ସେପ୍ଟେମ୍ବର ୧ରେ ଆନ୍ଦୋଳନକୁ ଓହ୍ଲାଇବ ଗଞ୍ଜାମ ଜିଲ୍ଲା ଗାଁ ସାଥି ସଂଘ
ଛତ୍ରପୁର, (ଦେବଦତ୍ତ ମହାରଣା) : ଦୀର୍ଘ ୧୩ ବର୍ଷ ଧରି ମନରେଗା ଯୋଜନାକୁ ସଫଳତାର ସହ ସମ୍ପାଦନ କରି ଆସୁଥିବା ଗାଁ ସାଥୀ ମାନଙ୍କୁ ରାଜ୍ୟ ସରକାର ପ୍ରଶଂସା କରିବା ବଦଳରେ ସେମାନଙ୍କ ଅଧିକାରକୁ ସଂପୁର୍ଣ୍ଣ ରୂପେ କ୍ଷୁର୍ଣ୍ଣ କରିବା ପାଇଁ ପ୍ରୟାସ କରାଯାଉଛି ବୋଲି ଗଞ୍ଜାମ ଜିଲ୍ଲା ଗାଁ ସାଥୀ ସଂଘ ଅଭିଯୋଗ କରିଛି । ଚଳିତ ବର୍ଷ ଜିଲ୍ଲାର ୩ ହଜାରରୁ ଉର୍ଦ୍ଧ୍ୱ ଗାଁ ସାଥା ମନରେଗା କାର୍ଯ୍ୟକୁ ସଫଳ ରୂପାୟନରେ ସମ୍ପାଦନ କରିବା ସହ ଦେଶରେ ତୃତୀୟ ସ୍ଥାନ ଏବଂ ରାଜ୍ୟରେ ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି । କିନ୍ତୁ ଗାଁ ସାଥୀ ମାନଙ୍କୁ ପ୍ରଶଂସା କରିବା ବଦଳରେ ସେମାନଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବା ଯୋଜନାକୁ ଗଞ୍ଜାମ ଜିଲ୍ଲା ଗାଁ ସାଥୀ ସଂଘ ଘୋର ନିନ୍ଦା କରିଛି । ଗତ ଦୁଇବର୍ଷ ହେଲା କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ବିଭିନ୍ନ ବ୍ଲକରେ ଚାଲିଥିବା ମନରେଗା କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇ ଆସୁଥିଲେ ମଧ୍ୟ ସେମାନଙ୍କ ରୋଜଗାର ସମୁଦ୍ରକୁ ସଂଖେ ଭଳି । ହେଲେ ସୁଦ୍ଧା ଗାଁ ସାଥୀ ସେମାନଙ୍କ ଦାୟିତ୍ୱରେ ଅବହେଳା କରି ନାହାନ୍ତି । ଅଗଷ୍ଟ ୧୯ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ପତ୍ର ମାଧ୍ୟମରେ ଗାଁ ସାଥୀ ମାନଙ୍କ ଅଧିକାର ଗୁଡିକୁ ସଂପୂର୍ଣ୍ଣ ରୂପେ ଛଡାଇ ନେବାର ଯେଉଁ ଅପ ପ୍ରୟାସ କରାଯାଇଛି ତାହାକୁ ବିରୋଧ କରି ଆସନ୍ତା ୧ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଗାଁ ସାଥୀ ମାନଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରାଯିବ । ଏନେଇ ସଂଘର ଜିଲ୍ଲା ସଭାପତି ରବୀନ୍ଦ୍ର ନାଥ ଗୌଡ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦେଇଛନ୍ତି । ଏହାସହ ସଂଘର ବିଭିନ୍ନ ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ କିଲ୍ଲାପାଳଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯିବ ବୋଲି ସଂଘର ସମ୍ପାଦକ ସୁଧାଂଶୁ ଶେଖର ଶତପଥୀ,, ଯୁଗ୍ମ ସଂପାଦକ ବସନ୍ତ କୁମାର ଚାନ୍ଦ ଓ ପୂର୍ବତନ ଜିଲ୍ଲା ସଭାପତି ହେମନ୍ତ କୁମାର ନାହାକ ପ୍ରମୁଖ ସୂଚନା ଦେଇଛନ୍ତି ।


