ସେଂଟର ଅଫ୍ ଏକ୍ସିଲେନ୍ସ : ହିଞ୍ଜିଳିକାଟୁ ପୌରାଂଚଳର ୨ ବିଦ୍ୟାଳୟ ସାମିଲ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଓଡ଼ିଶା ସରକାର ରାଜ୍ୟର ୧୦୧ଟି ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସ କରିବା ସକାଶେ ଲକ୍ଷ୍ୟ ରଖିଛନ୍ତି । ଉକ୍ତ ଯୋଜନାରେ ହିଞ୍ଜିଳିକାଟୁ ପୌରାଂଚଳର ୨ଟି ବିଦ୍ୟାଳୟକୁ ସାମିଲ କରାଯାଇଛି । ସରକାରୀ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସାମିଲ କରାଯାଇ ସଂପୃକ୍ତ ବିଦ୍ୟାଳୟର ଭିତିଭୂମିକୁ ସୁଦୃଢ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏହା କାର୍ଯ୍ୟକାରୀ କରାଗଲେ ସଂପୃକ୍ତ ବିଦ୍ୟାଳୟକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି । ଏହା ଦ୍ୱାରା ବିଦ୍ୟାଳୟରେ ସ୍ପୋକେନ ଇଂରାଜୀ ପାଠ୍ୟକ୍ରମ ସାମିଲ କରାଯିବ । ଶିକ୍ଷାର୍ଥୀ ମାନଙ୍କ ଆଧାର ନମ୍ବର ସଂଯୋଗିକରଣ କରାଯାଇ ଶିକ୍ଷାର୍ଥୀଙ୍କ ପଞ୍ଜିକରଣ ଓ ଛାତ୍ର, ଛାତ୍ରୀଙ୍କ ଅନୁପାତରେ ଶିକ୍ଷକ, ଶିକ୍ଷୟତ୍ରୀ ନିଯୁକ୍ତି କରାଯିବାର ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ବିକାଶ ସକାଶେ ଅଭିଭାବକ/ ଅଭିଭାବିକା ମାନଙ୍କୁ ବିଦ୍ୟାଳୟ ପରିଚାଳନା ଓ ଉନ୍ନତିରେ ସାମିଲ କରାଯିବ ବୋଲି ଜଣାପଡ଼ିଛି । ଚଳିତ ବର୍ଷ ଜାନୁୟାରୀ ମାସରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୦୧ଟି ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସ କରିବା ପାଇଁ ଘୋଷଣା କରିଥିଲେ । ଜାନୁୟାରୀ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି, କାର୍ତିକେୟାନ ପାଣ୍ଡିୟାନ ହିଞ୍ଜିଳି ଗ୍ରସ୍ତ କରି ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିବା ସମୟରେ ବିଦ୍ୟାଳୟ ଗୁଡ଼ିକର ଭିତିଭୁମି ଯାଂଚ କରିବା ସହ ବିଦ୍ୟଳୟ ଗୁଡ଼ିକରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧି କରିବା ସକାଶେ ବିଦ୍ୟାଳୟ ପରିଚାଳନା କମିଟି, ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ସ୍ଥାନୀୟ ପୌରାଂଚଳର ସଂପୃକ୍ତ ୨ଟି ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସାମିଲ କରାଯିବା ପରେ ସୋମବାର ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅମୁଲ୍ୟ କୁମାର ପ୍ରଧାନ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି । ସ୍ଥାନୀୟ ପୌରାଂଚଳର ସଂପୃକ୍ତ ୨ଟି ବିଦ୍ୟାଳୟକୁ ସେଂଟର ଅଫ୍ ଏକ୍ସିଲେନ୍ସରେ ସାମିଲ କରାଯାଇଥବାରୁ ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଭୀମସେନ ବେହେରା ସ୍ୱାଗତ ଜଣାଇଛନ୍ତି । ଅନ୍ୟ ପକ୍ଷରେ ସ୍ଥାନୀୟ ବ୍ଳକର ଅନ୍ୟାନ ବିଦ୍ୟାଳୟ ଗୁଡ଼ିକର ଉନ୍ନତି ସକାଶେ ପ୍ରସ୍ତାବ ରହିଥିବା ବିଡ଼ିଓ ପ୍ରସନ କୁମାର ପାତ୍ର କହିଛନ୍ତି ।
ଏ ନେଇ ମଙ୍ଗଳବାର ଭିଡ଼ିଓ କନଫେରନ୍ସ ମାଧ୍ୟମରେ ୫ଟି ସଚିବ ଭି. କାର୍ତିକେୟାନ ପାଣ୍ଡିୟାନ ହିଞ୍ଜିଳି ଓ ଶେରଗଡ଼ ବ୍ଳକର ବିଭିନ୍ନ ବିଦ୍ୟାଳୟ ଗୁଡ଼ିକର ଉନ୍ନତି ସକାଶେ ଆଲୋଚନା କରିଥିଲେ । ଆଲେଚନାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ର ପ୍ରଧାନ, ଡ଼ି. ବିଶ୍ୱନାଥ, ସ୍ଥାନୀୟ ପୌରାଂଚଳ ଓ ବ୍ଳକର ୨୫ଟି ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ଜନ ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ