ସେବା ହିଁ ଧର୍ମ ଏସିଏମଙ୍କ ସହ ନଳକୂପ ମରାମତି କଲେ ସରପଞ୍ଚ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ସମ୍ପ୍ରତି ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ନିର୍ବାଚିତ ହୋଇସାରିବା ପରେ ନିଜର ରାଜକୀୟ ଠାଣିକୁ ସର୍ଵ ସାଧାରଣରେ ଉପସ୍ଥାପନା କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ବିଧାୟକଙ୍କ ଠାରୁ ଆରମ୍ଭ କରି ସାଂସଦ କିମ୍ବା ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦଙ୍କ ଯାଏଁ ସମସ୍ତେ ପାଞ୍ଚ ବର୍ଷ ପାଇଁ ପ୍ରକୃତ ସମାଜସେବାକୁ ଭୁଲିଯାଇ ରାଜକୀୟ ଜୀବନ ଶୈଳୀ ଅବଲମ୍ବନ କରୁଥିବା ଦେଖାଯାଉଛି। ଏଭଳି କ୍ଵଚିତ ବ୍ୟକ୍ତି ଅଛନ୍ତି ଯେକି ନିର୍ବାଚନ ପଦ ପଦବୀରେ ଥାଇ ସୁଦ୍ଧା ସେବା ହିଁ ପରମ ଧର୍ମ ତଥା ନିଜକୁ ଜନ ସେବକ ଭାବି କାମ କରିଥାନ୍ତି। ଏଭଳି ଜଣେ ନିଆରା ବ୍ୟକ୍ତି ହେଉଛନ୍ତି ଭଣ୍ଡାରିପୋଖରୀ ବ୍ଲକ ସରସଦା ପଂଚାୟତ ଯୁବ ସରପଞ୍ଚ ରମେଶ ଚନ୍ଦ୍ର ଜେନା । ପଞ୍ଚାୟତ ଅଧିନ ୯ନଂ ୱାର୍ଡରେ ଥିବା ଏକ ନଳକୂପ ସମ୍ପୂର୍ଣ୍ଣ ଅଚଳ ଥିବା ବେଳେ ସେଠାକାର ଅଧିବାସୀ ପାନୀୟ ଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ୱାର୍ଡ ମେମ୍ବର ତତ୍କ୍ଷଣାତ ସରପଞ୍ଚଙ୍କୁ ଖବର ଦେଇଥିଲେ। ଖବର ପାଇବା ମାତ୍ରେ ସରପଞ୍ଚ ଶ୍ରୀ ଜେନା ପଞ୍ଚାୟତରେ ନିୟୋଜିତ ହୋଇଥିବା କୁଶଳୀ କାରିଗର (ଏସିଏମ) ଓ ସମିତିସଭ୍ୟାଙ୍କ ପ୍ରତିନିଧି ଅକ୍ଷୟ କୁମାର ଜେନାଙ୍କୁ ସାଥିରେ ଧରି ୯ନଂ ୱାର୍ଡ ଠାରେ ତତ୍କ୍ଷଣାତ ପହଁଚି ଯାଇଥିଲେ। ଖବର ମୁତାବକ ସେଠାରେ ଏକ ବକ୍ସ ନଳକୂପ ଖରାପ ହୋଇଯାଇଥିବା ବେଳେ ଏହା ଉପରେ ନିର୍ଭରଶୀଳ ଲୋକେ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା କଥା ସରପଞ୍ଚ ଅନୁଭବ କରିଥିଲେ। ଉକ୍ତ କଷ୍ଟସାଧ୍ୟ ବୃହତ୍ତ ନଳକୂପ ନିର୍ମାଣ ପାଇଁ ତିନି ରୁ ଚାରି ଜଣ ଏସିଏମ ଆବଶ୍ୟକ ଥିବା ବେଳେ ପାଖରେ ଥିଲେ ମାତ୍ର ଜଣେ କାରିଗର। ତେଣୁ ସରପଞ୍ଚ ଶ୍ରୀ ଜେନା ଆଉ କାଳବିଳମ୍ବ ନକରି ଅଚଳ ନଳକୂପକୁ ସଚଳ କରିବା ପାଇଁ ଏସିଏମଙ୍କ ସହିତ ମରାମତି କାର୍ଯ୍ୟରେ ଲାଗି ପଡ଼ିଥିଲେ। ଏଥିରେ ତାଙ୍କୁ ସମିତିସଭ୍ୟାଙ୍କ ପ୍ରତିନିଧି ସହଯୋଗର ହାତ ବଢାଇଥିଲେ। ମରାମତି କାର୍ଯ୍ୟ ଶେଷ ହେବା ପରେ ସ୍ଥାନୀୟ ବାସିନ୍ଦା ପଞ୍ଚାୟତ ମୁଖିଆଙ୍କୁ ଧନ୍ୟବାଦ ଦେଇଥିଲେ। ସରପଞ୍ଚଙ୍କ ଏଭଳି ସେବାନୁବର୍ତ୍ତି କାର୍ଯ୍ୟକୁ ନେଇ ପଞ୍ଚାୟତ ଅଧିନ ବିଭିନ୍ନ ଗାଁରେ ଚର୍ଚ୍ଚା ଜୋର ଧରିଛି।


