ସେତୁ କାମ ଶେଷ ନହେବା ପୂର୍ବରୁ ସେତୁରେ ଫାଟ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଡାହାଣୀଖିଆ ଠାରେ ନିର୍ମିତ ହେଇଛି ବିଜୁ ସେତୁ । ଅବଧି ସରିଲାଣୀ ହେଲେ କାର୍ଯ୍ୟ ସରୁନାହିଁ । ବର୍ତମାନ ସଂଯୋଗୀ କରଣ ରାସ୍ତା ନିର୍ମାଣ ଚାଲିଥିବା ବେଳେ ସେତୁରେ ଫାଟ ଦେଖିବାକୁ ମିଳିଛି । ସେତୁ ନିମ୍ନମାନର କାର୍ଯ୍ୟ ହେଉଥିବା ପୂର୍ବରୁ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ କିଛି ସୁଫଳ ମିଳି ନଥିଲା । ସେତୁକୁ ପରିଦର୍ଶନରେ ତକ୍ରାଳିନ ବିଧାୟକ ଚିରଞୀବ ବିଶ୍ୱାଳ, ଜିଲ୍ଲାପାଳ ଯାମିନୀ ଷଡଙ୍ଗୀ ଆସି କାର୍ଯ୍ୟ ତଦାରଖ କରି ସ୍ଥାନୀୟ ଅଂଚଳବାସୀଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ । ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ସେତୁ ନିର୍ମାଣ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଉକ୍ତ ସେତୁ ନିର୍ମାଣ କରିବା ପାଇଁ ଜଗତସିଂହପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨୮ କୋଟି ୨୨ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଥିଲା । ଉକ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇ କୋଲକତା ରୟାଲ ଇନଫାଷ୍ଟ୍ରକର ସଂସ୍ଥାକୁ ସେତୁ ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା । ଚୁକ୍ତି ଅନୁସାରେ କାର୍ଯ୍ୟ ଆରମ୍ଭର ତାରିଖ ୧୫ ଜାନୁଆରୀ ୨୦୧୪ ଥିବା ବେଳେ କାର୍ଯ୍ୟ ଶେଷର ତାରିଖ ୧୪ ଜୁନ ୨୦୧୬ ରହିଥିଲା । କିନ୍ତୁ ଅବଧି ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେତୁ କାର୍ଯ୍ୟ ସରିନାହିଁ । ସବୁଠାରୁ ବଡକଥା ହେଲା ଏହି କମ୍ଫାନୀ ସେତୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ଅଣକୁଶଳୀ କାରିଗର ଦ୍ୱାରା କାର୍ଯ୍ୟ କରୁଥିବା ବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଥିଲା । ଏପରିକି କାର୍ଯ୍ୟ ତଦାରଖ କରିବା ପାଇଁ ବିଭାଗ ପକ୍ଷରୁ କୌଣସି ଅଧିକାରୀ ରହୁ ନଥିବାରୁ ଡାହାଣୀଖିଆ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଏପରିକି ସେମାନେ ମଧ୍ୟ ନିମ୍ନମାନର କାର୍ଯ୍ୟ ଯୋଗୁଁ ସେତୁ କାର୍ଯ୍ୟ କୁ ମଧ୍ୟ ବନ୍ଦ ରଖିଥିଲେ । ଅପରପକ୍ଷେ ନିମ୍ନମାନର କାର୍ଯ୍ୟ ହେତୁ ଜୁଲାଇ ମାସ ୧ତାରିଖ ୨୦୧୫ ରେ ସେତୁରେ ନିର୍ମାଣ କରାଯାଇଥିବା ପିଲର ଓ ଗାର୍ଡ ୱାଲ ଗୁଡିକ ଦବି ଯାଇଥିବା ଦେଖିବାକୁ ମିଳିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସେତୁ ନିର୍ମାଣରେ ମଧୁର ବାଲି ଓ ମଧୁର ପାଣି ବ୍ୟବହାର ପାଇଁ ଏଷ୍ଟିମେଟ କରାଯାଇଥିବା ବେଳେ ଠିକା ସଂସ୍ଥା ପକ୍ଷରୁ ଦେବୀ ନଦୀର ଲୁଣା ପାଣି ଓ ଲୁଣା ବାଲି ବ୍ୟବହାର କରାଯାଇଥିଲା । ଯାହାଫଳରେ ବାରମ୍ବାର ସେତୁରରୁ ପ୍ଲାଷ୍ଟର ଖସିବାରୁ ପଛରେ ସିମେଂଟ ଲେପ ଦିଆଯାଉଥିବାର ଦେଖାଯାଇଥିଲା । ସେହିପରି ସେତୁ ନିର୍ମାଣ ପରେ ଅବଧି ସରିଥିଲେ ମଧ୍ୟ ବର୍ତମାନ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଉଛି । ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଉଥିବା ଗାର୍ଡ ୱାଲର ନିର୍ମାଣରେ ଅତ୍ୟନ୍ତ ନିମ୍ନମାନର ସିମେଂଟ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳୁଛି । ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ନାମକୁ ମାତ୍ର ତଦାରଖ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ଏସଂର୍ପକରେ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ମନୋରଂଜନ ପଟ୍ଟନାୟକଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ଏଥିପ୍ରତି ବିଭାଗୀୟ ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ