୍ଦ୍ଦେଶରେ ଉଲ୍ଲେଖ କରିଛନ୍ତି । ଏ ଦିଗରେ ସମସ୍ତ ବିଭାଗୀୟ ଅଧିକାରୀ ସଚେତନ ରହିବାକୁ ସୂଚନା ଓ ଲୋକସମ୍ପର୍କ ସଚିବଙ୍କ ଚିଠିରେ ପରାମର୍ଶ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ