ସୋସୋ ଓ ସୁଲଣ ପଂଚାୟତର ତଦନ୍ତକୁ ୧୫ ଦିନ ବିତିଲା, କାର୍ଯ୍ୟାନୁଷ୍ଠାନ ଶୂନ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ହାଟଡିହି ବ୍ଲକର ସୋସୋ ଓ ସୁଲଣ ପଂଚାୟତର ସରକାରଙ୍କର ବିଭିନ୍ନ ଅନୁଦାନ ଅର୍ଥକୁ ହଡ଼ପ କରିଥିବା ନେଇ ଅଭିଯୋଗ ହେବାପରେ ଡିଆରଡିଏ କେନ୍ଦୁଝର ପକ୍ଷରୁ ଗତ ୧୭ ତାରିଖରେ ଜିଲାସ୍ତରୀୟ ମିଳିତ କମିଟି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ହେବାର ୧୫ ଦିନ ବିତିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଏହାକୁ ନେଇ ପଂଚାୟତରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ବେଳେ ଜିଲାସ୍ତରୀୟ କମିଟିର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ତଦନ୍ତ କମିଟିର ଜିଲା ସହକାରୀ ପ୍ରକଳ୍ପ ଅଧିକାରୀ ଲିଲି କୁମାରୀ କୁଲୁ, ଜିଲା ପଂଚାୟତ ଅଧିକାରୀ ଶିବବ୍ରତ ତ୍ରୀପାଠୀ, ଜିଲା ସୋସିଆଲ ଅଡ଼ିଟର ଚନ୍ଦନ ଅମୃତାୟନ ଆଇଚ, ଏପିଡି ଫାଇନାନ୍ସ ମୁକେଶ କୁମାର ସାହୁ ତଦନ୍ତ କରିଥିଲେ । ପ୍ରଶାସନର ଏଭଳି ତଦନ୍ତକୁ ନେଇ ଅଭିଯୋଗ କାରୀ, ଗ୍ରାମବାସୀଙ୍କ ମନରେ ନ୍ୟାୟ ପାଇବେ ବୋଲି ଆଶା ସଂଚାର ହୋଇଥିଲା । କିନ୍ତୁ ୧୫ଦିନ ବିତିଯାିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି । ସରକାରୀ ଅନୁଦାନ ଲକ୍ଷ ଲକ୍ଷ ଟଙ୍କାକୁ ହଡ଼ପ କରିବା ସହିତ ପଂଚାୟତର କୌଣସି କାଗଜ ପତ୍ର କାର୍ଯ୍ୟାଳୟରେ ନଥିବାବେଳେ ଓ ଏହି ପଞ୍ଚାୟତର ପିଇଓଙ୍କୁ କିପରି ଏଠାରୁ ରିଲିଭ କରାଗଲା ତାହାକୁ ନେଇ ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିନା ରେକର୍ଡ଼ରେ କିଭଳି ସରକାରୀ ଅନୁଦାନ ଉଠାଗଲା ଏବଂ ନିଜ ଘର ପଇସା ଭଳି ପିଇଓ ଓ ସରପଂଚ ଉଠାଇ ନେଲେ ତାହା ଏବେ ଚର୍ଚ୍ଚା ହେଉଛି । ଅଭିଯୋଗ ହେବା ସହ ସେମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ୱାର୍ଡ଼ସଭ୍ୟସଭ୍ୟା ଓ ଗ୍ରାମବାସୀ ଅଭିଯୋଗ କରୁଥିଲେ ମଧ୍ୟ ପ୍ରଶାସନର ନିରବତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ହାଟଡିହି ବିଡ଼ିଓଙ୍କୁ ପଚାରିବାରୁ ଇନକ୍ୱାରୀ ଟିମ ତଦନ୍ତ କରି ଯାଇଛି । ଆମ ପାଖକୁ କୌଣସି ରିପୋର୍ଟ ଆସିନାହିଁ । ରିପୋର୍ଟ ଆସିଲେ ଯାହା ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।