ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶକୁ ବରଦାସ୍ତ କରାଯିବ ନାହିଁ : ଛାତ୍ର କଂଗ୍ରେସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଛାତ୍ର କଂଗ୍ରେସର ମୁଖ୍ୟ ମୁଖପାତ୍ର ଶ୍ରୀ ବିଶ୍ୱଭୂଷଣ ମହାପାତ୍ର ରାଜ୍ୟ ସରକାରଙ୍କ ଦ୍ୱାରା ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ନିଷ୍ପତ୍ତିର ତୀବ୍ର ନିନ୍ଦା କରି କହିଛନ୍ତି ଯେ, ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କିଛିଦିନ ତଳେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ଲଗାଇ ସର୍କୁଲାର ଜାରି କଲେ । ଏହା ବିରୁଦ୍ଧରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜଙ୍କ ନେତୃତ୍ୱରେ ବିକ୍ଷୋଭ କରାଯାଇ ଥିଲା ଏବଂ ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ଅରୁଣ ସାହୁଙ୍କ ବାସଭବନକୁ ତିନିଘଣ୍ଟା ଧରି ଘେରାଉ କରି ରଖାଯାଇଥିଲା । ରାଜ୍ୟ ସରକାରଙ୍କ ଏହି ଛାତ୍ରବିରୋଧୀ ନିତି ବିରୋଧ ରେ ସାରା ରାଜ୍ୟରେ ଛାତ୍ରକଂଗ୍ରେସ ଆନ୍ଦୋଳନ କରିଥିଲା । ଛାତ୍ର କଂଗ୍ରେସର ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇ ସରକାର ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇ ଥିଲେ । ମାତ୍ର ଆଶ୍ଚର୍ଯ୍ୟ ର କଥା ଏହିକି ଯେ, ପୁଣି ସରାକରୀ ବିଶ୍ୱବିଦ୍ୟାଳୟ ମାନଙ୍କରେ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଅଙ୍କୁଶ ଲଗାଯାଇ ସର୍କୁଲାର ଜାରି କରାଯାଇଛି । ଏହାକୁ ପ୍ରଦେଶ ଛାତ୍ର କଂଗ୍ରେସ ଦୃଢ ନିନ୍ଦା କରୁଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ, ଉଚ୍ଚଶିକ୍ଷାମନ୍ତ୍ରୀ ଶ୍ରୀ ଅରୁଣ ସାହୁ, ଉଚ୍ଚଶିକ୍ଷା ସଚିବ /ରାଜ୍ୟପାଳଙ୍କ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଓ ଘରୋଇ ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିିକା ଚାଲିଛି । ଶିକ୍ଷାମନ୍ତ୍ରୀ ଓ ଶିକ୍ଷା ସଚିବ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କ ହାତରେ ସଖି କଣ୍ଢେଇ ହୋଇ ଓଡ଼ିଶାର ଗରୀବ ମେଧାବୀ ଛାତ୍ରଛତ୍ରୀ ମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି । ଅଧିକ ଅର୍ଥ ଦେଇ ଗରିବ ଛାତ୍ରଛାତ୍ରୀମାନେ ପ୍ରଫେସନାଲ କୋର୍ସ କରିପାରିବେ ନାହିଁ । ସେଥିପାଇଁ ଅଳ୍ପ ଅର୍ଥରେ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଗରୀବ ଛାତ୍ରଛାତ୍ରୀମାନେ ଏହି କୋର୍ସ କରିବା ପାଇଁ ସୁବିଧା ଥିଲା । ମାତ୍ର ନବୀନ ସରକାର ଛାତ୍ରଛାତ୍ରୀମାନଙ୍କୁ ସେ ସୁବିଧାରୁ ବଂଚିତ କରିଛନ୍ତି । ଯେଉଁ ସେଲ୍ଫ ଫାଇନାନ୍ସ କୋର୍ସ ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ୫୦ ହଜାରୁ ୧ଲକ୍ଷ ଟଙ୍କା ମଧ୍ୟରେ ହୋଇଯାଉଛି, ତାହା ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କରେ ପାଖା ପାଖି ୧୦ରୁ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏହାଦ୍ୱାରା ଗରୀବ ମେଧାବୀ ଛାତ୍ରଛାତ୍ରୀମାନେ ପାଠପଠାରୁ ନିବୃତ୍ତ ରହି ଦାଦନ ଖଟିବାକୁ ବାଧ୍ୟ ହେବ । ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ପ୍ରତି ବା ଶିକ୍ଷା ପ୍ରତି ରାଜ୍ୟ ସରକାରଙ୍କ ଦରଦ ନାହିଁ । ଶିକ୍ଷା ମାଫିଆଙ୍କ ଦ୍ୱାରା ସରକାରଙ୍କ ନିତି ନିଷ୍ପତ୍ତି ତିଆରି କରାଯାଏ । ଶିକ୍ଷା ମାଫିଆଙ୍କ କଥାରେ ମନ୍ତ୍ରୀ ଓ ଶିକ୍ଷା ସଚିବ ରାଜ୍ୟର ଛାତ୍ରମାନଙ୍କ ସ୍ୱାର୍ଥକୁ ନେଇ ଖେଳ ଖେଳୁଛନ୍ତି । ମାତ୍ର ଛାତ୍ର କଂଗ୍ରେସ ଚୁପ୍ ବସିବ ନାହିଁ । ରାଜ୍ୟସାରା ଆନ୍ଦୋଳନ କରିବ ଏବଂ ସେଲ୍ଫ ଫାଇନାନ୍ସ କୋର୍ସ ଉପରେ ଲାଗୁ ହୋଇଥିବା ଅଙ୍କୁଶ ନ ଉଠିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ବନ୍ଦ ହେବ ନାହିଁ । ମନ୍ତ୍ରୀ ଓ ଶିକ୍ଷା ସଚିବଙ୍କୁ ରାଜରାସ୍ତାରେ ବିରୋଧ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ବିଭୂତ ଭୂଷଣ ମହାପାତ୍ର, ଭାଗ୍ୟଶ୍ରୀ ମହାନ୍ତି ଏବଂ ରିୟାଜୁ ଇସଲାମ ପ୍ରମୁଖ ଉପସ୍ଥିତ ଥିଲେ ।


