ସୂଚନା ଅଧିକାର କର୍ମୀଙ୍କ ଉପରେ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ମହାକାଳପଡା ବ୍ଲକ ତଥା ମାର୍ଶାଘାଇ ଥାନା ଅଧିନ କରଞ୍ଜ ଗ୍ରାମର ସୂଚନା ଅଧିକାର କର୍ମୀ ଜନକର ଜେନାଙ୍କ ଉପରେ ହୋଇଥିବା ଆକ୍ରମଣ ଓ ଜାତିଗତ ଆକ୍ଷେପ ମାମଲା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇ ଓଡିଶା ସୂଚନା ଅଧିକାର ଅଭିଯାନ(ଓସା) କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ ଉଦେଶ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅଧିକାର କର୍ମୀ ଶ୍ରୀ ଜେନା ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ଅଧିକାର ଆଇନ ଅନୁଯାୟୀ ସୂଚନା ମାଗି ସଂପୃକ୍ତ ପଞ୍ଚାୟତରେ ବ୍ୟାପକ ହରିଲୁଟ ହୋଇଥିବା ସମ୍ପର୍କରେ ଖୁଲାସା କରିଦେବାରୁ ତାଙ୍କୁ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ସୁବୋଧ କୁମାର ଲେଙ୍କା ଆକ୍ରମଣ କରିବା ଓ ଜାତିଆଣ ଆକ୍ଷେପ ସହ ତାଙ୍କ ପରିବାର ସଦସ୍ୟମାନଙ୍କୁ ହତ୍ୟା ଧମକ ଦେଇଥିବାରୁ ସେହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଓସା । ପିଡିତ ଶ୍ରୀ ଜେନାଙ୍କ ଅଭିଯୋଗ ଉପରେ ମାର୍ଶାଘାଇ ଥାନାରେ ୩୨୫/୨୦୨୨ରେ ଏକ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଅଦ୍ୟାବଧି ଗିରଫ କରିନଥିବା ଓସା ଅଭିଯୋଗ କରିଛି । ଓସା ଅଭିଯୋଗ କରିଛି ଯେ ସଂପୃକ୍ତ ଅଭିଯୁକ୍ତ ଜଣଙ୍କ ସମବାୟ ମନ୍ତ୍ରୀଙ୍କ ଜଣେ ଘନିଷ୍ଠ ସହଯୋଗୀ ହୋଇଥିବାରୁ ପୋଲିସ ନାମକୁ ମାତ୍ର ଲୋକଦେଖାଣିଆ ତଦନ୍ତ କରୁଥିଲେବି ତାଙ୍କୁ ଗିରଫ କରୁନାହିଁ । ସଂପୃକ୍ତ ପିଡିତଙ୍କ ପରିବାର କାମଧନ୍ଦା ନକରିପାରି ଭୟଭିତ ଭାବରେ କାଳାତିପାତ କରୁଥିବାରୁ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ଓସାର ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ଓଡିଶା ସୂଚନା ଅଭିଯାନ ପକ୍ଷରୁ ଚେତାବନୀ ଦିଆଯାଇଛି । ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଓସାର ରାଜ୍ୟ ଆବାହକ ପ୍ରଦୀପ କୁମାର ପ୍ରଧାନ, ଅଶୋକ କୁମାର ମଲିକ, ଜୀତେନ୍ଦ୍ର ସାହୁ, ପ୍ରତାପ ଚନ୍ଦ୍ର ମହାନ୍ତି, ଦୁଷ୍ମନ୍ତ ନାରାୟଣ ଆଚାର୍ଯ୍ୟ, ରାଜମୋହନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ