ସୋନ ନଦୀରୁ ବେଆଇନ ବାଲି ଉତ୍ତୋଳନ ବନ୍ଦ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା):ରେମୁଣା ତହସିଲ ଅନ୍ତର୍ଗତ ମନ୍ଦାରପୁର,ଗନିପୁର ତଥା ଜଗନ୍ନାଥପୁର ପାଶ୍ୱର୍ରେ ପ୍ରବାହିତ ସୋନ ନଦୀରୁ ବେଆଇନ ବାଲି ଉଠାଣକୁ ଦୃଢ଼ ବିରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଏହାକୁ ରୋକିବା ଦାବିରେ ଗ୍ରାମବାସୀମାନେ ଶୁକ୍ରବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ସେମାନଙ୍କ ଆପତ୍ତି ଅନୁସାରେ ଗ୍ରାମବାସୀଙ୍କ ପ୍ରତିବାଦ ସତ୍ୱେ ସେହି ଅଞ୍ଚଳର କିଛି ଅସାମାଜିକ ବ୍ୟକ୍ତି ରାତିଦିନ ନଦୀରୁ ଜୋର ଜବରଦସ୍ତ ବାଲି ଉଠାଇ ଚାଲିଛନ୍ତି । ବଡ଼ ବଡ଼ ଗାଡ଼ିରେ ବାଲି ବୋଝେଇ କରି ନେବା ଫଳରେ ଗାଁ’ ରାସ୍ତା ନଷ୍ଟ ହେଉଥିବା ବେଳେ ବାଲି ଉଠାଣ ଯୋଗୁଁ ନଦୀରେ ସୃଷ୍ଟି ହେଉଥିବା ଗଣ୍ଡ ମଧ୍ୟ ଜନସାଧାରଣ ଓ ଗୃହପାଳିତ ପଶୁଙ୍କ ପାଇଁ ବିପଦର କାରଣ ହୋଇଛି । ଗଣ୍ଡ ସୃଷ୍ଟି ହେବା ଫଳରେ ଆସନ୍ତା ବର୍ଷାଋତୁର ବନ୍ୟା ବେଳେ ସେହି ପାଶ୍ୱର୍ର ପାଳଜମି ନଦୀରେ ଲୀନ ହୋଇଯିବ ବୋଲି ଗ୍ରାମବାସୀ ଆଶଙ୍କା ପ୍ରକାଶ କରିଛନ୍ତି ।ଏମିତି ହେଲେ ନଦୀପାଶ୍ୱର୍ରେ ଥିବା ପାଳଜମିକୁ ଚାଷକରି ପରିବାର ପୋଷୁଥିବା ଶହ ଶହ ଚାଷୀ ଶେଷରେ ଦାଦନ ଖଟିବାକୁ ଯିବେ ବୋଲି ଗ୍ରାମବାସୀ କହିଛନ୍ତି । ବେଆଇନ ବାଲି ଉଠାଣକୁ ପ୍ରତିବାଦ କରୁଥିବା ଗ୍ରାମବାସୀଙ୍କୁ ଉତ୍ତୋଳନକାରୀ ବ୍ୟକ୍ତିମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନେବାକୁ ସେମାନେ ନିବେଦନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗ୍ରାମବାସୀଙ୍କ ପକ୍ଷରୁଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ହରେକୃଷ୍ଣ ପ୍ରଧାନ ଜୟଶ୍ରୀ ପ୍ରଧାନ, ଭଗବାନ ଲେଙ୍କା, ବିଜୟ କୁମାର ମହାନ୍ତି, ପ୍ରଭାକର ମହାନ୍ତି ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ