ସେପ୍ଟେମ୍ବରରେ ପୁଣି ଫେରିବ କରୋନା !
ନୂଆଦିଲ୍ଲୀ: ଶରତ ଋତୁ ଅର୍ଥାତ୍ ସେପ୍ଟେମ୍ବର ମାସ ବେଳକୁ ୟୁରୋପକୁ କରୋନା ପୁଣି ଥରେ ଫେରିପାରେ କରୋନା । ଯଦିଓ ଏବେ ବିଶ୍ୱ କରୋନାର ପ୍ରଥମ ଷ୍ଟେଜକୁ ସାମ୍ନା କରୁଛି ହେଲେ ଦ୍ୱିତୀୟ ଥର ପୁଣି ଫେରିବ ବୋଲି ଆକଳନ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରିବେଶ ଏବଂ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡକ୍ଟର ମାରିଆ ନେଇରା । ସେ କହିଛନ୍ତି ଯେ, କରୋନାର ନିଦାନ ଯେତେ ପର୍ଯ୍ୟନ୍ତ ନ ବାହାରିଛି ସେତେଦିନ ଯାଏ ଏହାର ପ୍ରକୋପ ଜାରି ରହିବ । ତେଣୁ ଏବେ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଯଦି କରୋନା ଦ୍ୱିତୀୟ ଥର ପାଇଁ ଫେରିବ ତା’ହେଲେ ପ୍ରଥମ ଥର ଭଳି ସେତେଟା ମାରାତ୍ମକ ହେବନି ବୋଲି ସେ ଆକଳନ କରିଛନ୍ତି । ଯଦି ପ୍ରଥମ ଥର ଭଳି ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବ-ଏହାର ଅର୍ଥ ଆମେ ଆମର ସ୍ୱାସ୍ଥ୍ୟାବସ୍ଥାକୁ ସୁଧାରିନାହୁଁ ବା ଭୁଲରୁ କିଛି ଶିଖି ନାହୁଁ ବୋଲି ବୁଝିବାକୁ ହେବ । ଏବେ ୟୁରୋପରେ ୫ରୁ ୭% ରୋଗ ପ୍ରତିରୋଧକ ଶକ୍ତି ରହିଛି । ଏବେ ଏହି ହାରକୁ ବଢ଼ାଇବାକୁ ପଡ଼ିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ଚୀନର ଉହାନ ପରେ କରୋନାର ହଟସ୍ପଟ ୟୁରୋପ ହିଁ ଥିଲା । ସେତେବେଳେ ଇଟାଲୀ, ବ୍ରିଟେନ, ସ୍ପେନ ଆଦିରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଥିଲା । ପରେ ସଂକ୍ରମିତ ହାରରେ ରୋକ୍ ଲାଗିଥିବା ଦେଖିବାକୁ ମିଳିଛି ।