ସେବା ସହଯୋଗ ତରଫରୁ ଗାନ୍ଧିଜୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ପୂଣ୍ୟ ଜୟନ୍ତୀ ତଥା ଭାରତରତ୍ନ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ତମ ଜନ୍ମ ଜୟନ୍ତୀ ଅବସରରେ ଭୁବନେଶ୍ୱରସ୍ଥିତ ରେଡ଼କ୍ରସ ଭବନଠାରେ ସେବା ସହଯୋଗ ସଚେତନ ପରିଷଦ ଓ ଜନମଙ୍ଗଳ ପରିଷଦର ମିଳିତ ଆନୁକୂଲ୍ୟରେ ସଭା ଓ ଗାନ୍ଧୀସେବା ସମ୍ମାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେବା ସହଯୋଗ ସଚେତନ ପରିଷଦର ସଭାପତି ଶ୍ରୀଯୁକ୍ତ ସୁକାନ୍ତ କୁମାର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ପ୍ରାକ୍ତନ ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ଅବସର ବେଉରିଆ, ମୁଖ୍ୟବକ୍ତା ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ, ସମ୍ମାନିତ ଅତିଥି ଭାବେ ବିଧାୟକ ତଥା ପ୍ରାକ୍ତନ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ଅଜୟ ଜେନା, ସମ୍ମାନିତ ଅତିଥି ଭାବେ ନ୍ୟୁଜ୍-୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀଯୁକ୍ତ ଅର୍ଦ୍ଧେନ୍ଦୁ ଦାସ, ପୂଜ୍ୟପୂଜା ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ପଦ୍ମାକର ଗୁରୁ, ଜନମଙ୍ଗଳ ପରିଷଦର ସଭାପତି ଶ୍ରୀଯୁକ୍ତ ଅଲେଖ ଜେନା ଯୋଗଦେଇ ଭାରତକୁ ସ୍ୱାଧୀନତା ଦେବାରେ ମହାତ୍ମା ଗାନ୍ଧୀଙ୍କ ବଳିଦାନ ବିଷୟରେ ମତବ୍ୟକ୍ତ କରିବା ସହିତ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଯୁବପିଢୀ ଅନୁପ୍ରାଣିତ ହେଲେ ଦେଶର ବିକାଶ ସମ୍ଭବ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ସମାଜରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଯୁବ ସମାଜସେବୀ ନିରଞ୍ଜନ ସାହୁ, ବିଶିଷ୍ଟ ଶିକ୍ଷାବିତ୍ ବିଜୟ କୁମାର ଭୂୟାଁ, ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ, ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ ପ୍ରଧାନ, ଭୂଦାନ କର୍ମୀ ଗୌରାଙ୍ଗ ଚନ୍ଦ୍ର ମହାପାତ୍ର, ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତି, ବିଜୁଳୀ ବିଭାଗର ନିର୍ବାହୀ ଯନ୍ତ୍ରୀ ବାଣୀଭୂଷଣ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଯୁଧିଷ୍ଠିର ଚୌଧୁରୀ, ସମାଜସେବୀ ବିନୋଦ ରାଉତ, ବିଭୂତି ରାୟ, ସଞ୍ଜିତ ପଟ୍ଟନାୟକ, ଡ. ମନୋରଞ୍ଜନ ମିଶ୍ର, ମେନକା ପରିଡ଼ା, ଶ୍ରୀଯୁକ୍ତ କାହ୍ନୁ ଚରଣ ସାନବଡ଼, ରକି •ନ୍ଦ, ବିନ୍ଦାସ ଚିନୁ, ବିଶ୍ୱରଞ୍ଜନ ବେହେରା, କପିଳ ଚନ୍ଦ୍ର ସାହୁ, ପବିତ୍ର ମୋହନ ମହରଥା, ସଚିକାନ୍ତ ପ୍ରଧାନ, ସଞ୍ଜୟ କୁମାର ପରିଡ଼ା, ଶ୍ରୀମତୀ ଶାନ୍ତ୍ୱନା ବେହେରା ପ୍ରମୁଖ ୨୬ଜଣ ପ୍ରତିଭାଧାରୀ ଙ୍କୁ ଅତିଥିମାନଙ୍କ ଦ୍ୱାରା ‘ଗାନ୍ଧୀ ସେବା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଜନମଙ୍ଗଳ ପରିଷଦର ସମ୍ପାଦକ ଲକ୍ଷ୍ମଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଉପସ୍ଥିତ ଥିବା ସମସ୍ତଙ୍କୁ ଭୋଜିଭାତରେ ଆପ୍ୟାୟିତ କରାଯାଇଥିଲା ।


