ସେସୁ ଘରୋଇକରଣ ବିରୋଧରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଗଣଧାରଣା

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ସେସୁ ଘରୋଇ କରଣ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ, କଂଗ୍ରେସ ଓ ସିପିଆଇ(ଏମ) ପକ୍ଷରୁ ଶୁକ୍ରବାର ପୂର୍ବାହ୍ନରେ ମିଳିତ ଗଣ ଧାରଣା ଦିଆଯାଇଥିଲା । ବିଦ୍ୟୁତ ଭଳି ଏକ ଅତ୍ୟାବଶକୀୟ ସେବାକୁ ସରକାରୀ ପରିଚାଳନାରେ ଥିବା ରାଜ୍ୟ ବିଦ୍ୟୁତ ବୋର୍ଡ ହାତରୁ କାଢି ନିଆଯାଇ ବିଦ୍ୟୁତ ବୀତରଣକୁ ଘରୋଇକରଣ କରାଯିବା, ୧୯୯୮ ମସିହାରେ ରାଜ୍ୟକୁ ୪ଟି ବିଦ୍ୟୁତ ବୀତରଣକାରୀ କମ୍ପାନୀ ହାତରେ ଟେକି ଦିଆଯିବା ଏବଂ ସେଥିରୁ ରାଜ୍ୟର କେନ୍ଦ୍ରୀୟ ଅଞ୍ଚଳକୁ ନେଇ ଗଠିତ ସେଣ୍ଟ୍ରାଲ ଇଲେକ୍ଟ୍ରିକାଲ ଯୋଗାଣ କମ୍ପାନୀ (ସେସକୋ) କୁ ଏ.ଇ.ଏସ. ପରି ଏକ ଘରୋଇ କମ୍ପାନୀ ହାତକୁ ଟେକି ଦିଆଯିବା, ବିଦ୍ୟୁତ ଭଳି ଏକ ଅତ୍ୟାବଶକୀୟ ସେବାକୁ ଘରୋଇ କମ୍ପାନୀ ହାତରେ ନ୍ୟସ୍ତ କରିବାରେ ଓଡିଶା ପ୍ରଥମ ଏବଂ ବ୍ୟବସାୟିକ ସଂସ୍ଥାରେ ପରିଣତ କରିବାରେ ଓଡିଶା ମଧ୍ୟ ଦେଶର ପ୍ରଥମ । ବିଦ୍ୟୁତ ସଂସ୍କାର ନାମରେ ସରକାରୀ ପରିଚାଳନାରେ ଥିବା ଓଡିଶା ରାଜ୍ୟ ବିଦ୍ୟୁତ ବୋର୍ଡକୁ ଭଙ୍ଗ କଲାବେଳେ ଘରୋଇ କମ୍ପାନୀ ହାତରେ ପରିଚାଳନା ଭାର ରହିଲେ ରାଜ୍ୟର ବିଦ୍ୟୁତ ଶୁଳ୍କକୁ ଆଧୁନିକ କରଣ କରିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ ହେବା ସହିତ ଗୁଣାତ୍ମକ ବିଦ୍ୟୁତ ଯୋଗାଣ,ବିଦ୍ୟୁତ ସରବରାହ ଓ ଆବଣ୍ଟନ ଜନିତ କ୍ଷତି ରୋକିବା ପାଇଁ ପ୍ରତିଶ୍ରୁତି ଦିଆଗଲା । କିନ୍ତୁ ୧୯୯୯ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଆମର କି ଅଭିଜ୍ଞତା ହୋଇଛି ତାହା ସମସ୍ତେ ଜାଣନ୍ତି ଏବଂ ଏବେ ରାଜ୍ୟ ସରକାର ପରିଚାଳନା କରି ନ ପାରି ୫୧ ଭାଗ ଅଂଶଧନ ଟାଟା କମ୍ପାନୀକୁ ବିକ୍ରୀ କରିବା ପାଇଁ ଯୋଜନା କରିଛନ୍ତିି । ଏହା ଫଳରେ ଉପଭୋକ୍ତାମାନେ ପ୍ରଭୁତ୍ୱ କ୍ଷତି ସାଧନର ସମ୍ମୁଖୀନ ହେବେ, ଆହୁରି ଦର ବଢିବ । ଏହା ବାଦ ରେଳ ଭଢା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ବିରୋଧର ମଧ୍ୟ ପ୍ରତିବାଦ କରାଯାଉଛି । ଏହି ଜନସ୍ୱାର୍ଥ ନିତି ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଗଣ ଧାରଣ ଦିଆଯିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ପ୍ରଦାନ କରାଯାଇଥିଲା । ଏହି ଗଣଧାରଣାରେ ଭାରତୀୟ ଜାତୀୟ କଂଗ୍ରେସର ଜିଲ୍ଲା ସଭାପତି ଚିନ୍ମୟ ପ୍ରସାଦ ବେଉରା, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ଦାସ, ସିପିଆଇର ଜିଲ୍ଲା ସାଧାରଣ ସଂପାଦକ ରମଣୀ ରଞ୍ଜନ ରାଉତରାୟ, ସିପିଆଇ(ଏମ) ଜିଲ୍ଲା ସଂପାଦକ ଗୟାଧର ଧଳ, ବରିଷ୍ଠ ନେତା ଉମେଶ ସିଂହ, ମହମ୍ମଦ ଆକବର ଅଲ୍ଲୀ, ମୁକ୍ତାର ଖାଁ, ସଞ୍ଜୟ ରାଉତ, କମଳାକାନ୍ତ ବେହେରା, ସୁବାସିନୀ ଭଦ୍ର, ସଂଯୁକ୍ତା ରାଉତ, ସୁହାନା ବେଗମ ଜଗତଜୀବନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ