ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସମ୍ମିଳନୀ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଂଜନଗର ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଲାଲସିଂ କ୍ଲଷ୍ଟରର ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟ ଠାରେ ଭଞ୍ଜନଗରର ସମସ୍ତ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକମାନଙ୍କ ୧୦ତମ ବ୍ଲକ୍ସ୍ତରୀୟ ମାସିକ ସମ୍ମିଳନୀ ସୋମନାଥ ସରକାରୀ ଅଭ୍ୟାସ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀଚରଣ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଭଂଜନଗର ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୂର୍ଯ୍ୟ ନାୟକ ମହୋଦୟ ସଭାପତି ଆସନ ଅଳଙ୍କୃତ କରିଥିଲେ। ଭଞ୍ଜନଗର ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ସ୍ୱରାଜ କହଁର ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ। ତତସହିତ ଡିହପଢାଳ ଗ୍ରାମ ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସ୍ୱାଇଁ, ଗାଲେରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ତ୍ରିପାଠୀ, ମୁଜାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ବୈଜୟନ୍ତୀ ମାଳା ପ୍ରିୟଦର୍ଶିନୀ ମଞ୍ଚାସିନ ଥିଲେ। ଭଂଜନଗର ବ୍ଲକର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉକ୍ତ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। ମଞ୍ଚାସିନ ସମସ୍ତ ଅତିଥିଙ୍କୁ ଫୁଲତୋଡ଼ା ଦେଇ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରି ସମ୍ୱର୍ଦ୍ଧିତ କରାଯାଇଥିଲା। ଏହାପରେ କୁନି ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା। ସମ୍ବଳ ଶିକ୍ଷକ ଆଦିତ୍ୟ କୁମାର ତ୍ରିପାଠୀ ଗତ ୯ମ ବୈଠକରେ ନିଆଯାଇଥିବା କାର୍ଯନୁଷ୍ଠାନ ରିପୋର୍ଟ ବିବରଣୀ ପଠନ କରିଥିଲେ ଏବଂ ଆଲୋଚ୍ୟ ବିଷୟକୁ ନେଇ ପୁଂଖାନୁପୁଂଖ ଭାବରେ ଅଭିବ୍ୟକ୍ତି ପ୍ରଦାନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ମଂଚାସିନ ସମସ୍ତ ଅତିଥି ଆଜିର ଆଲୋଚ୍ୟ ବିଷୟରେ ନିଜସ୍ୱ ମତ ପ୍ରଦାନ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ବୈଠକରେ ୟୁ-ଡାଇଜ୍ ଅପଡେଟ୍ ର ସ୍ଥିତି, ଉତ୍କର୍ଷ କାର୍ଯ୍ୟକ୍ରମ, ମାସିକ ପାଠ୍ୟକ୍ରମ ଯୋଜନା, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର-୨୦୨୪ ଏବଂ ଆୟୋଜକ ବିଦ୍ୟାଳୟର ପରିଦର୍ଶନ ଇତ୍ୟାଦି ବିଷୟରେ ଆଲୋଚନା କରାଗଲା। ୫ଟି ଅନ୍ତର୍ଗତ ଲାଇବ୍ରେରୀ, ଲାବ୍ରୋଟୋରିର ବ୍ୟବହାର ଏବଂ ଛାତ୍ରଛାତ୍ରୀମାନଂକ ଦ୍ୱାରା ସ୍ମାର୍ଟ ବୋର୍ଡ଼ର ବ୍ୟବହାର, କମ୍ପ୍ୟୁଟରରେ ଇ-ଲାଇବ୍ରେରୀର ବ୍ୟବହାର ବିଷୟରେ ପର୍ଯ୍ୟବେକ୍ଷଣ କରାଗଲା। ମଧ୍ୟାହ୍ନ ଭୋଜନ ପରେ କୁଲାଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀ ନନ୍ଦନ ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ବୈଠକର ପରିସମାପ୍ତି ଘୋଷଣା କରିଥିଲେ।