ସେ ବୁଦ୍ଧିମାନ ନଥିଲେ ମୂର୍ଖ ଥିଲେ

ଦିପ୍ତିମୟୀ ନାୟକ
ଆମେମାନେ ଆମ ଜୀବନରେ ଅନେକ ଲୋକଙ୍କ ସହ ମିଶିଛେ | କିଏ ଆମ ସହ ନିଜ ସ୍ଵାର୍ଥ ଦେଖି ମିଶିଛି ତ ଆଉ କିଏ ବିନା ସ୍ୱାର୍ଥରେ ଆମକୁ ନିଜର ଭାବିଛି | ସବୁଠାରୁ ବଡ଼ କଥା ହେଲା ଆପଣମାନେ ଅନେକ ସମୟରେ ଶୁଣିଥିବେ ବୁଦ୍ଧିମାନ ଲୋକ ନିଜ ବୁଦ୍ଧିବଳରେ ଉପରକୁ ଉଠିଥାଆନ୍ତି ଆଉ ମୂର୍ଖ ଲୋକ ନିଜ ବାହୁବଳରେ ଉପରକୁ ଉଠିଥାଆନ୍ତି | ହେଲେ ଏବେକାର କିଛି ବୁଦ୍ଧିମାନ ଲୋକ ନିଜ ବୁଦ୍ଧିବଳରେ ଅନ୍ୟ ସହ ଆତ୍ମସନ୍ତୋଷ ଜନକ ବାର୍ତ୍ତାଳାପ କରୁନାହାଁନ୍ତି କାରଣ ସେମାନଙ୍କ ମନରେ ଏତେ ଇର୍ଷାଭାବ ବଢ଼ି ଯାଇଛି ଯେ ସେମାନଙ୍କ ଜ୍ଞାନକୁ ନେଇ ଯଦି କିଏ ଚର୍ଚ୍ଚା କରେ ତାହେଲେ ଭଲ କିନ୍ତୁ ସେମାନଙ୍କ ଆଗରେ ଯଦି ଅନ୍ୟ କେହି ଅନ୍ୟ ବୁଦ୍ଧିମାନ ଲୋକଙ୍କ ବିଷୟରେ ଆଲୋଚନା କରେ ସେତେବେଳେ ଏମାନଙ୍କ ରାଗ ବଢିଯାଏ | ହେଲେ ଏମାନେ ନିଜ ରାଗକୁ ସେଠାରେ ଦେଖାନ୍ତି ନାହିଁ କିନ୍ତୁ ସ୍ଲୋ ପୟୋଜନ ନୋ ରିଆକ୍ସନ ଭଳି କାର୍ଯ୍ୟ କରିବାରେ ଲାଗିପଡିଥାନ୍ତି | ଯେଉଁଟାକି ଅତ୍ୟନ୍ତ ଦୁଃଖର କଥା |
ତେବେ ଆପଣମାନେ ଭାବୁଥିବେ ସେ ବୁଦ୍ଧିମାନ ନଥିଲେ ମୂର୍ଖ ଥିଲେ ବୋଲି ମୁଁ ଏଠାରେ କାହାକୁ ଆକ୍ଷେପ କରି କହିଛି ଆଉ ଯଦି କହିଛି କାହିଁକି କହିଛି ବୋଲି ଆପଣ ମାନଙ୍କ ମନରେ ଅନେକ ପ୍ରଶ୍ନ ରହିଥିବ | ତେବେ ମୁଁ ଏହି କଥା ଏଠାରେ ସେହିମାନଙ୍କୁ କହିଛି ଯେଉଁମାନେ ଏ ସମାଜରେ ଶ୍ରେଷ୍ଠ ବ୍ୟକ୍ତିତ୍ୱର ଆଖ୍ୟା ପାଇଛନ୍ତି | ନିଜକୁ ଶ୍ରେଷ୍ଠ ବୋଲି କହି ଯିଏ ଅନ୍ୟର ଗୋଡ଼ ବାରମ୍ବାର ଟାଣିବାକୁ ଚେଷ୍ଟା କରିଛନ୍ତି | ନିଜେ ଉପରକୁ ଉଠିବା ଚକରରେ ଅନ୍ୟକୁ ତଳକୁ ଠେଲି ଦେବାକୁ ଅପଚେଷ୍ଟା କରିଛନ୍ତି | ନିଜ ଭୁଲକୁ ଲୁଚାଇ କଥା ଛଳରେ ଅନ୍ୟକୁ ଦୋଷୀ କରିବାକୁ ଅନାଇ ବସିଥାଆନ୍ତି | ବର୍ତ୍ତମାନ ସମୟରେ ଯଦି ଆମେ ଦେଖିବା ସେହି ବୁଦ୍ଧିମାନ ଲୋକଙ୍କ ବୁଦ୍ଧିର ପରୀକ୍ଷା କରିବା ସେତେବେଳେ ଜାଣିପାରିବା ସବୁ ବୁଦ୍ଧିମାନ ଲୋକ ମୂର୍ଖବୁଦ୍ଧିମାନ ନୁହଁନ୍ତି | କିଛି ବୁଦ୍ଧିମାନ ଲୋକ କୁହନ୍ତି ଆମ ପରେ କେହି ଜଣେ ବୁଦ୍ଧିମାନ ଲୋକ ହେବ କିନ୍ତୁ ଏମାନେ କହିବେ ଆମେ ବଞ୍ଚିଥିବା ଯାଏଁ କେବଳ ଆମ ବୁଦ୍ଧିର ଚର୍ଚ୍ଚା ଚାଲିବ | ସେଥିପାଇଁ ଏମାନେ ମାଛିକୁ ମଶା, ମଶାକୁ ମାଛି କହିଲେ ବି ହଁ କରିବାକୁ ପଡିବ ନଚେତ ଏମାନଙ୍କ କ୍ରୋଧର ଶିକାର ହୋଇ ନିଜ ଭବିଷ୍ୟତ ଅନ୍ଧାର ହେଲାଭଳି ଲାଗିବ କିନ୍ତୁ କର୍ମ ଉପରେ ଏବଂ କିଛି ଭଲ ଲୋକଙ୍କ ଉପରେ ଯେପର୍ଯ୍ୟନ୍ତ ଆମର ବିଶ୍ୱାସ ଥିବ ସେପର୍ଯ୍ୟନ୍ତ ଆମ ମାନଙ୍କୁ ଗୋଟେ ପରେ ଗୋଟେ ସୁଯୋଗ ନିଶ୍ଚିନ୍ତ ମିଳିବ | ଏ ବୁଦ୍ଧିମାନ ଲୋକ କାହାକୁ ସୁଯୋଗ ଦିଅନ୍ତିନି କାରଣ ଏମାନଙ୍କ ମନରେ ଇର୍ଷା ଥାଏ ଯଦି କିଏ ଉପରକୁ ଉଠିଯାଏ ଏମାନଙ୍କ ଓଜନ କମିଯିବ | ହେଲେ ସେମାନେ ଏକଥା ଭାବନ୍ତିନି ଜ୍ଞାନର ଓଜନ କେବେ ହୁଏନି | ଜ୍ଞାନ ବାଣ୍ଟିଲେ ଜ୍ଞାନ ବଢେ | ସମାଜର ଉନ୍ନତି ହୁଏ | ଲୋକଙ୍କ ଭାବନାରେ କିଛିଟା ପରିବର୍ତ୍ତନ ଆସେ | ହେଲେ ଏମାନଙ୍କୁ କଣ ମିଳିବ ଏମାନଙ୍କୁ କେବଳ ନିଜ ପ୍ରଶଂସା ପ୍ରିୟ ହୋଇଥାଏ | ଅନ୍ୟର ପ୍ରଶଂସା ଶୁଣିଲେ ମୁହଁକୁ ବୁଲେଇ ଦେଵେ କାନକୁ କିଛି ନଶୁଭିଲା ପରି ଅଭିନୟ କରିବେ ସେଥିପାଇଁ ଏମାନେ ହେଲେ ବୁଦ୍ଧିମାନ ମୂର୍ଖ | ବୁଦ୍ଧିମାନ ଲୋକ ନିଜ ମତ ଯେମିତି ରଖନ୍ତି ଅନ୍ୟର ମତକୁ ମଧ୍ୟ ସେମିତି ସମ୍ମାନର ସହ ଶୁଣନ୍ତି | ଏମାନଙ୍କର ବିଚାର ଶକ୍ତି ଅଧିକ ଥାଏ କିନ୍ତୁ ମୂର୍ଖ ବୁଦ୍ଧିମାନ ଲୋକଙ୍କର ନା ବିବେକ ଥାଏ ନା ଅନ୍ୟର କଥାକୁ ସ୍ଥିର ହୋଇ ଶୁଣିବାକୁ ଏମାନଙ୍କ ପାଖରେ କିଛିଟା ଧର୍ଯ୍ୟ ରହିଥାଏ | ତାହାଲେ ଆପଣ ଭାବନ୍ତୁ ଏମାନେ କିପରି ବୁଦ୍ଧିମାନ ହେଲେ | କାହିଁକି ଏମାନେ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ହେବାର ଆଖ୍ୟା ପାଇଲେ | ଏମାନଙ୍କୁ ଯେଉଁମାନେ ପ୍ରତିଷ୍ଠିତ କରାଇଲେ ସେମାନେ ଭୁଲ ଥିଲେ ନା ଏମାନଙ୍କ କର୍ମ ଏମାନଙ୍କୁ ଏମିତି ପ୍ରତିଷ୍ଠିତ କରାଯାଇଛି | ଆପଣମାନେ ଅନେକ ସମୟରେ ଶୁଣିଥିବେ ବୁଦ୍ଧିମାନ ଲୋକ ଭଲ ବୁଦ୍ଧି କରନ୍ତି ସେଥିପାଇଁ ସେମାନେ ଏ ସମାଜରେ ଜଣେ ପରିଚିତ ଚେହେରା ହୋଇଥାଆନ୍ତି କିନ୍ତୁ ବର୍ତ୍ତମାନ ସମୟରେ କିଛି ମୂର୍ଖ ବୁଦ୍ଧିମାନଙ୍କ ପାଇଁ ପ୍ରକୃତ ବୁଦ୍ଧିମାନ ଲୋକର ବୁଦ୍ଧିର ସମାଧି ପାଲଟି ଯାଉଛି | ବୁଦ୍ଧିମାନ ଲୋକ ଯେଉଁ ବାର୍ତ୍ତା ସମାଜକୁ ଦେବାକୁ ଚାହୁଁଥାଆନ୍ତି ଏହିଭଳି ମୂର୍ଖ ବୁଦ୍ଧିମାନ ଲୋକଙ୍କ ପାଇଁ ସମାଜକୁ କିଛି ଭଲ ବାର୍ତ୍ତା ଆସିବାରେ ବିଳମ୍ବ ହେଉଛି | କାହିଁକି ନା ଏହି ମୂର୍ଖ ବୁଦ୍ଧିମାନ ଲୋକ ଟିକେ ଚୁଗୁଲିଆ ପ୍ରକୃତିର ହୋଇଥିଲେ ବି ଏମାନଙ୍କ ଚୁଗୁଲୀ ସବୁଠି ଚଳେନି ଏମାନେ ଯଦି କୌଣସି ସଂସ୍ଥାର ଗୋଟେ ଦ୍ୱାର ବନ୍ଦ କରନ୍ତି ଆଉ ଅନେକ ସଂସ୍ଥା ପ୍ରକୃତ ବୁଦ୍ଧିମାନର ବୁଦ୍ଧିକୁ ଚିହ୍ନନ୍ତି |
ତେବେ ଆପଣ ପୁଣି ଦ୍ବନ୍ଦରେ ପଡିଯିବେଣି ମୁଁ କୌଣସି ସଂସ୍ଥା କଥା ଏଠାରେ କାହିଁକି କହିଲି | ତେବେ ହଁ ସଂସ୍ଥା ଭଲ ହେଲେ ଲୋକ ଅସଲି ନୁହଁନ୍ତି ତା ଭିତରେ କିଛି ନକଲି ଥାଆନ୍ତି | ସେମିତି ଏକ ଘଟଣା ମୋ ଜୀବନରେ ଥରେ ନୁହେଁ ବାରମ୍ବାର ଆସିଛି | ଯେଉଁଥିପାଇଁ ମୋ ମନ ମଧ୍ୟ କଷ୍ଟ ହୋଇଛି କିନ୍ତୁ ମୁଁ ଆଗକୁ ବଢିବା ଶିଖିଯାଇଛି କାରଣ ମୋତେ ଆଗକୁ ନେବାପାଇଁ ମୋ ସହ ସମସ୍ତେ ସବୁବେଳେ ଅଛନ୍ତି | ଆଉ ସେମାନେ କୁହନ୍ତି କେତେ ରାତି ଅନିଦ୍ରା ହୁଅ | କାହିଁକି ଏମିତି ଲେଖ | ସେତେବେଳେ ମୋର ଉତ୍ତର ଥାଏ ସମାଜରେ କିଛିଟା ପରିବର୍ତ୍ତନ ଦେଖିବା ପାଇଁ ମୁଁ ସାରା ରାତି ଅନିଦ୍ରା ରହିପାରେନି କିନ୍ତୁ ମଧ୍ୟ ରାତିର ସେହି ମିଞ୍ଜି ମିଞ୍ଜି ମୋବାଇଲର ଆଲୋକ ଭିତରେ ମୋ ମୋବାଇଲର କିପ୍ୟାଡ଼ଟା ଯେମିତି ଠକ ଠକ ହୁଏ | ସତେ ଯେମିତି ମୋ ହୃଦୟର ଭାବାବେଗକୁ ବୁଝି ମୋ ଆଙ୍ଗୁଳି ନିର୍ଦେଶରେ ମୋ ମୋବାଇଲର କିପ୍ୟାଡ଼ଟା ଦୌଡିବାକୁ ଲାଗେ ଆଉ ତା ସହ ମୁଁ କୌଣସି ପ୍ରତିଯୋଗିତା କରେନି ବରଂ ଆଖିକୁ କେତେବେଳେ ମକଚି ଦିଏ ତ ଆଉ କେତେବେଳେ ପାଣି ଢ଼ୋକଢ଼ୋକ କରି ପିଇ ପକାଉଥାଏ ଆଉ ଶେଷରେ ଲେଖିବା ଛାଡି ତକିଆ କଡରେ ମୋବାଇଲଟା ଥୋଇ ଶାନ୍ତିରେ ଶୋଇପଡ଼ିଥାଏ କାରଣ ଲେଖାରୁ ହିଁ ମୋତେ ଅନେକ ଶାନ୍ତି ମିଳିଥାଏ | ହେଲେ ସେ ମୂର୍ଖ ବୁଦ୍ଧିମାନ ମୋ କଷ୍ଟର କାରଣ ଖୋଜନ୍ତି ନାହିଁ | କାରଣ ଥାଇ ଯୁକ୍ତି କରନ୍ତି ନାହିଁ | ଅକାରଣରେ ମୋତେ ଦୋଷୀ କରିବା ପାଇଁ ଯୁକ୍ତିକୁ ତର୍କରେ ପରିଣତ କରନ୍ତି | ବାରମ୍ବାର ମୋ ଆଗରେ ଭଲ ହୋଇ ପଛରେ ମନ୍ଦ ହୋଇଥାଆନ୍ତି | ଅନ୍ୟ ଯଦି କେହି ମୋ ପ୍ରଶଂସା କରେ ସେତେବେଳେ ଏହି ମୂର୍ଖ ବୁଦ୍ଧିମାନ କେବଳ ମୋ ଗୋଡ଼ ଜଗନ୍ତି | ଆଉ ଏହି ଗୋଡ଼ଜଗା ଲୋକଙ୍କୁ ମୁଁ ବହୁତ ସମ୍ମାନ ଜଣାଏ କାରଣ ଏମାନେ ଯଦି ମୋତେ ଏଠି ସେଠି ଜଗନ୍ତେ ନାହିଁ ତେବେ ମୁଁ ମଧ୍ୟ ମୋ ଲକ୍ଷ୍ୟସ୍ଥଳରେ କେବେ ପଂହଁଚି ପାରନ୍ତି ନାହିଁ | ସେ ଯାହାବି ହେଉ ବୁଦ୍ଧିମାନ ଲୋକ ମୁଣ୍ଡରେ ଯଦି ବୁଦ୍ଧି ନାହିଁ ସେ ବୁଦ୍ଧିମାନ ଲୋକକୁ ମୁଁ କେବେବି ବୁଦ୍ଧିମାନ ଲୋକ କହିବି ନାହିଁ |କାରଣ ମୋର ମଧ୍ୟ ଗୋଟେ ବଦଭ୍ୟାସ ଅଛି ଉପରକୁ ଉଠି ତଳକୁ ପଡିଗଲେ ପଛେ ପଡିବି କିନ୍ତୁ ମୂର୍ଖ ବୁଦ୍ଧିମାନ ଲୋକଙ୍କ ସହ ଅଯଥା ଯୁକ୍ତି କେବେ କହିବିନି କାରଣ ମୁଁ ଏକଥା ମଧ୍ୟ ଜାଣିଛି ଯେଉଁମାନେ ନିଜକୁ ବୁଦ୍ଧିମାନ କହୁଛନ୍ତି | ନିଶ୍ଚିନ୍ତ ଭାବରେ ସେମାନେ ମୋ ଠାରୁ ବୟସରେ ବହୁତ ବଡ଼ | ସବୁ କଥାରେ ଅଭିଜ୍ଞତା ଅଧିକ ରହିଥିବ କିନ୍ତୁ ସେମାନେ ଆଉ ଗୋଟେ କଥା ମନେ ରଖନ୍ତୁ ମୂର୍ଖ ବୁଦ୍ଧିମାନ ଲୋକଙ୍କର ବୟସ ଯେତେ ବଢେ ସେମାନେ ନିଜ ବୁଦ୍ଧିକୁ ନେଇ ବେଳେବେଳେ ପାଗଳାମୀ କରିବା ସ୍ୱାଭାବିକ କଥା ତେଣୁ ଏଥିରେ କୌଣସି ଦୁଃଖ କରିବା ଆବଶ୍ୟକ ନାହିଁ |
ତେବେ ଏକଥା ମଧ୍ୟ ସମସ୍ତେ ମନେ ରଖିବା ଉଚିତ କେବଳ ମୋତେ କିଏ ଇର୍ଷା କରୁଛି ମୁଁ ତା ବିଷୟରେ ଲେଖୁଛି ଏଟା ଯଦି ଲେଖିବି ତେବେ ଏଟା ମଧ୍ୟ ମୋ ମୂର୍ଖାମୀ ହେବ କିନ୍ତୁ ଏକଥା ମୁଁ ଏଠାରେ ଏଥିପାଇଁ ଲେଖିଛି ଅନେକ ଜଣ କୁହନ୍ତି ବୁଦ୍ଧିମାନ ଲୋକ କାହିଁକି ଏମିତି ଇର୍ଷାରେ ଜଳନ୍ତି | ମୁଁ କହିଦିଏ ସବୁ ଲୋକ ସମାନ ନୁହଁନ୍ତି ଆଉ ଯେଉଁ ମୂର୍ଖ ବୁଦ୍ଧିମାନ ଲୋକ ଇର୍ଷାରେ ଜଳନ୍ତି ସେମାନେ କେବଳ ନିଜ ଆସନକୁ ସୁରକ୍ଷିତ ରଖିବା ପାଇଁ ନିଜ ଅହଂକାର ଭିତରେ ଅନ୍ୟକୁ ଛୋଟ ମଣିଷ ଭାବି ଅନ୍ୟର ରାସ୍ତାକୁ ଜଗି ବସନ୍ତି | ତେଣୁ ଆପଣ ଖୁସି ହୁଅନ୍ତୁ ନିଜର ଲୋକଙ୍କର ନିଜ ଲୋକଙ୍କ କଥା ଭାବିବାକୁ ସମୟ ହୁଏନି କିନ୍ତୁ ଆପଣ ସେହି ମୂର୍ଖ ବୁଦ୍ଧିମାନ ଲୋକଙ୍କ ମୁଣ୍ଡରେ ଏମିତି ରହିଯାଇଛନ୍ତି ଯେମିତି ସେହି ମୂର୍ଖ ବୁଦ୍ଧିମାନ ଲୋକ ଆପଣଙ୍କୁ କେବେ ପର କରେନି | କାହିଁକି ନା ସେ ଆପଣଙ୍କୁ ନିଜ ମୁଣ୍ଡରେ ଏମିତି ରଖିଛନ୍ତି ଯେମିତି ଗୋଟେ ପର୍ବତକୁ ଉଠେଇ ଆଣି ନିଜ ମୁଣ୍ଡକୁ ନିଜେ ଭାରି କରିଛନ୍ତି |
ତେଣୁ ମୁଁ ସେହି ମହାନ ବୁଦ୍ଧିମାନ ଲୋକଙ୍କୁ କେବଳ ଏତିକି କହିବାକୁ ଚାହେଁ | ନିଜ ବୁଦ୍ଧିକୁ ସଠିକ କାର୍ଯ୍ୟରେ ଲଗାନ୍ତୁ ଜୀବନରେ ଆହୁରି ପ୍ରତିଷ୍ଠିତ ହୋଇଯିବେ | ଅନ୍ୟ କାମରେ ବାଧା ଉପୁଜିଲେ ଶେଷରେ ଆପଣ ଯାହାଙ୍କ କଥା ଏତେ ଭାବି ନିଜ ମୁଣ୍ଡକୁ ଏତେ ଓଜନ କରୁଛନ୍ତି ସେହି ମାନେ ହିଁ ଆପଣଙ୍କ ସୁରକ୍ଷିତ ଆସନକୁ ଛଡାଇ ନେବେ | ଶେଷରେ ଆପଣଙ୍କର ଏତେ ପରିଶ୍ରମ ବୃଥା ହୋଇଯିବ ନିଜ ଆୟର୍ତ୍ତରେ ଥିବା ଆସନଟା ଆଉ କାହାର ହୋଇଯିବ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
ଅନ୍ଧାରୁଆ, ଭୁବନେଶ୍ୱର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ