ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ସମ୍ବନ୍ଧେ ଜିଲ୍ଲାସ୍ତରୀୟ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା) : ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂକୃତି ବିଭାଗ ଓ ବାଲେଶ୍ୱର ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ସମ୍ବନ୍ଧେ ଜିଲ୍ଲାସ୍ତରୀୟ ଏକଦିବସୀୟ କର୍ମଶାଳା ଆଜି ପୂର୍ବାହ୍ନ ଘ.୧୦.୩୦ ମି ସମୟରେ ସ୍ଥାନୀୟ ସଦ୍ଭାବନା ସଭା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି I ସୂଚନା,ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ବିଭିନ୍ନ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବା ଏବଂ ସ୍ଥାନୀୟ, ପାରମ୍ପରିକ ଲୋକକଳାକାରଙ୍କ ଜୀବନ ଜୀବିକାରେ ସହାୟତା ନିମନ୍ତେ ଏହି କର୍ମଶାଳାଟି ଆୟୋଜିତ ହୋଇଥିଲା I

ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ବିନୀ ରାଉତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରଦୀପ ପ୍ରଜ୍ବଳନ କରି କର୍ମଶାଳାକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ I ଶ୍ରୀଯୁକ୍ତ ଶିନ୍ଦେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା କଳାକାରବୃନ୍ଦଙ୍କୁ ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାରରେ କିଭଳି ଲୋକକଳାର ବିଶେଷ ଭୂମିକା ରହିଛି ତାହା ଉପରେ ନିଜ ବକ୍ତବ୍ୟରେ କହିଥିଲେ I ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାରମାନଙ୍କୁ ନିଜସ୍ୱ କଳାର ପ୍ରଦର୍ଶନ କରିବା ପାଇଁ ଏହା ଏକ ଭଲ ସୁଯୋଗ ବୋଲି କହିଥିଲେ ଶ୍ରୀ ଶିନ୍ଦେ I ଏହି ଅବସରରେ ରାଜ୍ୟ ସଂସାଧନ ବିଶେଷଜ୍ଞ ଶ୍ରୀ ରଶ୍ମି ରଞ୍ଜନ ନାୟକ ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମରେ ଲୋକନୃତ୍ୟର ପ୍ରୟୋଗ ଉପରେ ଉପସ୍ଥିତ କଳାକାରମାନଙ୍କ ସାମ୍ନାରେ ବିସ୍ତୃତ ବିବରଣୀ ରଖିଥିଲେ I ଜିଲ୍ଲା କଳା ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଆଜି ସଭାରେ ଉପସ୍ଥିତ ରହି କଳାକାରମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଏବଂ ଏହି କର୍ମଶାଳାକୁ ଜିଲ୍ଲାସ୍ତରରେ ସଫଳ କରିବା ଉପରେ ନିଜର ଅଭିଭାଷଣ ରଖିଥିଲେ I

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ୨୦୨୩ ମସିହା ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହୋଇଥିବା ପ୍ରଥମ ପର୍ଯ୍ୟାୟର ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କର ୧୧ ଗୋଟି ଯୋଜନା ଯଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଆମ ହସ୍ପିଟାଲ, ମମତା, ହରିଶ୍ଚନ୍ଦ୍ର ଯୋଜନା, ମଧୁବାବୁ ପେନସନ ଯୋଜନା, ମିଶନ ଶକ୍ତି, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ୫-ଟି ହାଇସ୍କୁଲ ରୂପାନ୍ତରୀକରଣ, ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, କ୍ରୀଡା, ଆମ ଓଡ଼ିଶା ନବୀନ ଓଡ଼ିଶା ଉପରେ ଆଲୋଚନା ହୋଇଥିଲା I ସେହି ପରିପ୍ରେକ୍ଷୀରେ ଆଜିର ଶିବିରରେ ରାଜ୍ୟ ସରକାରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବା ଅନ୍ୟ ୪ ଗୋଟି ପ୍ରଗତିମୂଳକ ଯୋଜନା ଯଥା ଆମ ବ୍ୟାଙ୍କ ଯୋଜନା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ, ଐତିହ୍ୟସ୍ଥଳୀ ନବୀକରଣ ଯୋଜନା ଏବଂ ଲକ୍ଷ୍ମୀ ବସ ସେବା ଯୋଜନା ସମ୍ବନ୍ଧରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯଥା ଫାଇନାନସିଆଲ ଲିଟେରାସି କାଉନ୍ସିଲର ଶ୍ରୀଯୁକ୍ତ ଗୟାନିଧି ମିଶ୍ର, ଆଇ.ଟି.ଡି.ଏ ନୀଳଗିରିର ଏ.ଡି.ଡବ୍ଲୁ.ଓ ଶ୍ରୀ ତଲୱାର ଜେନା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୂୟାଁ ଏବଂ ଓ.ଏସ.ଆର.ଟି.ସି ର ଜିଲ୍ଲା ପରିଚାଳକ ଏଲ.ତିରୁପଥି ଆଚାର୍ଯ୍ୟ ବିଶଦ ବିବରଣୀ ଉପସ୍ଥାପନ କରିଥିଲେ I

ଏହା ପରେ ରାଜ୍ୟ ସଂସାଧନ ବିଶେଷଜ୍ଞ ଶ୍ରୀ ରଶ୍ମି ରଞ୍ଜନ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଭବାନୀ ଶଙ୍କର ଭୂୟାଁ ଏବଂ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ବିନୀ ରାଉତ ପ୍ରୋଗ୍ରାମ କ୍ୟାଲେଣ୍ଡର ପ୍ରସ୍ତୁତି ଏବଂ ଗ୍ରାମରେ କାର୍ଯ୍ୟକ୍ରମ ପରିବେଷଣର ଉପାୟ ଓ ଶୈଳୀ ନିର୍ଣ୍ଣୟର ସଫଳ ରୂପରେଖ ଓ ପ୍ରଣାଳୀ ବିଷୟରେ ପ୍ରଶିକ୍ଷାର୍ଥୀମାନଙ୍କର ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ I

ସୂଚନା ଯୋଗ୍ୟ ଯେ, ଏହି ଏକଦିବସୀୟ ଜିଲ୍ଲାସ୍ତରୀୟ କର୍ମଶାଳା ପରେ ଦୁଇଦିନିଆ ବ୍ଲକସ୍ତରୀୟ କର୍ମଶାଳା ଚଳିତ ମାସ ୧୮ ତାରିଖ ସୁଦ୍ଧା ସମାପ୍ତ କରାଯିବ I ଚଳିତ ମାସର ୨୦ ରୁ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସୂଚନା, ଶିକ୍ଷା ଓ ଯୋଗାଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଗୁଡ଼ିକର ତୃଣମୂଳସ୍ତରରେ ପ୍ରସାର କରାଯିବ I ଆଜିର ଏହି କର୍ମଶାଳାରେ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ବ୍ଲକର ସାମାଜିକ ସୁରକ୍ଷା ଅଧିକାରୀ ଏବଂ ନୋଡାଲ ଅଫିସର ତଥା ସମସ୍ତ ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ଏବଂ ବରିଷ୍ଠ କଳାକାରମାନେ ଯୋଗଦେଇ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ