ସେବା ପାଇଁ ‘ଅମୃତଧାରା’ବୃଦ୍ଧାଶ୍ରମ ସମ୍ବର୍ଦ୍ଧିତ
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରୁଫ୍ କର୍ମଚାରୀ ଋଣ ସମବାୟ ସମିତିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ଅବସରରେ ବୃଦ୍ଧାଶ୍ରମ ‘ଅମୃତଧାରା’କୁ ସମ୍ବର୍ଦ୍ଧିତ କରାଯାଇଛି । ଗତ ୧୬ ତାରିଖରେ ଆୟୋଜିତ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅତିଥିମାନଙ୍କଠାରୁ ‘ଅମୃତଧାରା’ର ସମ୍ପାଦକ ସରୋଜ ମହାପାତ୍ର ମାନପତ୍ର ଓ ସମ୍ମାନ ଗ୍ରହଣ କରିଥିଲେ । ଏହି ସମ୍ବର୍ଦ୍ଧନା ବେଳେ ଅମୃତଧାରାର ପରିଚାଳକ ପରମାନନ୍ଦ ବିଶ୍ୱାଳ,ସହ ସମ୍ପାଦକ ଅଶୋକ କୁମାର ପୁରୀ ଓ ସଭ୍ୟ ତୁଷାରକାନ୍ତ ଶତପଥୀ, ଅରବିନ୍ଦ ପଣ୍ଡା, ସୁଧାଂଶୁ ଶେଖର ବିହାରୀ, ସୁରେଶ କୁମାର ସାମଲ, ରାଧାକୃଷ୍ଣ ଦାସ, ଗୋପାଳକୃଷ୍ଣ ଆଚାର୍ଯ୍ୟ, ଅଖିଳ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗଢ଼ିଉଠିଥିବା ଯୌଥ ପରିବାର ସ୍ଥାନରେ ଏକକ ପରିବାରକୁ ଶ୍ରେୟ ଦିଆଯାଇଛି । ଫଳତଃ ପରିବାରର ବୃଦ୍ଧ, ବୃଦ୍ଧା ଅବହେଳିତ ହୋଇ ଆଶ୍ରୟ ନେଇଛନ୍ତି ବୃଦ୍ଧାଶ୍ରମରେ । ସମାଜର ଅବକ୍ଷୟକୁ ସାମାଜିକ ସ୍ତରରେ ରୋକା ନଯାଇପାରିଲେ ମଧ୍ୟ, ଜରାଶ୍ରମ ବା ବୃଦ୍ଧାଶ୍ରମଗୁଡ଼ିକ ସହରାଞ୍ଚଳରେ ମୁଣ୍ଡ ଟେକିଉଠୁଛି ଏବଂ ନିରାଶ୍ରୟ ଓ ଉପେକ୍ଷିତ ବୃଦ୍ଧ, ବୃଦ୍ଧାମାନଙ୍କୁ ସାହାରା ଓ ଆଶ୍ରୟ ଦେଇଛି । ତେବେ ବାଲେଶ୍ୱର ସହରର ଚାନ୍ଦମାରୀ ପଡ଼ିଆ, ସହଦେବଖଣ୍ଟାରେ ଅବସ୍ଥିତ‘ଅମୃତଧାରା’ ସମାଜକୁ ଏକ ଅନନ୍ୟ ଅବଦାନ ହୋଇଛି । ଏହି ଅନୁଷ୍ଠାନ ସମାଜରେ ଅଧୁନା ଏହାର ଉପଯୋଗିତାକୁ ଲକ୍ଷ୍ୟ ରଖି ସ୍ଥାନୀୟ ବାସିନ୍ଦା ତଥା ସହରବାସୀଙ୍କର ପ୍ରଶଂସାଭାଜନ ହୋଇପାରିଛି ।