ସେନା ଶକ୍ତି ବୃଦ୍ଧି ପାଇଁ ଜରୁରୀକାଳୀନ ପାଣ୍ଠି ମଞ୍ଜୁର
ନୂଆଦିଲ୍ଲୀ: ଦେଶର ସେନାକୁ ଆହୁରି ସଶକ୍ତ କରିବା ବିଶେଷ ଭାବେ ଜରୁରୀ ହୋଇପଡ଼ିଛି। ତେଣୁ ରବିବାର କେନ୍ଦ୍ର ସରକାର ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖରିଦ୍ କରିବା ସକାଶେ ଜରୁରୀକାଳୀନ ପାଣ୍ଠିକୁ ମଞ୍ଜୁରୀ ଦେଇଛନ୍ତି। ଏହି ମଞ୍ଜୁରୀ ଅନୁସାରେ, ଭାରତୀୟ ସେନାର ତିନିଟିଯାକ ବିଭାଗ ନିଜ ନିଜ ଆବଶ୍ୟକତା ମୁତାବକ ୫ ଶହ କୋଟି ଟଙ୍କା ଭିତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖରିଦ୍ କରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନୈକ ବରିଷ୍ଠ ପଦାଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ପ୍ରକାଶ କରିଛନ୍ତି। ତେବେ ଏହି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଖରିଦ୍ ସକାଶେ ସେନା ମୁଖ୍ୟଙ୍କୁ ସାମରିକ ବ୍ୟାପାର ବିଭାଗ ସହ ପରାମର୍ଶ କରିବାକୁ ପଡ଼ିବ। ମଞ୍ଜୁର ହୋଇଥିବା ଜରୁରୀକାଳୀନ ପାଣ୍ଠିରେ ସେନାର ତିନିଟିଯାକ ବିଭାଗ ନିଜ ପସନ୍ଦ ମୁତାବକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିପାରିବେ। ଆଗାମୀ ଦିନରେ କୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବା ସକାଶେ ସ୍ଥଳସେନା, ନୌସେନା ଓ ବାୟୁସେନାରେ ଯେଉଁ ଅସ୍ତ୍ରଶସ୍ତ୍ରର ଅଭାବ ରହିଥିବ, ତାହାକୁ ଖରିଦ୍ କରିବା ସକାଶେ ସ୍ବାଧୀନତା ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଗତ ସୋମବାର ଗଲୱାନ୍ ଉପତ୍ୟକାରେ ଘଟିଥିବା ମାରପିଟ୍ ଘଟଣା ପରେ ଭାରତ ସୀମାବର୍ତ୍ତୀ ଅଞ୍ଚଳରେ ରହିଥିବା ଛାମୁଆ ପୋଷ୍ଟଗୁଡ଼ିକରେ ଅଧିକରୁ ଅଧିକ ଯବାନଙ୍କୁ ମୁତୟନ କରିବା ସହ ବିମାନ ଘାଟୀରେ ଲଢ଼ୁଆ ବିମାନଗୁଡ଼ିକୁ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ସ୍ଥଳସେନା ଓ ବାୟୁସେନା ସହ ନୌସେନାକୁ ମଧ୍ୟ ଚୀନ୍ ପାଟ୍ରୋଲିଂ ଟିମ୍ ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦିଆଯାଇସାରିଛି। ସେହିପରି ଚୀନ୍ ସହ ଭାରତର ସାଢ଼େ ୩ ହଜାର କିମି ଦୂରବର୍ତ୍ତୀ ସୀମାରେଖା ନିକଟରେ ଚୀନ୍ ସୈନ୍ୟ କୌଣସି ପ୍ରକାର ଅନୁପ୍ରବେଶ ଉଦ୍ୟମ କଲେ, ଏହାର କଡ଼ା ଜବାବ ଦେବା ସକାଶେ ତିନି ସେନାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ରବିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବ ଲଦାଖର ସ୍ଥିତି ଉପରେ ଅନୁଷ୍ଠିତ ଏକ ବୈଠକରେ ସମୀକ୍ଷା କରିବା ପରେ ଚୀନ୍ ସେନାକୁ ଠୋସ୍ ଜବାବ ଦେବା ସକାଶେ ସ୍ବାଧୀନତା ଦିଆଯାଇଥିବା କୁହାଯାଇଛି। ଭାରତ ଓ ଚୀନ୍ ମଧ୍ୟରେ ପୂର୍ବ ଲଦାଖ୍ ଅନ୍ତର୍ଗତ ଗଲୱାନ୍ ଉପତ୍ୟକାରେ ମାରପିଟ୍ ଓ ହିଂସାକାଣ୍ଡ ଘଟିବା ଫଳରେ ଉଭୟ ଦେଶ ଆଗାମୀ ଦିନରେ ଯୁଦ୍ଧ ଭୂମିରେ ପରସ୍ପରକୁ ଭେଟିବାର ଆଶଙ୍କା ବଢ଼ିଯାଇଛି। ଚୀନ୍ ଭାରତର ପ୍ରାଦେଶିକ ଅଖଣ୍ଡତାକୁ ସମ୍ମାନ ନ ଦେଇ ଭାରତ ସୀମାରେ ପ୍ରବୋ କରି ଯେପରି ଭାବେ ଯବାନଙ୍କୁ ଆକ୍ରମଣ କଲା, ସେପରି ସ୍ଥିତିରେ ଭାରତ ନିଜର ସାର୍ବଭୌମତ୍ବର ସୁରକ୍ଷା ପାଇଁ କଡ଼ା ଜବାବ ଦେବାର ଆବଶ୍ୟକତା ରହିଛି।


