ସୋସୋ ପଞ୍ଚାୟତ ବୁଲି ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ ବିଡିଓ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକର ବିଡିଓ ବିନୀତା ବିଜୟିନୀ ଆଜି ସୋସୋ ପଞ୍ଚାୟତକୁ ଯାଇ ପଞ୍ଚାୟତର କାର୍ଯ୍ୟର ସମୀକ୍ଷା କରିବା ସହିତ ସାମାଜିକ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଭତ୍ତା , ପିଡିଏସ ସାମଗ୍ରୀ ଯୋଗାଣ ଆଦିର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ସମୟରେ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଥିବା, ଆଧାର ସଂଯୋଗ ହୋଇପାରୁ ନଥିବାରୁ ଅନେକ ରେସନକାର୍ଡ ହିତାଧିକାରୀ ଯୋଗାଣ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ କରିଥିଲେ । ସେହି ପରି ହେମନ୍ତ କୁମାର ବେହେରା ନାମକ ଜଣେ ଆବାସ ଯୋଜନା ହିତାଧିକାରୀ ଖଣି ଯୋଜନାରେ ଘର ପାଇଥିଲେବି ତାଙ୍କର ଘର ନିର୍ମାଣ ନକରି ମଧ୍ୟ ଠିକାଦାର ତାଙ୍କ ଅନୁଦାନ ଟଙ୍କା ଉଠାଇ ନେଇଥିବା ସେ ଅଭିଯୋଗ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀଙ୍କ ଅମୃତ ସରୋବର ଯୋଜନାରେ ନାଗସରା ପୋଖରୀକୁ ସାମିଲ କରିବାକୁ ଯୋଜନା କରାଯାଉଥିବା ବିଡିଓ କହିବା ସହିତ ପୋଖରୀ ପରିଦର୍ଶନ କରିଥିଲେ । ତାଙ୍କ ସହିତ ସରପଞ୍ଚ ରାଜ କୁମାର ଦାସ, ସମିତିସଭ୍ୟ ଅରୁନ୍ଧତି ସେଣ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ପୁର୍ବତନ ସୋସୋ ସମବାୟ ସମିତି ସଭାପତି ପ୍ରଣବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିବାବେଳେ ବିଡିଓଙ୍କ ସହିତ ସାମାଜିକ ସୁରକ୍ଷା ବିଭାଗର କିରାଣୀ ଅବିନାଶ ପତି, ଯୋଗାଣ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ଜୀବନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।