ସୂଚନା କମିଶନର ପଦବୀରେ ତୁରନ୍ତ ନିଯୁକ୍ତି ପାଇଁ ଓସାର ରାଜଭବନ ସମ୍ମୁଖରେ ଗଣଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜ୍ୟରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ସୂଚନା କମିଶନ ପଦବୀରେ ତୁରନ୍ତ ନିଯୁକ୍ତି ପାଇଁ ଓଡ଼ିଶା ସୂଚନା ଅଧିକାର ଅଭିଯାନ ତରଫରୁ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଅଧିକାର ଆଇନର ଧାରା ୧୫ ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ସଭାପତିତ୍ୱରେ ଗଠିତ ନିଯୁକ୍ତି କମିଟି ସୂଚନା କମିଶନର ପଦବୀରେ ନିଯୁକ୍ତି ପାଇଁ ବ୍ୟକ୍ତିଙ୍କ ନାମ ରାଜ୍ୟପାଳଙ୍କ ନିକଟକୁ ସୁପାରିଶ କରିବେ । ଉକ୍ତ ସୁପାରିଶ ଆଧାରରେ ରାଜ୍ୟପାଳ ସୂଚନା କମିଶନର ନିଯୁକ୍ତି ଦେବେ ।ରାଜ୍ୟରେ ଖାଲି ପଡିଥିବା ତିନୋଟି ସୂଚନା କମିଶନର ପଦବୀରେ ନିଯୁକ୍ତି ପାଇଁ ଗତ ଅଗଷ୍ଟ ଓ ସେପ୍ଟେମ୍ବର ଦୁଇଥର ବିଜ୍ଞାପନ ପ୍ରକାଶ କରି ଦରଖାସ୍ତ ଆହ୍ୱାନ କରିଥିଲେ । ବହୁ ଆଶାୟୀ ବ୍ୟକ୍ତିବିଶେଷ ତଥା ଅବସରପ୍ରାପ୍ତ ସରକାରୀ ଅଧିକାରୀମାନେ ଆବେଦନ କରିଥିଲେ । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ରାଜ୍ୟ ସରକାର ତିନିମାସ ବିତିଯାଇଥିଲେ ମଧ୍ୟ ସୂଚନା କମିଶନର ନିଯୁକ୍ତି ଦେଉନାହାଁନ୍ତି । ସୂଚନା କମିଶନଙ୍କୁ କାର୍ଯ୍ୟକ୍ଷମ କରି ନ ଦେବା ପାଇଁ ଏକ ବଡ଼ ଚକ୍ରାନ୍ତ ବୋଲି ଓସାର ସହ ଆବାହକ ଶ୍ରୀକାନ୍ତ ପାକଳ ଅଭିଯୋଗ କରିଛନ୍ତି । ତେଣୁ ଓସା ତରଫରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇ ତୁରନ୍ତ ପ୍ରାର୍ଥୀ ଚୟନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି ।ଏଠାରେ ସୂଚନାଯୋଗ୍ୟ ଯେ, ସୂଚନା କମିଶନରେ ୨୦ ହଜାର କେସ୍ ଶୁଣାଣି ପାଇଁ ପଡ଼ିରହିଛି । ବର୍ତ୍ତମାନ ୨୦୧୯ ଏବଂ ୨୦୨୦ ବର୍ଷର କେସ୍ ଶୁଣାଣି ଚାଲିଛି । କମିଶନରେ ଯେପରି କେସ୍ ଶୁଶାଣି ଚାଲିଛି, ଯଦି ଏପରି ଚାଲେ, ତେବେ କେସ୍ ଗୁଡ଼ିକର ଶୁଣାଣି ପାଇଁ ୫ରୁ ୬ ବର୍ଷ ସମୟ ଲାଗିବ ଏବଂ ସୂଚନା ଆଇନ ଉପରେ ଲୋକଙ୍କ ଭରସା ଆଉ ରହିବ ନାହିଁ । ତେଣୁ ସୂଚନା କମିଶନରେ ତୁରନ୍ତ ନିଯୁକ୍ତି ଆବଶ୍ୟକ ବୋଲି ଓସା ତରଫରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ