ସୋମନାଥପଲ୍ଲୀ;ଗାଁ ମୁହଁରେ ଜଗିଛି ବସିଛି ଯମ,ଦଶ ଫୁଟ ଉଚ୍ଚତାରେ ରହିଛି ୩୩ କେଭି ତାର
ବେଲଗୁଣ୍ଠା- ଗଞ୍ଜାମରେ ବିଦ୍ୟୁତ ଦୁର୍ଘଟଣା ପିଛା ଛାଡ଼ୁନି।ପୁଣି ଯମ ସାଜୁଛି ବିଦ୍ୟୁତ ତାର । ଗଂଜାମ ଜିଲ୍ଲା ମେଣ୍ଢାରାଜପୁର ଗ୍ରାମର ବିଦ୍ୟୁତ ଦୁର୍ଘଟଣା ମନରୁ ନ ଲିଭୁଣୁ ଗତ ବୁଧବାର ଦିନ ବେଳଗୁଣ୍ଠା ବ୍ଳକ କୋକଳୁଣ୍ଡା ଗ୍ରାମର ବିଦ୍ୟୁତ ଆଘାତରେ ପୁଣି ଦୁଇ ଜଣକ ମୃତ୍ୟୁ ଘଟଣା ଏହି ଯନ୍ତ୍ରଣାକୁ ସତେଜ କରିଛି । ଲଗାତାର ଏଭଳି ଘଟଣାକୁ ନେଇ ଲୋକ ମାନଙ୍କ ମନରେ ଏକ ପ୍ରକାର ଛନକା ଦେଖିବାକୁ ମିଳୁଛି ।ଏଭଳି ଘଟଣା ପଛରେ କିଛି ସ୍ଥାନରେ ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଦାୟୀ ରହୁଛି ତ ଆଉ କିଛି ସ୍ଥାନରେ ସଚେତନତା ର ଅଭାବ ଦେଖିବାକୁ ମିଳୁଛି ।ବେଳଗୁଣ୍ଠା ବ୍ଳକ ର କିଛି ସ୍ଥାନରେ ବିଦ୍ୟୁତ ବିଭାଗୀୟ କର୍ମଚାରୀଙ୍କ ଖମଖିଆଳି ନୀତି ପାଇଁ ଲୋକ ମାନଙ୍କ ମୁଣ୍ଡ ଉପରେ ଯମ ବସିଥିବା ନଜରକୁ ଆସିଛି । ଏହି ବ୍ଲକ ଅନ୍ତର୍ଗତ ସୋମନାଥପଲ୍ଲୀ ଗ୍ରାମକୁ ଯିବା ପାଇଁ ଥିବା ଏକ ମାତ୍ର ସିମେଣ୍ଟ ରାସ୍ତା ରହିଛି । ରାସ୍ତା ଉପର ଦେଇ ମାଟି ଠାରୁ ୧୦ ଫୁଟ ଉଚ୍ଚତାରେ ଯାଇଛି ୩୩ କେଭି ତାର । ଯାହାକି କଣ୍ଟେଇପଲ୍ଲୀ ଠାରୁ ସୋରଡ଼ା କୁ ସଂଯୋଗ ହୋଇଛି । ନିୟମ ଅନୁସାରେ ଏହି ୩୩ କେଭି ତାର ଭୂମି ଠାରୁ ୨୮ ଫୁଟ ଉଚ୍ଚତା ରେ ରହିବା କଥା କିନ୍ତୁ ବିଭାଗୀୟ କର୍ମଚାରୀଙ୍କ ଖମଖିଆଳି ନୀତି ପାଇଁ ଏହା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଆଗତ ବିପଦକୁ ସନ୍ଦେହ କରି ଗ୍ରାମବାସୀ ଏହାକୁ ସଜାଡ଼ିବାକୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନଥିବା ଗ୍ରାମବାସୀ ଜଣାଇଛନ୍ତି ।ଗ୍ରାମବାସୀ ମାନଙ୍କ କହିବା କଥା ଗତ ୮ ଦିନ ତଳେ ଝିଅ ଛାଡିବାକୁ ଆସିଥିବା ଏକ ଟ୍ରକ ଗାଁ ଭିତରକୁ ଏହି ରାସ୍ତା ଦେଇ ପ୍ରବେଶ କରୁଥିବା ବେଳେ ସେହି ଗ୍ରାମର ସମାଜସେବୀ ମହେଶ୍ୱର ଜେନା ଉପସ୍ଥିତ ବୁଦ୍ଧି ଖଟେଇ ଗାଡିକୁ ଅଟକେଇ ଦେଇଥିଲେ । ଫଳରେ ଗାଡ଼ିରେ ଥିବା ୪୦ରୁ ୪୫ଜଣ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ । ଗାଁ ମୁହଁରେ ଯମ ଅନେଇ ବସିଥିବା ବେଳ ପ୍ରତିଦିନ ଲୋକେ ଆତଙ୍କିତ ଅବସ୍ଥାରେ ତଳପଟୁ ବାଉଁଶ ଠେସ ଦେଇ ଯିବା ଆସିବା କରୁଛନ୍ତି । ତୁରନ୍ତ ଏହି ତାରକୁ ନ ସଜାଡ଼ିଲେ ବ୍ରହ୍ମପୁର ଫୁଲବାଣୀ ମୁଖ୍ୟ ରାସ୍ତାକୁ ଅବରୋଧ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏହି ତାରଟି ସୋରଡା ବିଦ୍ୟୁତ ବିଭାଗ ଅଧୀନରେ ଆସୁଥିବାରୁ ସୋରଡ଼ା ବିଦ୍ୟୁତ ବିଭାଗ ଏସ୍ଡ଼ିଓ ବିମଲ ସାହୁଙ୍କୁ ଯୋଗାଯୋଗ କରାଯାଇଥିଲା । ଏହି ଖବର ପାଇବା ସହ ଏହାର ପୁନରୁଦ୍ଧାର କରାଯିବ ବୋଲି କହିଥିଲେ ।


