ସୌଭାଗ୍ୟ ଲାଗି ପାଣିପାତ୍ର
ଘରର ସୌଭାଗ୍ୟ ଲାଗି ବାସ୍ତୁଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଥାଏ । କେଉଁ ଦିଗରେ କେଉଁ ଜିନିଷ ରଖିବା ଆବଶ୍ୟକ ତାହା ଏଥିରେ ଉଲ୍ଲେଖ ରହିଛି । ସୌଭାଗ୍ୟ ଲାଗି ଘରେ ପିଇବା ପାଣି ପାତ୍ରଠାରୁ ଆରମ୍ଭ କରି ଗାଧୋଇବା ପାଣିକୁଣ୍ଡ ପର୍ଯ୍ୟନ୍ତ କେଉଁ ଦିଗ ତଥା ସ୍ଥାନରେ ରଖାଯିବ ସେନେଇ ବାସ୍ତୁରେ ପରାମର୍ଶ ଦିଆଯାଇଛି । ପାଣି ରଖିବାର ସ୍ଥାନ ଐଶାନ୍ୟ କୋଣ ହୋଇଥିବାରୁ ପାଣି ଟାଙ୍କି ମଧ୍ୟ ଉତ୍ତର-ପୂର୍ବ ଦିଗରେ ରହିବା ଆବଶ୍ୟକ । ପାଣି ଟାଙ୍କିରେ ବ୍ୟବହୃତ ପାଇପ୍ ଉତ୍ତର-ପୂର୍ବ ମୁହାଁ ହୋଇ ରହିଲେ ଭଲ ପ୍ରଭାବ ପଡ଼ିଥାଏ । ସେହିପରି କୂଅ, ନଳକୂଅ ଦକ୍ଷିଣ-ପୂର୍ବ, ଉତ୍ତର-ପଶ୍ଚିମ ଅଥବା ଦକ୍ଷିଣ-ପଶ୍ଚିମ କୋଣରେ ରହିରେ ଘର ଉପରେ ପଡ଼ିଥାଏ ଖରାପ ପ୍ରଭାବ । ଏସବୁ ଜଳ ଉତ୍ସ ପୂର୍ବ କୋଣରେ ରହିଲେ ଭଲ । ଏହାଦ୍ୱାରା ବାସ୍ତୁଦୋଷ ଦୂର ହୋଇଥାଏ । ଯଦି ଦକ୍ଷିଣ-ପୂର୍ବ ଓ ଉତ୍ତର-ପଶ୍ଚିମ କୋଣଗୁଡ଼ିକରେ କୂଅ ଅଥବା ନଳକୂପ ରହିଛି ତେବେ ଏହାର ଜଳକୁ ବ୍ୟବହାର କରିବା ଅନୁଚିତ । ଗାଧୋଇବା ଘର ପୂର୍ବ ଦିଗରେ ରହିବା ଶୁଭ ହୋଇଥାଏ । ଘରର କୌଣସି ପାଣି ପାଇପ୍ରୁ ପାଣି ନ ଝରିବା ଦରକାର । କାରଣ ଏହା ଦ୍ୱାରା ଅନାହାର ଭଳି ସମସ୍ୟା ସୃଷ୍ଟି ହେବାର ଥାଏ ଆଶଙ୍କା । ସେହିପରି ପାଣି ଟାଙ୍କି ଉତ୍ତର ଓ ବାୟୁ କୋଣ ମଧ୍ୟରେ ରହିବା ଦରକାର । ପାଣି ଟାଙ୍କିର ଉପର ଭାଗ ଗୋଲ ହେଲେ ସକାରାତ୍ମକ ପ୍ରଭାବ ପଡ଼ିଥାଏ । ଘରେ ବ୍ୟବହାର ହେଉଥିବା ଜଳପୂର୍ଣ୍ଣ ପାତ୍ରକୁ ଉତ୍ତର-ପୂର୍ବ ଦିଗ କରି ରଖିଲେ ଭଲ । ଉତ୍ତର-ପୂର୍ବ ଦିଗ କରି ପାଣି ପାତ୍ର ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହ ଓ ସୁଖ ସମୃଦ୍ଧି ମଧ୍ୟ ବୃଦ୍ଧିପାଏ ।