ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ବାର୍ତ୍ତାବହ ସମ୍ମିଳନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅଗ୍ରଣୀ ସାମାଜିକ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରସ୍ଥ ଉତ୍କଳ ସାମ୍ବାଦିକ ସଂଘ ଭବନରେ ଏକ ବାର୍ତ୍ତାବହ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଅନୁଷ୍ଠାନର ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର ପ୍ରକାଶ କରିଛନ୍ତି ଯେ, ଆସନ୍ତା ଅଗଷ୍ଟ ୨୮ ତାରିଖ ଦିନ ୧୦ଟା ସମୟରେ ସ୍ଥାନୀୟ ଜୟଦେବ ଭବନରେ ‘ଜଳ ବଞ୍ଚାଅ, ପ୍ରତ୍ୟେକ ଜଳ ବିନ୍ଦୁ ମହତ୍ୱପୂର୍ଣ୍ଣ’ ଶୀର୍ଷକ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହେବାକୁ ଯାଉଛି । ଜୈବ ବିବିଧତା ତଥା ପରିବେଶ ସୁରକ୍ଷା ନେଇ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଥିବା ଏହି ଅନୁଷ୍ଠାନ ପକ୍ଷରୁ ବହୁବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅଧୁନା ବ୍ୟାପକ ବୃକ୍ଷରୋପଣ ତଥା ଜଙ୍ଗଲ ସୁରକ୍ଷା ପାଇଁ ‘ସବୁଜିମା ପ୍ରକଳ୍ପ’, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ‘ପ୍ରକଳ୍ପ ସୁରକ୍ଷା’ ତଥା ଜଳ ସଂରକ୍ଷଣ ପାଇଁ ‘ଜଳ ବଞ୍ଚାଅ’ ପ୍ରକଳ୍ପ ଉପରେ ଏହି ଅନୁଷ୍ଠାନ ଗୁରୁତ୍ୱ ପ୍ରଦାନ ପୂର୍ବକ କାର୍ଯ୍ୟ ସମ୍ପାଦନ କରୁଅଛି । ସୂଚନାଯୋଗ୍ୟ ଯେ, ଏହି ଅନୁଷ୍ଠାନର ସମ୍ପାଦିକା ଡଃ ସୁକାନ୍ତୀ ମିଶ୍ରଙ୍କୁ ଓଡ଼ିଶା ସରକାର ‘ପ୍ରକୃତି ମିତ୍ର’ ପୁରସ୍କାରରେ ପୁରସ୍କୃତ କରିଥିବା ବେଳେ ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର ସମ୍ମାନଜନକ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆୟୋଜିତ ହେବାକୁ ଯାଉଥିବା ଆଲୋଚନାଚକ୍ରରେ ବହୁ ପରିବେଶବିତ୍‌, କୃଷି ବିଜ୍ଞାନୀ, ଗବେଷକ, ଛାତ୍ରଛାତ୍ରୀ, ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଗଦେବେ । ଏଥି ସହ ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ପ୍ରକାଶ ପାଇବ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଲାୟନ ବିପିନ ବିହାରୀ ନାୟକ, ଡଃ ଶିବ ପ୍ରସାଦ ବେହେରା, ଡଃ ଅଜୟ କୁମାର ସାହୁ, ମୁନା ପାଢୀ, ରବୀନ୍ଦ୍ରନାଥ ରାଉତରାୟ, ଗୋଲକ ବିହାରୀ ସିଂହ, ଡଃ ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବାଳକୃଷ୍ଣ ରାଉତ ଓ ମିଲନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ