ସୂର୍ଯ୍ୟମନ୍ଦିରରେ ପର୍ଯ୍ୟଟକ ଓ ସାମ୍ୱାଦିକଙ୍କୁ ଦୁର୍ବବ୍ୟବହାର ଘଟଣା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂର୍ଯ୍ୟମନ୍ଦିରର ଅସ୍ଥାୟୀ କର୍ମଚାରୀ ଠେଲାପେଲା ଓ ଦୁର୍ବବ୍ୟବହାର କରିବା ମାମଲାରେ କୋଣାର୍କ ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତକୁ ଗିରଫ ଦାବିରେ ସୋମବାର କୋଣାର୍କର ସମସ୍ତ ଗଣମାଧ୍ୟମ ପ୍ରତିନିଧି କୋଣାର୍କ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ଏହାକୁ କୋଣାର୍କ ସୁରକ୍ଷା ସମିତି,ଫଟୋଗ୍ରାଫର ଓ ଗାଇଡ ଆସୋସିଏସନ୍, କୋଣାର୍କ ନଗର କଂଗ୍ରେସ କମିଟି,ଗୋପ ସାମ୍ବାଦିକ ସଂଘ ସମର୍ଥନ ଜଣାଇ ସାମିଲ ହୋଇଥିଲେ। ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। ସୂଚନାଥାଉକି,ରବିବାର ସୂର୍ଯ୍ୟମନ୍ଦିରରେ ଭିଡ଼ ଯୋଗୁଁ ଖବର ସଂଗ୍ରହ ପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଯାଇଥିବାବେଳେ ମନ୍ଦିର ମୂଖ୍ୟ ଫାଟକ ସମ୍ମୁଖରେ ପରିଚୟପତ୍ର ନଥିବା ପ୍ରଦୀପ୍ କୁମାର ନାମକ ଅସ୍ଥାୟୀ କର୍ମଚାରୀ ଏଏସଆଇ ଅଧିକାରୀ ଦେବେନ୍ଦ୍ର କୁମାରଙ୍କ ନିର୍ଦ୍ଦେଶରେ ଗାଳିଗୁଲଜ କରିବା ସହିତ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ବୁମକୁ ଠେଲିଦେଇଥିଲେ। ଏହି ଘଟଣାକୁ ନେଇ କୋଣାର୍କ ଅଞ୍ଚଳର ସମସ୍ତ ସାମ୍ବାଦିକ ମାନେ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପର୍ଯ୍ୟଟକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଟିକେଟ କାଟିବା ପାଇଁ ପର୍ଯ୍ୟଟକ ମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଠିଆ ହୋଇ ରହୂଥିବାବେଳେ ସେମାନଙ୍କୁ ସାମାନ୍ୟତମ ମୌଳିକ ସୁବିଧା ନମିଳିବାରୁ ଅସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର ପରିଦର୍ଶନ ନକରି ଫେରିଯାଉଥିବା ଦେଖିବାକୁ ମିଳିଛି। ଏଏସଆଇ କର୍ମଚାରୀଙ୍କୁ ଗିରଫ କରା ନଗଲେ ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ସମସ୍ତ ଗଣମାଧ୍ୟମ ପ୍ରତିନିଧି ଚେତାବନୀ ଦେଇଛନ୍ତି । ଏହି ଘଟଣା ପ୍ରତି ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି ।