ସେବାରେ ଭାରତୀୟ ବାୟୁସେନା
ଭାରତର ସୁରକ୍ଷା ନିମନ୍ତେ ସାମରିକ ବିଭାଗରେ ମୁଖ୍ୟତଃ ତିନି ପ୍ରକାରର ସେନାବାହିନୀ ସଂପୃକ୍ତ ଅଛନ୍ତି । ସେମାନେ ହେଲେ ଆକାଶବାହିନୀ ବା ବାୟୁସେନା, ପଦାତିକ ବା ସ୍ଥଳସେନା ଏବଂ ଜଳବାହିନୀ ବା ନୌସେନା । ଏହି ତିନିବାହିନୀର ସୈନିକମାନଙ୍କର ସେବା ଓ ବଳିଦାନ ନିମନ୍ତେ ତଥା ଜାତିର ସେବା ଓ ନିରାପତ୍ତା କାରଣକୁ ଆମେ ପ୍ରତିବର୍ଷ ସେମାନଙ୍କ ଉଦ୍ଦେଶ୍ୟରେ ୩ ଦିନ ସମ୍ମାନ ପ୍ରଦର୍ଶନ କରିଥାଉଁ ତଥା ସେବା ସମୟରେ ନିଜର ବଳିଦାନ କାରଣରୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥାଉ । ଏହି ତିନୋଟି ଦିନ ଯଥାକ୍ରମେ ହେଲେ ବାୟୁସେନାଙ୍କ ପାଇଁ ୮ ଅକ୍ଟୋବର, ସ୍ଥଳସେନା ବା ପଦାତିକ ସୈନ୍ୟଙ୍କ ପାଇଁ ୧୫ ଜାନୁୟାରୀ ଏବଂ ନୌସେନାଙ୍କ ପାଇଁ ୪ ଡିସେମ୍ବର । ୧୯୩୨ ମସିହା ୮ ଅକ୍ଟୋବରରେ ପ୍ରତିଷ୍ଠିତ ହୋଇଥିଲା ଭାରତୀୟ ବାୟୁସେନା । ସେତେବେଳେ ଭାରତରେ ବ୍ରିଟିଶରାଜ ଥିଲା ଏବଂ ଏହା ଥିଲା ବ୍ରିଟିଶ ରୟାଲ ଏୟାରଫୋର୍ସର ଏକ ସହାୟକ ଶାଖା । ଏପ୍ରିଲ ପହିଲା ୧୯୩୩ରେ ଏହାର ପ୍ରଥମେ ସ୍କ୍ୱାର୍ଡନ ନଂ ଏକ (୧) ଯାହା ଚାରୋଟି ୱେଷ୍ଟଲ୍ୟାଣ୍ଡ ୱାପିର୍ଟ ବାଇପ୍ଲେନ୍ସ ଏବଂ ପାଞ୍ଚ ଜଣ ଭାରତୀୟ ବିମାନଚାଳକ (ପାଇଲଟ୍ସ) ଧରି କାର୍ଯ୍ୟ କରିଥିଲା । ଏମାନେ ବ୍ରିଟିଶ ରୟାଲ ଫୋର୍ସ କମାଣ୍ଡିଂ ଅଫିସର ଫ୍ଲାଇଟ୍ ଲେଫ୍ଟନାଣ୍ଟ ଏୟାର ଭାଇସ୍ ମାର୍ଶାଲ ସେସିଲ ବାଉଚରଙ୍କ ନେତୃତ୍ୱରେ ବା ଅଧିନରେ କାର୍ଯ୍ୟ କରୁଥିଲେ । ଏହି ପାଇଲଟମାନଙ୍କ ସଂଖ୍ୟା ଯଥାକ୍ରମେ ଦ୍ୱିତୀୟ ବିଶ୍ୱଯୁଦ୍ଧର ୧୯୪୩ ମସିହାକୁ ୭କୁ, ୧୯୪୫ ମସିହାକୁ ୯କୁ ଏବଂ ଦେଶ ବିଭାଜନ ବେଳକୁ ୧୦ରେ ପହଂଚିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତୀୟ ବାୟୁସେନାର କାର୍ଯ୍ୟକୁଶଳତା ବା ସଫଳତାକୁ ଦେଖି ୧୯୪୫ ମସିହାରେ ବ୍ରିଟିଶରାଜା ୬ଷ୍ଠ ଜର୍ଜ ଭାରତୀୟ ବାୟୁସେନାକୁ ରୟାଲ ଇଣ୍ଡିଆନ୍ (ଭାରତୀୟ) ବାୟୁସେନା ନାମରେ ନାମିତ କରିଥିଲେ ଏବଂ ଏହି ନାମଟି ଭାରତ ବିଭାଜନ ୧୯୪୭ ଏବଂ ଏହାପରେ ୧୯୫୦ ଜାନୁଆରୀ ୨୬ରେ ଭାରତର ସାର୍ବଭୌମତ୍ୱ ଏବଂ ଗଣତନ୍ତ୍ରପ୍ରାପ୍ତି ଯାଏ ମୁଖ୍ୟତଃ ଥିଲା । ୧୯୫୦ରେ ଗଣତନ୍ତ୍ର ପ୍ରାପ୍ତି ପରେ ଏ ନାମକରଣରୁ ‘ରୟାଲ’ ଶବ୍ଦଟିକୁ କାଟି ଦେଇ କେବଳ ‘ଭାରତୀୟ ବାୟୁସେନା’ ରଖାଗଲା । ଭାରତ ବିଭାଜନ ବେଳେ ଯେଉଁ ୧୦ଟି ସ୍କ୍ୱାର୍ଡନ ଥିଲେ ସେଥିରୁ ପାକିସ୍ତାନରେ ରହିଗଲେ ୩ ସ୍କ୍ୱାର୍ଡନ । ସ୍ୱାଧୀନତା ପରେ ୧୯୫୪ ଏପ୍ରିଲ ୧ରେ ନିର୍ମାଣ ସଦସ୍ୟ ସୁବ୍ରତ ମୁଖାର୍ଜୀ ଥିଲେ କମାଣ୍ଡି ଅଫିସର ଏବଂ ଏୟାର ମାର୍ଶାଲ ଥିଲେ ଅର୍ଜନ ସିଂହ ଡିଏଫ୍ସି ବାୟୁସେନାର ଫ୍ଲାଇଟ୍ ଲେଫ୍ଟନାଣ୍ଟ ଯିଏକି ପରବର୍ତ୍ତୀ ସମୟରେ ପାଲଟିଗଲେ ମାର୍ଶାଲ ଅଫ୍ ଏୟାରଫୋର୍ସ । ତାଙ୍କରି ନେତୃତ୍ୱରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଜାପାନ ବାହିନୀକୁ ବର୍ମାରେ ମାଓ-ହଙ୍ଗ-ସନ ଚିଆଙ୍ଗମାଇ ଏବଂ ଉତ୍ତର ଥାଇଲାଣ୍ଡରେ ସାମ୍ନା କରାଯାଇଥିଲା । ଭାରତର ସ୍ୱାଧୀନତା ପରେ ୧୯୬୪ରୁ ୧୯୬୯ ଯାଏଁ ଅର୍ଜୁନ ସିଂହ ଭାରତରୁ ବାୟୁସେନାର ମୁଖ୍ୟ ଥିଲେ । ସେ ହେଉଛନ୍ତି ପ୍ରଥମ ଆଇଏଏଫ୍ ଅଫିସର ଯିଏ କି ଏୟାର ଚିଫ୍ ମାର୍ଶାଲ ପଦକୁ ଉନ୍ନୀତ ହୋଇଥିଲେ । ସେ ୧୯୬୫ ମସିହାର ଭାରତ-ପାକ୍ ଯୁଦ୍ଧରେ ବାୟୁସେନାରେ ଥିଲେ । ମୁଖ୍ୟ କମାଣ୍ଡିଂ ଅଫିସର ଏବଂ ତାଙ୍କର ଏହି ଯୁଦ୍ଧରେ କୃତିତ୍ୱ ପାଇଁ ସେ ପଦ୍ମବିଭୂଷଣ ପଦବୀରେ ୧୯୬୬ରେ ଉପାଧିପ୍ରାପ୍ତ ହୋଇଥିଲେ । ସେ ଭାରତର ଏୟାରଫୋର୍ସର ଏକମାତ୍ର ଅଫିସର ଯିଏ କି ଏଯାବତ୍ ‘ପାଂଚଟି ଷ୍ଟାର’ ପ୍ରାପ୍ତ ମାର୍ଶାଲ ଅଫ୍ ଇଣ୍ଡିଆନ୍ ଏୟାର ଫୋର୍ସ । ୨୬ ଜାନୁଆରୀ ୨୦୦୨ରେ ରାଷ୍ଟ୍ରପତି ତାଙ୍କୁ “ମାର୍ଶାଲ ଅଫ୍ ଦି ଏୟାରଫୋର୍ସ” ରୂପେ ଉପାଧିଯୁକ୍ତ କରିଥିଲେ । ବିଶ୍ୱରେ ବାୟୁସେନା ସାମର୍ଥ୍ୟରେ ଭାରତ ବର୍ତ୍ତମାନ ଚତୁର୍ଥ ମହାଶକ୍ତି ଯିଏକି ଆକାଶପଥରେ ଯେ କୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ । ଭାରତ ବିଭାଜନ ପରଠୁ ଆକାଶବାହିନୀ ପାଂଚଥର ଯୁଦ୍ଧକୁ ସାମ୍ନା କରିଛି । ପ୍ରଥମଥର ୧୯୪୮ରେ ଯେତେବେଳେ କାଶ୍ମୀରକୁ ନେଇ ପାକ୍-ଭାରତ ଯୁଦ୍ଧ ହୋଇଥିଲା । ଅବଶ୍ୟ ଆକାଶପଥରେ ଯୁଦ୍ଧକୁ ସାମ୍ନା ହୋଇନଥିଲେ ମଧ୍ୟ ଯୁଦ୍ଧ ସାମଗ୍ରୀ ଓ ସେନା ପରିବହନ ଇତ୍ୟାଦିରେ ଏହା ଯଥେଷ୍ଟ ସାହାଯ୍ୟ କରିଥିଲା । ଏହାପରେ ସେହି ଭାରତ-ପାକ୍ ଯୁଦ୍ଧ ୧୯୬୫, ୧୯୭୧ (ବିଜୟ ଯୁଦ୍ଧ) ଏବଂ ୧୯୯୯ର କାର୍ଗିଲ ଯୁଦ୍ଧରେ ବାୟୁସେନା ତାର ଯୁଦ୍ଧ ନୈପୁଣ୍ୟତା ପ୍ରମାଣ କରିସାରିଛି । ୧୯୬୬ରେ ଚୀନ୍ ଓ ଭାରତ ଯୁଦ୍ଧରେ ବାୟୁସେନାର ଭୂମିକା ମଧ୍ୟ କମ୍ ନଥିଲା । ଗତ ୨୮-୨୯ ସେପ୍ଟେମ୍ବର ୨୦୧୬ ରାତିରେ ପାକିସ୍ତାନ ମାଟିରେ ଆତଙ୍କବାଦୀଙ୍କ ପ୍ରତି ସର୍ଜିକାଲ ଆକ୍ରମଣ ଭାରତୀୟ ବାୟୁସେନାର ଏକ ଚମକପ୍ରଦ ପଦକ୍ଷେପକୁ ସାରା ବିଶ୍ୱ ଭୁରି ଭୁର ପ୍ରଶଂସା କରିଛି । ଜାତିସଂଘର ଶାନ୍ତିସେନା ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନାର ଅବଦାନ ବିଶେଷ ଭାବରେ ବେଶ୍ ଆଦୃତ । ସ୍ଥଳସେନା ଓ ନୌସେନାକୁ ଯୁଦ୍ଧ ସମୟରେ ଅଥବା ଆପଦକାଳରେ ପରିପୂରକ ସାହାଚର୍ଯ୍ୟ ଦେବାରେ ବାୟୁସେନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମଧ୍ୟ ରହିଛି । ଆକାଶମାର୍ଗରେ ଭାରତର ସୀମା ସୁରକ୍ଷା ଓ ନିରାପତ୍ତା ଯଦିଓ ବାୟୁସେନାର ମୁଖ୍ୟ କାର୍ଯ୍ୟ, ଏହା ଆପତ୍ତି ବା ବିପତ୍ତିକାଳୀନ ସହାୟତା ଦେବାରେ ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯୋଗାଉଥିବା ସାହାଯ୍ୟକୁ ଅସ୍ୱୀକାର କରାଯାଇନପାରେ । ବନ୍ୟା, ବାତ୍ୟା, ଭୂମିକମ୍ପ ପରେ ସୁନାମି ଏବଂ ଏମିତି କିଛି ପ୍ରାକୃତିକ ଉତ୍ପାତ ବେଳେ ଆକାଶବାହିନୀ ଆମ ସେବା ଏବଂ ଉଦ୍ଧାର ପାଇଁ ସଦାକାଳେ ପାଖେ ପାଖେ ଛିଡ଼ା ହୋଇଥାଏ । ଗୁଜୁରାଟର ମହାବାତ୍ୟା ୧୯୯୮, ଓଡ଼ିଶାର ମହାବାତ୍ୟା ୧୯୯୯, ଭାରତରେ ସୁନାମୀ ୨୦୦୪, ଉତ୍ତରଭାରତ ବନ୍ୟା ୨୦୧୩, ନେପାଳ ଭୂକମ୍ପ, ପାକିସ୍ତାନ ବନ୍ୟା ୨୦୧୪ ଏବଂ ଶ୍ରୀଲଙ୍କାରେ ‘ରେନ୍ବୋ ଅପରେସନ୍’ ଯୋଗେ ବାୟୁସେନା ଯେଉଁ ଉଦ୍ଧାର ଏବଂ ‘ରିଲିଫ’ କାର୍ଯ୍ୟ ତୁଲାଇଛି ତାର ପଟ୍ଟାନ୍ତର ନାହିଁ । ଭାରତୀୟ ବାୟୁସେନା ହେଉଛି ଏକମାତ୍ର ସାମରିକ ବିଭାଗ ଯିଏ କି ତୁରନ୍ତ ସାହାଯ୍ୟ ଓ ସାମ୍ନା ପାଇଁ ଜଳ,ସ୍ଥଳ,ଆକାଶ ପଥରେ ସାହାଯ୍ୟକୁ ସଦାପ୍ରସ୍ତୁତ । ହଜିଲାକୁ ଖୋଜିଲା ପାଇଁ ଏହା ହେଉଛି ତୁରନ୍ତ ମାଧ୍ୟମ । ସତ କହିଲେ ସାମରିକ ଓ ବେସାମରିକ ସେବା ପାଇଁ ଭାରତୀୟ ବାୟୁସେନା ଆମ ପାଇଁ ଏକ ସର୍ବୋତ୍ତମ ବଳିଷ୍ଠ ମାଧ୍ୟମ । ଯୁଦ୍ଧରେ ସାମରିକ କର୍ତ୍ତବ୍ୟ ଏବଂ ଆପତ୍କାଳୀନ ମାନବୀୟ ସହାୟତା ଦେବା ସହ ଏହା ମଧ୍ୟ ଦେଶବାସୀଙ୍କ ମନୋରଂଜନଧର୍ମୀ କାର୍ଯ୍ୟକ୍ରମ ଦେଖାଇଥାଏ । ସ୍ୱାଧୀନତା ଏବଂ ସାଧାରଣତନ୍ତ୍ର ଦିବସ ଅବସରରେ ରାଜଧାନୀ ଦିଲ୍ଲୀରେ ପତାକା ଉତ୍ତୋଳନ ସମୟରେ ଯେଉଁ କଳାକୌଶଳ ଆକାଶବାହିନୀ ଦେଖାଏ ତାହା ନିଶ୍ଚିତ ଭାବେ ଉଲ୍ଲେଖନୀୟ । ସେହିପରି ବିଭିନ୍ନ ସମୟରେ ସର୍ବସାଧାରଣଙ୍କ ମନୋରଂଜନ ପାଇଁ ଦେଶର ବିଭିନ୍ନ ଯାଗାରେ ଏହି ଯୁଦ୍ଧ ବିମାନମାନେ କ୍ରୀଡ଼ା ନୈପୁଣ୍ୟ ଆକାଶମାର୍ଗରେ ଦେଖାଇଥାନ୍ତି । ଓଡ଼ିଶାର କାଠଯୋଡ଼ି ପଠାର ଊଦ୍ଧ୍ୱର୍ରେ ରହି ଆକାଶବାହିନୀ ଦେଖାଇଥିବା ମନୋରଂଜନଧର୍ମୀ କ୍ରୀଡ଼ା ଏହାର ଏକ ଜ୍ୱଳନ୍ତ ଉଦାହରଣ । ଭାରତୀୟ ବାୟୁସେନାର ଉଚ୍ଚତମ ପଦବୀ ହେଉଛନ୍ତି ଭାରତର ରାଷ୍ଟ୍ରପତି । ସୁପ୍ରିମ କମାଣ୍ଡର ଅଫ୍ ଦ ଆଇ.ଏ.ଏଫ୍ । ଏୟାର ଚିଫ୍ ମାର୍ଶାଲ ହେଉଛନ୍ତି ଏହାର ମୁଖ୍ୟ ଯିଏକି ଜଣେ ଚାରିତାରକାଧାରୀ ସାମରିକ ପଦସ୍ଥ ଅଫିସର । ଏହି ବିଭାଗରେ କେବଳ ଜଣେ ମାତ୍ର ଚିଫ୍ ମାର୍ଶାଲ ଥାନ୍ତି । ବାୟୁସେନାର ସମସ୍ତ କାର୍ଯ୍ୟକୁଶଳତା ବା ବିଫଳତା ପାଇଁ ସେ ଦାୟୀ । ଏହି ସୈନିକମାନେ ଦେଶ ପାଇଁ ପ୍ରାଣ ଦେବାକୁ ଧନ୍ୟ, ପୁଣ୍ୟ ଓ ପବିତ୍ର ମନେକରନ୍ତି । ତାଙ୍କ ପାଇଁ ଆମେ ନିରାପଦ, ନିଶ୍ଚିନ୍ତ ଓ ସୁଖସ୍ୱପ୍ନ ଦେଖିଥାଉ । ତାଙ୍କ ବଳିଦାନ ଏ ଦେଶ ପାଇଁ ମହାନ୍ ଅର୍ଘ୍ୟ । ସେମାନେ ଆମଠାରୁ ଶ୍ରଦ୍ଧା ଓ ସମ୍ମାନ ପାଇବାକୁ ଯୋଗ୍ୟ । ବିପିନ ବିହାରୀ ମହାନ୍ତି
ଅଧ୍ୟକ୍ଷ ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ପାଠାଗାର,ଜଟଣୀ
୯୯୩୮୩୪୪୧୩୮