ସୃଜନାକ୍ଷର’ପକ୍ଷରୁ ପୁସ୍ତକ ଲୋକାର୍ପଣ ପର୍ବ ଓ ସାରସ୍ୱତ ସମାରୋହ
ବାଲେଶ୍ୱର, (ସରୋଜ ପଣ୍ଡା):ସାହିତ୍ୟ ପତ୍ରିକା ‘ସୃଜନାକ୍ଷର’ ପରିବାର ପକ୍ଷରୁ ସାହିତ୍ୟିକ ଡ. ରାଧାରଞ୍ଜନ ପଟ୍ଟନାୟକଙ୍କ କବିତା ପୁସ୍ତକ ‘ଅନ୍ଧାର ଅପ୍ରମିତ’, ସମାଲୋଚନା ଗ୍ରନ୍ଥ ‘ସୃଜନର ସ୍ୱର୍ଣ୍ଣଭୂମି’ ଏବଂ ସୃଜନାକ୍ଷର ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି । କାଦ୍ରାବାଦ ସ୍ଥିତ ‘ଦି ରିକଭରି’ ପରିସରରେ ଥିବା ପାର୍ବତୀ ମେମୋରିଆଲ ହଲରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ଦୁଇ ପୁସ୍ତକ ଓ ସୃଜନାକ୍ଷର ପତ୍ରିକାକୁ ଲୋକାର୍ପଣ କରିଥିଲେ । ଡ. ପଟ୍ଟନାୟକଙ୍କ ସାରସ୍ୱତ କୃତି ତଥା ସୃଜନଶୀଳତାକୁ ଭୂୟସୀ ପ୍ରଶଂସା କରିବା ସହ ଦୁଃଖକୁ ଚନ୍ଦନଟୋପା କରି ମସ୍ତକରେ ତିଳକ ଧାରଣ କରୁଥିବା ମଣିଷ ହିଁ ବାସ୍ତବରେ କବି ବୋଲି କୁଳପତି ପ୍ରଫେସର ତ୍ରିପାଠୀ ମତପ୍ରକାଶ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ସୁବାସ ଚନ୍ଦ୍ର ପାତ୍ର ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟର ପରିଭାଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସାହିତ୍ୟ ସଂପର୍କ ଯୋଡ଼େ । ସମାଜ ଗଢ଼େ ଏବଂ ଜୀବନ କଳାର ଭାଗବତ ଶ୍ଳୋକ ପଢ଼ାଏ । ‘ଅନ୍ଧାର ଅପ୍ରମିତ’ ବାସ୍ତବ ଜୀବନ ଛାୟାର ପ୍ରତିଫଳନ ବୋଲି ଡ. ପାତ୍ର କହିଥିଲେ । ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣ ବ୍ୟୁରୋ ମୁଖ୍ୟ କୁଳମଣି ବାରିକ, କବି ଉମେଶ ଚନ୍ଦ୍ର ବାରିକ, ‘ବହିଘର’ ପ୍ରକାଶନୀର ସଂସ୍ଥାପକ କବି ଅଭୟ ଦାସ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ସାମ୍ପ୍ରତିକ ସ୍ଥିତି ଓ ସମ୍ଭାବ୍ୟ ଭବିଷ୍ୟତକୁ ନେଇ ଆଲୋଚନା କରିଥିଲେ । ସମ୍ପ୍ରତି ସାହିତ୍ୟ ସଂକଟର ଦ୍ୱାର ଦେଶରେ । ତାହା ପାଠକୀୟ ସଂକଟ ହୋଇପାରେ ବା ଲେଖକୀୟ ସଂକଟ । ଏଭଳି ସ୍ଥିତିରେ ପ୍ରତ୍ୟେକ ସ୍ରଷ୍ଟା ନିଜର କଲମକୁ ଶାଣିତ କରି ସାମ୍ନାର ପ୍ରତିକୁଳ ଅବସ୍ଥାକୁ ମୁକାବିଲା କରିବା ଉଚିତ୍ ବୋଲି କବି ଉମେଶ ଚନ୍ଦ୍ର ବାରିକ୍ ମତ ଦେଇଥିଲେ । ଲେଖକର ସ୍ୱକୀୟ ଆକାଶ ଭିତରେ ଚେତନା ଏବଂ ମନୋଭୂମିର ଯୁଗପତ ଲୀଳା ରକ୍ଷିତ ହୋଇଥାଏ ବୋଲି ବରେଣ୍ୟ ଅତିଥି କୁଳମଣି ବାରିକ କହିଥିଲେ । ଘନୀଭୂତ ଜଳୀୟ ବାଷ୍ପପୁଞ୍ଜରେ ସୂର୍ଯ୍ୟକିରଣର ପ୍ରତିଫଳନ ସାତରଙ୍ଗ ସୃଷ୍ଟି କରିପାରେ ବୋଲି କବି ଅଭୟ ଦାସ ସ୍ୱୀକାରୋକ୍ତି ବାଢ଼ିଥିଲେ । ବରିଷ୍ଠ କବି ତଥା ପ୍ରାବନ୍ଧିକ ଡ. ବଂଶୀଧର ଚୌଧୁରୀ ଦୁଇ ପୁସ୍ତକର ସମୀକ୍ଷା କରିବା ସହ ଡ. ପଟ୍ଟନାୟକଙ୍କର ସାହିତ୍ୟିକ ଜୀବନ, ଦର୍ଶନବାଦ ଓ ବିଚାରଧାରା ଆଲୋକପାତ କରିଥିଲେ । କବି ଡ. ପଟ୍ଟନାୟକ ଏହି ଅବସରରେ ନିଜର ଲେଖକୀୟ ଅନୁଭୁତି ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଫେସର ରବି ନାରାୟଣ ଦାଶ ଏହି ଲୋକାର୍ପଣ ଉତ୍ସବରେ ସଭାପତିତ୍ୱ କରିବା ସହ ‘ଅନ୍ଧାର ଅପ୍ରମିତ’ କବିତା କରୋନା କାଳଖଣ୍ଡରେ ଘଟିଥିବା ମୃତ୍ୟୁର ମହାଯାତ୍ରା ଭିତରୁ ଆଶା ଓ ବିଶ୍ୱାସର ଆଲୋକ ଅନୁଭବ କରିପାରୁ ବୋଲି କହିଥିଲେ । ଏହି ଅବସରରେ ‘ସୃଜନାକ୍ଷର’ ପରିବାର ପକ୍ଷରୁ କୁଳପତି ପ୍ରଫେସର ତ୍ରିପାଠୀଙ୍କୁ ଡ. ପ୍ରହ୍ଲାଦ ଚରଣ ମହାନ୍ତି ଏବଂ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ମାନପତ୍ର ତଥା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଡାକ୍ତର ଅଭିମନ୍ୟୁ କାନୁନ୍ଗୋ ମାନପତ୍ର ପାଠ କରିଥିଲେ । ଶେଷରେ ଜ୍ୟୋତିପ୍ରଭା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ପୁସ୍ତକ ଲୋକାର୍ପଣ ପୂର୍ବରୁ ସକାଳେ କବୟତ୍ରୀ ସାବିତ୍ରୀ ଜେନାଙ୍କ ପୌରୋହିତ୍ୟରେ ‘ସଜନୀରେ ନିଦାଘ ଆସିଛି’ ଶୀର୍ଷକକୁ ନେଇ କବିତାପାଠ ଆସର ଅନୁଷ୍ଠିତ ହୋଇଥିଲା । କବୀ ଯଶୋଧାରା ଦାସ, କବୀ ପାର୍ବତୀ ବାରିକ, ଆଇନଜୀବୀ ବିଜୟ ପାଣିଗ୍ରାହୀ, କବୀ ଶ୍ରଦ୍ଧାଞ୍ଜଳି ରାୟ, କବୀ ସୁଧାମୟୀ ଦାସ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କବିତା ପାଠ କରିଥିବା ବ୍ୟକ୍ତିତ୍ୱଙ୍କୁ ‘ସୃଜନାକ୍ଷର’ ପରିବାର ମ୍ବର୍ଦ୍ଧିତ କରାଯାଇଥିଲା । କବି ମଧୁ ମିଶ୍ର ଏବଂ କମଳିନୀ କାସ୍ତଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ଜଳଧର ପଣ୍ଡା, ଅଞ୍ଜଳି ପଣ୍ଡା, ରମେଶ ବେହେରା, ସ୍ନିଗ୍ଧା ସାମନ୍ତରାୟ, ଜୁମରନାଥ ପାତ୍ର, ପ୍ରବୀର କୁମାର କମିଳା, ବିଦ୍ୟୁତ୍ଲତା ମହାନ୍ତି, ସୁଧାକର ସେଠୀଙ୍କ ସମେତ ବହୁ କବି ସ୍ୱରଚିତ କବିତା ପାଠ କରିଥିଲେ ।