ସୋସୋ ବାଲିବରେଇ ଅଞ୍ଚଳରେ ବର୍ଷା ଅଭାବରୁ ଜମି ଫାଟିଲା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ବାଲିବରେଇ ଅଞ୍ଚଳରେ ବର୍ଷା ଅଭାବରୁ ଚାଷଜମି ଗୁଡିକ ଫାଟି ଯାଇଥିବା ବେଳେ ଜଳସମ୍ପଦ ବିଭାଗ ପକ୍ଷରୁ ପମ୍ପ ସହାୟତାରେ ପାଣି ଯୋଗାଇ ଦେବାକୁ ସୋସୋ ବାଲିବରେଇ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି । ସେମାନଙ୍କ ଅଭିଯୋଗ ଯେ ଏହି ଅଞ୍ଚଳରେ ଗତ ୩/୪ବର୍ଷ ହେଲା ବର୍ଷା ଅଭାବରୁ ଚାଷ ଜମି ଗୁଡିକ ଚାଷ ହୋଇନପାରି ପଡିଆ ପଡୁଥିଲା । କିନ୍ତୁ ଚଳିତବର୍ଷ ବିଳମ୍ବରେ ହେଲେ ମଦ୍ୟ ଭଲ ବର୍ଷା ହେବାପରେ ଚାଷୀମାନେ ମନଖୁସିରେ ଚାଷ କାର୍ଯ୍ୟ କରିଦେଲେ । କିନ୍ତୁ ଏବେ ବର୍ଷା ନହେବାରୁ ଧାନ ଥୋଡ ବାହାରିବା ସମୟରେ ଜମି ସବୁ ଫାଟି ଆଁ କଲାଣି । ସୋସୋ ବାଲିବରେଇ ଗାଁ ଦେଇ କେନାଲପାଣି ଭଦ୍ରକ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର ଅନ୍ୟ ଅଞ୍ଚଳର ଚାଷଜମିକୁ ଜଳସେଚିତ ହୋଇ ଶସ୍ୟଶ୍ୟାମଳା କରୁଥିବାବେଳେ ଦ୍ୱୀପତଳ ଅନ୍ଧାର ଭଳି ସୋସୋ, ବାଲିବରେଇ ଅଞ୍ଚଳର ଚାଷଜମି ମରିଯିବାକୁ ବସିଛି । ଧାନ ଥୋଡ ବାହାରିବା ସମୟରେ ପାଣିଟିକେ ପାଇଲେ ଧାନଗଛ ଗୁଡିକ ବଞ୍ଚି ଯାଇପାରନ୍ତା । ଏପରି ପରିସ୍ଥିତିରେ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏନେଇ ଆଜି ସରପଞ୍ଚ ରାଜ କୁମାର ଦାସ, ବୈଲୋଚନ ନାୟକ, ରତିକାନ୍ତ ନାୟକ, ନାରାୟଣ ପଣ୍ଡିତ, କମଳାକାନ୍ତ ଦାସ, ଶରତ ଚନ୍ଦ୍ର ନାୟକ, ପ୍ରଣବ ମହାନ୍ତି, ପିତବାସ ନାୟକ, ତୈଲୋକ୍ୟ ନାୟକ, ବ୍ରହ୍ମାନନ୍ଦ ସିଂ, ଘାଲୁ ସିଂ, ଆନନ୍ଦ ଚନ୍ଦ୍ର ସିଂ ପ୍ରମୁଖ ବିଦ୍ୟାଧରପୁର କେନାଲ ଡିଭିଜନର ନିର୍ବାହୀଯନ୍ତ୍ରୀଙ୍କୁ ଭେଟି ପମ୍ପ ଯୋଗେ ଜଳସେଚନ ପାଇଁ ଦାବି କରିଥିଲେ । ମାତ୍ର ନିର୍ବାହୀଯନ୍ତ୍ରୀ ଜଳସେଚନ ପାଇଁ ସେପରି କିଛି ବ୍ୟବସ୍ଥା ନଥିବା ମନା କରିବାପରେ ଚାଷୀମାନେ ଶାଳପଡା ବୈତରଣୀ ଡିଭିଜନର ମୁଖ୍ୟ ନିର୍ମାଣଯନ୍ତ୍ରୀଙ୍କୁ ଟେଲିଫୋନ ମାଧ୍ୟମରେ ଯୋଗାଯୋଗ କରିବାରୁ ସେ ମଧ୍ୟ ଅକ୍ଷମତା ପ୍ରକାଶ କରିଥିଲେ । ଚାଷୀମାନଙ୍କ କହିବାକଥା ପୁର୍ବରୁ ଅନେକବାର ଜଳସମ୍ପଦ ବିଭାଗ ଆମକୁ ପମ୍ପ ସାହାଯ୍ୟରେ ଜଳଯୋଗାଇ ଆମ ଚାଷକୁ ସୁରାକ୍ଷିତ କରିଥିଲା । ଏବେ କଣ ପାଇଁ ହେବନି । ଯଦି ଜଳସମ୍ପଦ ବିଭାଗ ଜଳଯୋଗାଣର କୌଣସି ବ୍ୟବସ୍ଥା ନକରେ ତେବେ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।