ସୌମ୍ୟରଞ୍ଜନଙ୍କ ନାମାଙ୍କନପତ୍ର ଦାଖଲ ପ୍ରତିଦ୍ୱନ୍ଦ୍ୱୀ ହେଲେ ପ୍ରସ୍ତାବକ
ଭାପୁର/କଣ୍ଟିଲୋ (ଯୁଗାବ୍ଦ ନ୍ୟୁଜ): ଖଣ୍ଡପଡ଼ାରେ ବିଜେଡି ଟିକେଟ ଘୋଷଣା ପରେ ରାଜନୈତିକ ସମୀକରଣ ବଦଳିଯାଇଛି । ପ୍ରତିଦ୍ୱନ୍ଦୀ ଅନୁଭବ ପଟ୍ଟନାୟକଙ୍କଠାରୁ ପୂର୍ବ ନିର୍ବାଚନରେ ୬୦୧ ଭୋଟ୍ରେ ହାରିଥିବା ସୌମ୍ୟରଞ୍ଜନଙ୍କ ନାମାଙ୍କନ ପତ୍ର ଦାଖଲରେ ପ୍ରସ୍ତାବକ ରହିଛନ୍ତି ଅନୁଭବ । ଗୁୁରୁବାର ୧୦ହଜାରରୁ ଊଦ୍ଧ୍ୱର୍ କର୍ମୀଙ୍କ ଗହଣରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ ସେଟ୍ର ନାମାଙ୍କନପତ୍ର ଦାଖଲ କରିଥିଲେ ସୌମ୍ୟରଞ୍ଜନ । ପ୍ରଥମ ସେଟ୍ ନାମାଙ୍କନରେ ଅନୁଭବ ପଟ୍ଟନାୟକ ଓ ଦ୍ୱିତୀୟ ସେଟ୍ରେ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା ପ୍ରସ୍ତାବକ ରହିଥିଲେ । ଟିକେଟ ନପାଇ ଅନେକ ନେତା ଅସନ୍ତୋଷ ପ୍ରକାଶ ଦଳ ଛାଡ଼ୁଥିବାବେଳେ ଦୁଇ ସମାନ୍ତରାଳ ପ୍ରତିଦ୍ୱନ୍ଦୀ ସୌମ୍ୟରଞ୍ଜନଙ୍କୁ ସମର୍ଥନ ଖଣ୍ଡପଡ଼ା ବିଜେଡିରେ ଏକ ନୂଆ ସମୀକରଣ ସୃଷ୍ଟି କରିଛି । ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ା, ବିଧାୟକ ଅନୁଭବ ପଟ୍ଟନାୟକ, ଶାଳପଡ଼ା ସମିତିସଭ୍ୟ ବସନ୍ତ କୁମାର ମାଝୀ, ବିଜୟ କୁମାର ସାମନ୍ତରା, ଜଲ୍ଲା ପରିଷଦ ସଭ୍ୟାଙ୍କ ସହ ଖଣ୍ଡପଡ଼ା ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଶିଶିର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜନ୍ତିମାଳା ମହାନ୍ତି, କଣ୍ଟିଲୋ ପୂର୍ବତନ ଜିଲ୍ଲା ପରିଷଦ ରାମେଶ୍ୱର ଶତପଥିଙ୍କ ସମେତ ବହୁ ବିଜେଡି ନେତୃମଣ୍ଡଳୀ ଏହି ନାମାଙ୍କନପତ୍ର ଦାଖଲ ସମୟରେ ଉପସ୍ଥିତ ଥିଲେ । ଖଣ୍ଡପଡ଼ା ଓ ଭାପୁର ବ୍ଲକ୍ର ବସ୍, କାର୍ ଓ ବାଇକ୍ରେ ହଜାର ହଜାର ବିଜେଡି କର୍ମୀ ଦଳୀୟ ପତାକା ଲଗାଇ ସୌମ୍ୟଙ୍କ ରୋଡସୋରେ ନୟାଗଡ଼ ଅଭିମୁଖେ ବାହାରିଥିଲେ । ସୌମ୍ୟରଞ୍ଜନ ସମସ୍ତଙ୍କ ସମର୍ଥନ ପାଇଁ ନିର୍ବାଚନକୁ ଓହ୍ଲାଇଥିବାବେଳେ ତାଙ୍କ ଅଭିଳାଷ ସଫଳ ହେବାକୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।


