ସୂଚନା ଅଧିକାର କର୍ମୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ସୂଚନା ଅଧିକାର କର୍ମୀଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ୨୪ ଘଂଟା ପରେବି ପୋଲିସ୍ ହାତ ଖାଲି ଥିବାର ଦେଖିବାକୁ ମିଳିଛି । ଶବ ବ୍ୟବଛେଦ ରିପୋର୍ଟ ପରେ ପୋଲିସ୍ ଘଟଣାକୁ ଜୋର୍ଦାର କରିବ ବୋଲି ସୂଚନା ଦେଇଛି । ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ – ଭଗବାନପୁର ରାସ୍ତା କଡରେ ଗତ ଶନିବାର ଦିନ ପାଟକୁରା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ରଞ୍ଜନ ଦାସଙ୍କ ମୃତ ଦେହ ତଳକୁ ମୁହଁମାଡି ପଡିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ କେନ୍ଦ୍ରାପଡା ଏସଡିପିଓଙ୍କ ସହ ମାର୍ଶାଘାଇ ଥାନା ଅଧିକାରୀ ଓ ଉଚ୍ଚ ପ୍ରଦସ୍ଥ ପୋଲିସ୍ ଅଧିକାରୀମାନେ ପରିଦର୍ଶନ କରି ଶବଟିକୁ ଜବତ୍ କରି କଟକ ବଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ରବିବାର ଅପରାହ୍ନରେ ସୂଚନା ଅଧିକାର କର୍ମୀ ରଞ୍ଜନଙ୍କ ଶବ କେନ୍ଦ୍ରାପଡାରେ ପହଂଚିବାପରେ ଏକ ଶୋଭାଯାତ୍ରାରେ ତାଙ୍କ ଗ୍ରାମ ମାଣିକପୁରକୁ ନିଆଯାଇଥିଲା । ନିଜ ଜୀବନ ପ୍ରତି ବିପଦ ଥିବାରୁ ଗତ ତିନି ଦିନ ତଳେ ରଞ୍ଜନ ଏସ୍.ଡି.ପି.ଓ. ରାଜୀବ ଲୋଚନ ପଣ୍ଡାଙ୍କୁ ଭେଟି ଅଭିଯୋଗ କରିବା ସହିତ ବିଭିନ୍ନ ଫୋନ୍ ମାଧ୍ୟମରୁ ହତ୍ୟାକାଣ୍ଡରୁ ସୂଚନା ପାଇବା ପରେ ମହାକାଳପଡା ଥାନାରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ୍ ଏ ସବୁକୁ ହାଲକା ଭାବେ ଗ୍ରହଣ କରି ଚୁପ୍ ହୋଇ ବସିଥିଲା । ଏଥି ସହିତ ରଞ୍ଜନ ନିଜ ଘରେ ଏକ ସିସି କ୍ୟାମେରା ଲଗାଇଥିଲେ ଓ ସେ ବାବଦକୁ ସେ ସଂପୃକ୍ତ ମେକାନିକ୍ଙ୍କୁ ୩୦ ହଜାର ଟଙ୍କା ଚୁକ୍ତି କରି ପ୍ରଥମ କିସ୍ତିରେ ୨୪ ହଜାର ଟଙ୍କା ଦେଇଥିଲେ । କିନ୍ତୁ ଅବଶିଷ୍ଟ ୬ ହଜାର ଟଙ୍କ ଦେଇନଥିବାରୁ ତାଙ୍କୁ ବାକି ଟଙ୍କା ପାଇଁ ମଧ୍ୟ ଧମକ ଚମକ ଦିଆଯାଇଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ସୂଚନା ଅଧିକାର ଆଇନ୍ ବଳରେ ସେ ବିଭିନ୍ନ ଠିକାଦାର, ଚିଙ୍ଗୁଡି ମାଫିଆ , ମଦ ମାଫିଆ ଓ ସରକାରୀ କର୍ମଚାରୀଙ୍କ ରୋଷର ଶିକାର ହୋଇଥିଲେ । ଶନିବାର ଦିନ ବିଳମ୍ବିତ ରାତ୍ରିରେ ସେ ଘରକୁ ଫେରୁଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ଏକ ଲଙ୍କାଗୁଣ୍ଡ ପ୍ୟାକେଟ୍ ପୋଲିସର ହସ୍ତଗତ ହୋଇଛି । ଯାହା ଜଣାପଡୁଛି ଲଙ୍କାଗୁଣ୍ଡ ପକାଇ ତାଙ୍କୁ ଶ୍ୱାସରୁଦ୍ଧ କରାଯିବା ସହିତ ମୁଣ୍ଡକୁ କୌଣସି ଏକ ଶକ୍ତ ଜିନିଷରେ ଆଘାତ ଦିଆଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ଏତେ ସବୁ ପରେ ବି ୨୪ ଘଂଟା ବିତିଯାଇଥିଲେ ମଧ୍ୟ ପୋଲିସ ହାତ ବାନ୍ଧି ବସିଥିବାର ଦେଖିବାକୁ ମିଳିଛି । ସାଧାରଣରେ ପୋଲିସର ଭୂମିକାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଅପରାଧୀକୁ ପୋଲିସ ଗିରଫ ନକଲେ ଜନସାଧାରଣ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।