ସୂଚନା ଅଧିକାର ଆଇନ ସମ୍ପର୍କୀତ ଜିଲ୍ଲା ସ୍ତରୀୟ କର୍ମଶାଳା
ବାରିପଦା, (ମୁରାରୀ ମୋହନ ମହାପାତ୍ର): ସୂଚନା ଅଧିକାର ଆଇନର ପୂର୍ଣ୍ଣାଙ୍ଗ କାର୍ଯ୍ୟନ୍ଵୟନ ଉଦେଶ୍ୟରେ ଆଜି ବାରିପଦା ଠାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍କା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି. କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ବିଶୋଇ ତହସିଲଦାର ସତ୍ୟବାନ ନାୟକ, ଆରଟି ଆଇ ବିଶାରଦ ରଶ୍ମି ରଞ୍ଜନ ରାଉତ, ଜିଲ୍ଲା ସଂଯୋଜକ କ୍ରିଷ୍ଣାନ୍ଦୁ ବିକାଶ ପ୍ରମୁଖ ଯୋଗ ଦେଇ କର୍ମଶାଳା ଉଦଘାଟନ କରିଥିଲେ. ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ, ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ସ୍ୱଚ୍ଛ ଓ ନିରପେକ୍ଷ ଶାସନ ନିମନ୍ତେ ସୂଚନା ଅଧିକାର ଆଇନର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ. କର୍ମଶାଳାରେ ଜିଲ୍ଲାର ବିଭିନ୍ନ ବିଭାଗରୁ ୧୦୦ ରୁ ଉର୍ଦ୍ଧ ଜନସୂଚନା ଅଧିକାରୀ, ପ୍ରଥମ ଅପିଲ କତୃପକ୍ଷ ପ୍ରଶିକ୍ଷାର୍ଥୀ ଭାବେ ଅଂଶ ଗ୍ରହଣ କରିଥିଲେ. ଭୁବନେଶ୍ୱର ଲୁମିନିୟସରୁ ଆସିଥବା ସୂଚନା ଅଧିକାର ଆଇନ ବିଶାରଦ ତଥା ରାଜ୍ୟ ସାଧନ ବ୍ୟକ୍ତି ରଶ୍ମି ରଞ୍ଜନ ରାଉତ ସୂଚନା ଅଧିକାର ଆଇନ ୨୦୦୫ ଅଧିନିୟମ ୪(୧)(ବି )ଅନ୍ତର୍ଗତ ସମସ୍ତ ଆନୁସଙ୍ଗିକ ତଥ୍ୟର ଅପଡେସନ ସହିତ ଆରଟିଆଇ ପୋର୍ଟାଲରେ ଏହାକୁ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଅପଲୋଡ଼ କରିବା, ଅନଲାଇନ ପ୍ରକ୍ରିୟାରେ ଆବେଦନ ପତ୍ରଗ୍ରହଣ, ନିର୍ଧାରିତ ସମୟସୀମା ମଧ୍ୟରେ ଆବେଦକାରୀଙ୍କୁ ସୂଚନା ପ୍ରଦାନ ଆଦି ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ. ଶେଷରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଶ୍ରୀକାନ୍ତ ବେହେରା, ଲଳିତ ରଞ୍ଜନ ନାଏକ, ଛିଟା ସୋରେନ, ଶିବ ଶଙ୍କର ଦତ୍ତ ଓ ରବି ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ.