ସୂର୍ଯ୍ୟମନ୍ଦିରରେ ବଙ୍ଗୀୟ ପର୍ଯ୍ୟଟକ ଆହତ

ପୁରୀ,(ୱା ଏନ ଏସ):ବିଶ୍ଵ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସୁରକ୍ଷା ଓ ସଂରକ୍ଷଣ ଦାୟିତ୍ଵରେ ଥିବା ଏ ଏସ ଆଇର ମନମାନି ଦିନକୁ ଦିନ ବୃଦ୍ଧି ପାଉଥିବା ସାଧାରଣରେ ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏହି ସଂସ୍ଥା ଉପରେ ରାଜ୍ୟ ସରକାରଙ୍କର କୌଣସି ଅଙ୍କୁଶ ନଥିବାରୁ ଦିନକୁ ଦିନ ମନମାନି କରୁଥିବା ଜଣାପଡିଛି। ବାର୍ଷିକ କୋଟି କୋଟି ଟଙ୍କା ପ୍ରବେଶ ଶୁଳ୍କ ଭାବେ ପର୍ଯ୍ୟଟକ ମାନଙ୍କ ଠାରୁ ଆଦାୟ ହେଉଥିଲେ ମଧ୍ୟ ସାମାନ୍ୟ ମୌଳିକ ସୁବିଧା ଉପଲବ୍ଧ ହୋଇପାରୁନାହିଁ। ଏପରିକି ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଉପକରଣ କି ଖରା ବର୍ଷାରୁ ରକ୍ଷା ପାଇବା ପାଇଁ କୌଣସି ସୁବିଧା ନଥିବାରୁ ପର୍ଯ୍ୟଟକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସର୍ବଦା ମୁଖ୍ୟ ଫାଟକରେ ତାଲା ପଡ଼ି ରହୁଥିବାରେ ଯଦି କୌଣସି ପର୍ଯ୍ୟଟକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଆହତ ହେଉଅଛନ୍ତି, ତେବେ ଆମ୍ବୁଲାନ୍ସକୁ ଗେଟ୍ ବାହାରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡୁଥିବା ଦେଖିବାକୁ ମିଳୁଛି। ଫଳରେ ଦୁର୍ଘଟଣାର ଶିକାର ହୋଇଥିବା ପର୍ଯ୍ୟଟକଙ୍କ ଜୀବନ ଯିବାର ଆଶଙ୍କା ସୃଷ୍ଟି ହେଉଛି। ଏପରି ଏକ ଅଭାବନୀୟ ଘଟଣା ବୁଧବାର ପୂର୍ବାହ୍ନରେ ଦେଖିବାକୁ ମିଳିଛି। ରୂପା ସର୍ଦ୍ଦାର (୧୫ବର୍ଷ) ନାମକ ଜଣେ ବଙ୍ଗୀୟ ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ବୁଲୁଥିବା ବେଳେ କୌଣସି କାରଣକୁ ନେଇ ଅସୁସ୍ଥ ହେବା ସହ ଅଚେତ ହୋଇ ପଡ଼ିଯାଇଥିଲେ। ତାଙ୍କ ସହିତ ଆସିଥିବା ପରିବାର ଲୋକ ଓ ସ୍ଥାନୀୟ ଲୋକ ତୁରନ୍ତ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ମଧ୍ୟ ମୁଖ୍ୟ ଫାଟକରେ ତାଲା ପଡ଼ିବା ଯୋଗୁଁ ଆମ୍ବୁଲାନ୍ସ ବାହାରେ ଅଟକି ରହିଥିଲା। ବହୁ ବିଳମ୍ବରେ ସୁରକ୍ଷା କର୍ମୀ ମାନେ ଆସି ତାଲା ଖୋଲିବାରେ ଆହତ ପର୍ଯ୍ୟଟକ ଜଣକୁ ମେଡିକାଲ ନିଆଯାଇଥିଲା। ଏ ଏସ ଆଇ ର ଏପରି ମନୋଭାବକୁ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଘୋର ନିନ୍ଦା କରିଅଛନ୍ତି। କିଛି ଅଣଓଡ଼ିଆ କର୍ମଚାରୀଙ୍କ ମନମାନି ଯୋଗୁଁ ସୂର୍ଯ୍ୟ ମନ୍ଦିରରେ ବ୍ୟାପକ ଅନିୟମିତତା ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି। ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ, ଜିଲ୍ଲାପାଲ୍ ଦୃଷ୍ଟି ଦେବାକୁ ଦାବୀ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ