ସୋସୋ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଲେ ୱାର୍ଡ ସଭ୍ୟସଭ୍ୟା
ହାଟଡିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସୁଲଣ ପଞ୍ଚାୟତର ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବାପରେ ଏବେ ସୋସୋ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାଇକଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ପଞ୍ଚାୟତର ୱାର୍ଡ ସଭ୍ୟସଭ୍ୟା । ଆଜି ପଞ୍ଚାୟତର ୧୧ଜଣ ୱାର୍ଡ ସଭ୍ୟସଭ୍ୟା ପଞ୍ଚାୟତରେ ହୋଇଥିବା ବ୍ୟାପକ ଅନିୟମିତତାର ଅଭିଯୋଗ ସହ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବା ପାଇଁ ଉପଜିଲ୍ଲାପାଳଙ୍କ ଠାରେ ଦାବି ଉପସ୍ଥାପିତ କରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ସୋସୋ ପଞ୍ଚାୟତଟି ୧୪ଗୋଟି ୱାର୍ଡକୁ ନେଇ ଗଠିତ । ଉକ୍ତ ପଞ୍ଚାୟତର ସରପଞ୍ଚ କାଞ୍ଚନ ନାଇକ ଦୀର୍ଘଦିନ ଧରି ମନୋମୁଖୀ କାର୍ଯ୍ୟକଳାପ ଚଳାଇଥିବାରୁ ପଞ୍ଚାୟତ କାର୍ଯ୍ୟାଳୟଟି ଠିକ ଭାବେ ଚାଲୁ ନଥିବାବେଳେ ପଞ୍ଚାୟତର ବୈଠକ ମଧ୍ୟ ଠିକ ଭାବେ ହୋଇପାରୁନି । ସେହିପରି ୧୪ଟି ଯାକ ୱାର୍ଡରେ କୌଣସି ଉନ୍ନୟନ ମୁଳକ କାର୍ଯ୍ୟ ହୋଇପାରିନାହିଁ ବୋଲି ୱାର୍ଡସଭ୍ୟ ବେଣୁଧର ବିନ୍ଧାଣି, ନିରାକାର ରାଉତ, ଜଗନ୍ନାଥ ବାରିକ, ନରୋତ୍ତମ ରାଉତ, ରଞ୍ଜୁଲତା ବେହେରା, ସୁଲଚନା ହାତୀ, କବିନ ନାହାକ, ଜୟନ୍ତୀ ଭୂୟାଁ, ନିରୁପମା ଖମାରୀ, ଦୁର୍ଯ୍ୟୋଧନ ସେଠୀ, ବିଶ୍ୱନାଥ ମାଝୀ ପ୍ରମୁଖ ଅଭିଯୋଗ କରିବା ସହିତ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗତକାଲି ସୋସୋ ପଞ୍ଚାୟତରେ ୫୦ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦୁର୍ନିତି ହୋଇଥିବାନେଇ ସରପଞ୍ଚ ଓ ପିଇଓଙ୍କ ବିରୁଦ୍ଧରେ ସୋସୋ ଥାନାରେ ବିଡିଓ ପକ୍ଷରୁ ଏତଲା ଦିଆଯାଇଛି ।


