ସୂଚନା ପ୍ରଯୁକ୍ତି, କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀଙ୍କ ସମୀକ୍ଷା
ବାଲେଶ୍ୱର- ଶନିବାର ମାନ୍ୟବର ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ବାଲେଶ୍ୱର ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟ ଏବଂ ନିର୍ମାଣାଧୀନ ପ୍ରକଳ୍ପ ସଂପର୍କରେ ସମୀକ୍ଷା କରିଛନ୍ତି । ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଥିଲେ । ବାଲେଶ୍ୱର ଜିଲ୍ଲାର ପୌରାଂଚଳ ଏବଂ ବ୍ଲକ ସ୍ତରରେ ଥିବା ଷ୍ଟାଡିୟମର ସ୍ଥିତି ଏବଂ ବାଲେଶ୍ୱର, ଜଳେଶ୍ୱର, ନୀଳଗିରି ଓ ସୋରରେ ମୁକ୍ତାକାଶ ବ୍ୟାୟାମଶାଳା ପ୍ରତିଷ୍ଠା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସେ ସେ ଜିଲ୍ଲାପାଳ ଏବଂ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ ପଚାରି ବୁଝିଥିଲେ । ବୈଠକରେ ଜିଲ୍ଲାରେ ନିର୍ମାଣାଧିନ ବିଭିନ୍ନ ମିନି ଷ୍ଟାଡିୟମର ଅଗ୍ରଗତି ସଂପର୍କରେ ମାନ୍ୟବର ମନ୍ତ୍ରୀଙ୍କୁ ଉପସ୍ଥିତ ଅଧିକାରୀମାନେ ଅବଗତ କରାଇଥିଲେ । ଯେଉଁଠାରେ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରି ନାହିଁ ସେଠାରେ ତୁରନ୍ତ ନୂଆ ଏଷ୍ଟିମେଟ କରି କାମ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟାନ୍ୟ ବିଭାଗରୁ ମିଳୁଥିବା ଅନୁଦାନକୁ ମିଶାଇ ଉନ୍ନତ ମାନର ମିନି ଷ୍ଟାଡିୟମ ପ୍ରସ୍ତୁତ କରାଯିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାକୁ ଦେଶ ତଥା ବିଶ୍ୱର କ୍ରୀଡା ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ ଲାଗି ଯେଉଁ ଉଦ୍ୟମ କରୁଛନ୍ତି ସେହି କ୍ରମରେ କ୍ରୀଡା ଭିତିଭୂମିର ଉପଯୁକ୍ତ ବିକାଶ ପାଇଁ ମାନ୍ୟବର ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ କ୍ରୀଡା ଭିତିଭୂମିର ବିକାଶ ଲାଗି ରହିଥିବା ବିଭିନ୍ନ ଜମି ଅଧିଗ୍ରହଣ ସମସ୍ୟାକୁ ତୁରନ୍ତ ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ସମାଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପ୍ରତିଶ୍ରୁତି ଦେଇଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମାଣ ହେବାକୁ ଥିବା ସମନ୍ୱିତ କ୍ରୀଡା କମ୍ପେ୍ଲକ୍ସ ଲାଗି ତୁରନ୍ତ ଜମି ଚିହ୍ନଟ କରି ଏକ ମାସ ମଧ୍ୟରେ କାମ ଆରମ୍ଭ କରିବାକୁ ମାନ୍ୟବର ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଏଥି ନିମନ୍ତେ ସମସ୍ତ ପ୍ରକାର ସାହାଯ୍ୟ ଓ ଅନୁଦାନ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ସେହିପରି ବାଲେଶ୍ୱରରେ ଥିବା ସଫ୍ଟୱେର ଟେକ୍ନୋଲଜି ପାର୍କ ଅଫ ଇଣ୍ଡିଆର(ଏସଟିପିଆଇ) ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସଂପର୍କରେ ବାଲେଶ୍ୱର ଏସଟିପିଆଇ ଅଧିକାରୀ ଶ୍ରୀ ବିଶ୍ୱକିଶୋର ଦେ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ । ଏସଟିପିଆଇରେ କାର୍ଯ୍ୟ କରୁଥିବା ବିଭିନ୍ନ ଆଇଟି କମ୍ପାନୀ ଓ ତାହାର ନୂତନ କୋଠା ନିର୍ମାଣ କାର୍ଯ୍ୟ ସଂପର୍କରେ ମାନ୍ୟବର ମନ୍ତ୍ରୀ ସୂଚନା ସଂଗ୍ରହ କରିବା ସହିତ ବାଲେଶ୍ୱରରେ ଆଇଟି କମ୍ପାନୀ ଓ ଷ୍ଟାର୍ଟ ଅପ କମ୍ପାନୀ ପ୍ରତିଷ୍ଠା ପାଇଁ ପ୍ରଭୂତ ସୁଯୋଗ ରହିଥିବା ମତବ୍ୟକ୍ତ କରିଥିଲେ । ନୂତନ କମ୍ପାନୀଗୁଡିକୁ ଆମନ୍ତ୍ରଣ କରିବା ଏବଂ ସେମାନଙ୍କୁ ଉଚିତ ମୂଲ୍ୟରେ ଭିତିଭୂମି ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଏବଂ ପ୍ରୋତ୍ସହନ ଯୋଗାଇ ଦେବା ନିମନ୍ତେ ସେ ଏସଟିପିଆଇ ଅଧିକାରୀଙ୍କୁ କହିଥିଲେ । ଯଦି କୌଣସି କ୍ଷେତ୍ରରେ ଏସଟିପିଆଇ ଠାରେ ପ୍ରକଳ୍ପ ପ୍ରତିଷ୍ଠା ବ୍ୟୟସାପେକ୍ଷ ହେଉଥାଏ ସେପରି କ୍ଷେତ୍ରରେ ସବସିଡି ପ୍ରଦାନ ଲାଗି ପ୍ରୟାସ କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମାନ୍ୟବର ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଏମ ଡିଆଇସି ଶ୍ରୀ ହରିହର ଜେନା, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଜେନା, ପୂର୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ମହେଶ ମହାନ୍ତି, ସହକାରୀ ଜିଲ୍ଲାପାଳ ଶ୍ରୀ ଦୀପକ କୁମାର ଦାସ, ଇଡକୋ ଅଧିକାରୀ ଅଞ୍ଜନା ଦଳେଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।