ସୂର୍ଯ୍ୟପ୍ରଣାମ
ବିପିନ ବିହାରୀ ମହାନ୍ତି
ଆସନ୍ତୁ, ପ୍ରାଣ ସ୍ୱରୂପ, ଦୁଃଖ ନାଶକ, ସୁଖ ସ୍ୱରୂପ, ଶ୍ରେଷ୍ଠ ତେଜସ୍ୱୀ ପାପନାଶକ ଦେବ ସ୍ୱରୂପ ପରମାତ୍ମାଙ୍କୁ ଆମେ ଅନ୍ତରାତ୍ମାରେ ଧାରଣ କରିବା । ସେ ଆମକୁ ସତ୍ମାର୍ଗରେ ପରିଚାଳିତ କରାଇବେ । ଋଗ୍ବେଦ (୮.୫୬.୫) ମତେ ଅଗ୍ନି ଓ ସୂର୍ଯ୍ୟ ଯୁଗଳ ଦେବତା ଅଟନ୍ତ । ଅଗ୍ନି ପୃଥିବୀ ଏବଂ ସୂର୍ଯ୍ୟ ଦ୍ୟୁଲୋକର ଅଧିକାରୀ; ଉଭୟ ଜ୍ୟୋତି ବା ପ୍ରଭାବଦ୍ୱାରା ପ୍ରକାଶିତ : ‘ଜ୍ୟୋତିଃ ସୂର୍ଯ୍ୟଃ ସୂର୍ଯ୍ୟୋ ଜ୍ୟୋତିଃ’ ସ୍ୱାହା (ଯଜୁ:୩୯) । ପୁନଶ୍ଚ ଉଭୟେ ଯୁଗଳ ଦେବତା ହେଲେ ହେଁ ସୂର୍ଯ୍ୟର ଅଗ୍ନି ସୃଷ୍ଟି; ‘ସୂର୍ଯ୍ୟୋଽରୋର୍ଯ୍ୟୋ ନିରାୟତନମ (ତ୍ରୈ.ବ୍ରା.:୩.୯.୨୧.୨) ପ୍ରକାରାନ୍ତରେ ଅଗ୍ନିପୂଜା ସୂର୍ଯ୍ୟପୂଜା ସହିତ ସଂପର୍କିତ । ଏଥିପାଇଁ ସଂଧ୍ୟାଓ ସକାଳେ ଉଭୟଙ୍କୁ ଆମେ ପ୍ରଣାମ କରିଥାଉ । ‘ତସ୍ମାଦରୟେ ସାୟଂହୁୟତ, ସୂର୍ଯ୍ୟାୟି ପ୍ରାତଃ (ତେ.ବ୍ରା. ୧.୧.୨୬)’ । ସେମାନେ ଆମ ଚକ୍ଷୁ ସଦୃଶ ‘ସୂର୍ଯ୍ୟୋଗ୍ନି ଚକ୍ଷୁଭ୍ୟାମ୍ (ତେ.ବା.:୫.୩.୧୨)’ ସୂର୍ଯ୍ୟଙ୍କୁ ସମସ୍ତଙ୍କର ଆତ୍ମାବୋଲି କୁହାଯାଇଛି । ‘ସୂର୍ଯ୍ୟାତ୍ମା ଜଗତସ୍ତସୁପଶ୍ଚ (ର.୧.୧୧୪.୧)’ । ସେ ଆମର ସମସ୍ତ କର୍ମକୁ ନିରୀକ୍ଷଣ କରନ୍ତି : ‘ସ୍ୱରାୟ ବିଶ୍ୱ ଚକ୍ଷସେ (ର.୧.୫୦.୨)’ । ପୁନଶ୍ଚ ବାଳସୂର୍ଯ୍ୟ (ପୂର୍ବ ସୂର୍ଯ୍ୟୋଦୟ)ଙ୍କୁ ସବିତା କୁହାଯାଏ : ‘ଉଦୟାତ ପୂର୍ବ ଭାର୍ବୀ ସବିତା (ର ୫.୮୧.୪) । ସେ ସକଳ ଦେବତାର ଜନକ, ରାଷ୍ଟ୍ରାଧ୍ୟକ୍ଷ : ସବିତାରାଷ୍ଟଂ ରାଷ୍ଟ୍ରପତିଃ (ଶତବ୍ରା ୧୧.୪.୩.୧) ଏବଂ ଭୁବନର ଆଶ୍ରୟ ଦାତା ଅଟନ୍ତି । ଗାୟତ୍ରୀ ତଥା ପଦ୍ମପୁରାଣମତେ ସଂକ୍ରାନ୍ତି ଓ ଶୁକ୍ଲ ସଂକ୍ରାନ୍ତି ଯୁକ୍ତ ରବିବାରେ ସୂର୍ଯାଗାୟତ୍ରୀ : ‘ଆଦିତ୍ୟାୟ ବିଦମହେ ଭାସ୍କରାୟଧିମହି ତନ୍ମୋଭାନୁଃ ପ୍ରଚୋଦୟାତ’ ଜପ କଲେ ସୂର୍ଯ୍ୟାଲୋକ ପ୍ରାପ୍ତହୁଏ ବୋଲି ବର୍ଣ୍ଣିତ ଅଛି । ଚକ୍ଷୋପନିଷଦରେ ସୂର୍ଯ୍ୟଙ୍କୁ ଚକ୍ଷୁରୋଗ ନିବାରକ ଏବଂ ଅନ୍ଧତ୍ୱ ନାଶକ ବୋଲି ବର୍ଣ୍ଣିତ କରାଯାଇଛି । ଏଥିରେ ତାକୁ ‘ଅସଦୋ ମା’ ସଦ୍ଗମୟ, ତମସୋ ମା’’ ଜ୍ୟୋତିର୍ଗମୟ, ମୃତ୍ୟୋମା, ‘ଅସ୍ତ୍ରଣେଗମୟ’ ପାଇଁ ମଧ୍ୟ ନିବେଦନ କରାଯାଇଛି । ‘ଓଁ ହ୍ରୀଂ ହ୍ରୀଂ ହ୍ରୌଂସଃ ସୂର୍ଯ୍ୟାୟ ନମଃ’ ସର୍ବସିଦ୍ଧି ଲାଗି ସୂର୍ଯ୍ୟଙ୍କୁ ଭଜିବା ବୀଜମନ୍ତ୍ର । ଏହା ଭଜିବା ଦ୍ୱାରା ସୂର୍ଯ୍ୟାଲୋକ ପ୍ରାପ୍ତି ହୁଏ । ସୂର୍ଯ୍ୟାଲୋକ ପ୍ରାପ୍ତିରେ ପରଂବ୍ରହ୍ମ ପ୍ରାପ୍ତି ହୁଏ । ଓଁକାର ହିଁ ସୂର୍ଯ୍ୟ । ଓଁ କା’ର ହିଁ ନାଦବ୍ରହ୍ମ । ଏହି ନାଦ ସଦାସର୍ବଦା ରାବ କରୁଥିବାରୁ, ସୂର୍ଯ୍ୟଙ୍କ ‘ରାବ’ରୁ ରବି କୁହନ୍ତି । ସୂର୍ଯ୍ୟହିଁ ବେଦମାନଙ୍କର ସମଷ୍ଟିକୃତ । ପୂର୍ବାହ୍ନରେ ଋକ୍ ମଧ୍ୟାହ୍ନରେ ଯଜୁଃ ଓ ଅପରାହ୍ନରେ ସାମ୍ବେଦ ସିଏ । ଏହି ତିନିବେଦ ଭୂଲୋକ ଅନ୍ତରୀକ୍ଷ ଲୋକ ଓ ସ୍ୱର୍ଗଲୋକ ପ୍ରାପ୍ତିର ପଥ । ପୁନଶ୍ଚ ସୂର୍ଯ୍ୟ ହିଁ ପ୍ରାଣ । ଆଦିତ୍ୟୋହ ବୈପ୍ରାଣଃ (ପ୍ର.ଭ) । ତାଙ୍କଠାରୁ ଏହି ପ୍ରାଣ ପାଇ ପ୍ରାଣୀ ବା ଜୀବଜଗତ । ତାଙ୍କ ବିନା ଜୀବଜଗତ ଅସମ୍ଭବ । ଏହାବି ବିଜ୍ଞାନ ସମ୍ମତ । ସେ ସକଳ ଶକ୍ତିର ଆଧାର କାରଣ, କହିଛେ ସେ ଅଗ୍ନି । ଆମ ଶରୀରରେ ବ୍ରଂରାଗ୍ନି : ବୈଶାନରଃ ଅଗ୍ନି’ । ସେ ଆମ ତାପ, ଆମ ଉଷ୍ମତା । ତାପ ବା ଉଷ୍ମତାହୀନ ପିଣ୍ଡ : ଶୀତଳ, ଜଡ଼ ବା ମୃତ । ଅର୍ଥାତ୍ ସୂର୍ଯ୍ୟହିଁ ଆମ୍ଭ, ଆରମ୍ଭ ଓ ଶେଷ । ବେଦ, ବେଦାନ୍ତ, ବ୍ରାହ୍ମଣ, ସଂହିତା ଉପନିଷଦ ଏବଂ ପୁରାଣ ଇତ୍ୟାଦିରେ ସୂର୍ଯ୍ୟଙ୍କର ଜନ୍ମ ବୃତ୍ତାନ୍ତ, କରୁଣା ଏବଂ କରିସ୍ମା ନେଇ ବହୁ କଥା ଲେଖାଯାଇଛି । ପ୍ରବନ୍ଧରେ କଳେବର ଦୃଷ୍ଟିରୁ ସେସବୁ ଆଲୋଚନା କରିବା ନିମନ୍ତେ ଏଠାରେ ପ୍ରାସଙ୍ଗିକତା ମନେ କରୁନାହୁଁ । ସଂକ୍ଷେପରେ ସୂର୍ଯ୍ୟହଁ ଜୀବନ, ସେହିଁ ଗତି, ସେହିଁ ଇତି, ସେହିଁ ନମସ୍ୟ ।
ଯଦଦ୍ୟ ସୂର୍ଯ୍ୟ ବ୍ରବୋଽନାଗା । ଉଦ୍ୟନ୍ମତ୍ରାୟ କରୁଣାୟ ସତ୍ୟମ ।
ବୟଂ ଦେବତ୍ରାଦିତେ ସ୍ୟାମତବ । ପ୍ରିୟାଂସା ଅର୍ଯ୍ୟମନ୍ ଗୁଣନ୍ତଃ ।
ୠ.ସଂ.୩.୭.୧.୬୦)
ହେ ସୂର୍ଯ୍ୟଦେବ! ଆଜି ଉଦୟ ହେବା ସଂଗେ ସଂଗେ ଆପଣ ଆମକୁ ନିଷ୍ପାପ କରି ଦିଅନ୍ତୁ । ହେ ଅଦିତେ, ଆମେ ମିତ୍ରବରୁଣା ଦେବଙ୍କର ପ୍ରିୟପାତ୍ର ହେଉ । ହେ ଆଦ୍ୟମିନ୍ (ଦାତା)! ଆମେ ଆପଣଙ୍କର କୃପାର ପ୍ରିୟପାତ୍ର ହେଉ । ହେ ଆର୍ଯ୍ୟମାନ୍! ଆପଣଙ୍କର କୃପାଲାଭ କରିବା ପାଇଁ ଆମେ ପ୍ରାର୍ଥନା କରୁଛୁ । ଆସନ୍ତୁ ଆମେ ସେହି ସୂର୍ଯ୍ୟଙ୍କୁ ଉପଲବ୍ଧ କରିବା, ସେ ଆଲୋକ ପ୍ରଦାନକାରୀଙ୍କୁ ଧ୍ୟାନ କରିବା । ଅଦିତିଙ୍କ ପୁତ୍ର ଆଦିତ୍ୟ ଆମକୁ ଜ୍ଞାନାଲୋକରେ ଭାସ୍କର କରନ୍ତୁ ।
ଭାସ୍କରାୟ ବିଦ୍ମହେ ମହଦ୍ୟୁତିକରାୟ ଧୀମହି, ତନ୍ମୋ ଆଦିତ୍ୟଃ
ପ୍ରଚୋଦୟାତ୍ । (ଗାୟତ୍ରୀ)
ବିଷୁବ ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ଅବାସ୍ତବ ଉତ୍ତରାୟଣ ଗତି ଆରମ୍ଭ ହୁଏ । ରାଶିଚକ୍ରରେ ଏହାହିଁ ପ୍ରଥମ ଦିନ । ଏହା ମଧ୍ୟ ମେଷରାଶିର ପ୍ରଥମ ଦିବସ । ଭାରତୀୟ ପ୍ରାମାଣିକ ସମୟର ସମୟ ନିର୍ଘଣ୍ଟ ମେଷ ସଂକ୍ରାନ୍ତି ରୂପେ ବିଦିତ । ଏହିଦିନ ସର୍ବ ନିୟନ୍ତା ସର୍ବ ପ୍ରାଣ ଏବଂ ସର୍ବକର୍ତ୍ତା ମହିମମୟ ସୂର୍ଯ୍ୟଙ୍କର ସ୍ୱାଗତିକା ଗାନ କରାଯାଏ । ତାଙ୍କ ସ୍ୱାଗତିକା ପାଇଁ କି ମଠ ! କି ମନ୍ଦିର! କି ହିନ୍ଦୁଗୃହ ଚଳ ଚଞ୍ଚଳ ହୋଇଉଠେ । ନୂତନ ପୋଷାକ ପରିଧାନ ପୂର୍ବକ ଆମେ ତାଙ୍କୁ ସ୍ୱାଗତ କରୁ ।
ଓଡ଼ିଆ ସଂସ୍କୃତି ଜଗନ୍ନାଥ ସଂସ୍କୃତିକୁ ବୁଝାଏ । ଏଣୁ ଶ୍ରୀ ମନ୍ଦିରରୁ ହିଁ ସବୁ ଆରମ୍ଭ । ପ୍ରତ୍ୟୁଷରୁ ପାରମ୍ପରିକ ରୀତିରେ ପଣା ପ୍ରସ୍ତୁତ ହୁଏ । ଗ୍ରୀଷ୍ମର ଆଦ୍ୟ ହେତୁ ପଣାରେ ଥଣ୍ଡା ଏବଂ ସ୍ୱାସ୍ଥ୍ୟକର ଦ୍ରବ୍ୟ ବ୍ୟବହାର କରାଯାଏ । ବିଶେଷକରି କଞ୍ଚା ଆମ୍ବ, ପାଚିଲା ଆମ୍ବରସ, ପାଚିଲା ବେଲ, ନଡ଼ିଆ, ଛେନା, କ୍ଷୀର, ଦହି, ନବାତ, ଗୁଡ଼, ଆଖୁରସ, ଗୋଲମରିଚ, କାଜୁ, କିସ୍ମିସ୍, ସାକରକନ୍ଦ ଏବଂ ଅନେକ କିଛି । ଏହିଦିନ ସାଂଗସାଥୀ ଏବଂ ବନ୍ଧୁବାନ୍ଧବମାନଙ୍କୁ ଘରକୁ ସ୍ୱାଗତ କରି ପଣାରେ ଆପ୍ୟାୟିତ କରାଯାଏ । ଏହା ଏକ ଦିବସ ବ୍ୟାପୀ କାର୍ଯ୍ୟକ୍ରମର ସାମାଜିକ ପର୍ବ । ସଂଧ୍ୟାକୁ ବିଭିନ୍ନ ସ୍ଥାନରେ ସାହିତ୍ୟ ଚର୍ଚ୍ଚା, କବିତା ପାଠୋତ୍ସବ, ସଂଗୀତ ଆସର ଏବଂ ନୃତ୍ୟଗୀତ ଇତ୍ୟାଦିର ଆୟୋଜନ ହୋଇଥାଏ ।
ଓଡ଼ିଆ ନବ ବର୍ଷ ଏହି ବିଷୁବ ସଂକ୍ରାନ୍ତିଠାରୁ ଆରମ୍ଭ ହୁଏ । ଏହି ଦିନଠାରୁ ବାର୍ଷିକ ପାଞ୍ଜିର ଆରମ୍ଭ । ଗାଁ ଗହଳିରେ ପାଞ୍ଜି ପାଠ ହୁଏ । ସୂର୍ଯ୍ୟ ଓ ଅଗ୍ନିଙ୍କ ସଂପର୍କ ଏକାକାର ହେତୁ ଝାମୁଯାତ୍ରାରେ ନିଆଁରେ ଚାଲିବା ଓ ଦଣ୍ଡନୃତ୍ୟ ଇତ୍ୟାଦି ବିଷୁବ ସଂକ୍ରାନ୍ତିରେ ସୂର୍ଯ୍ୟଙ୍କୁ ସମର୍ପିତ ପର୍ବ । ଏହା ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ନିଦର୍ଶନ ।
ଅଧ୍ୟକ୍ଷ. ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର, ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮