ସ୍କାଉଟ ଗାଇଡ୍ର ଶପଥ ଗ୍ରହଣ ଉତ୍ସବ “କର୍ମର ଅନ୍ତ ନାହିଁ”
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଦିନ ଅପରାହ୍ନ ୧୨.୩୦ ମିନିଟ୍ ସମୟରେ ରାଜଭବନର ଅଭିଷେକ ସଭାଗୃହରେ ମାନ୍ୟବର ରାଜ୍ୟପାଳ ଓ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ର ମୁଖ୍ୟ ପୃଷ୍ଠ ପୋଷକ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର ନବନିର୍ବାଚିତ ସଭାପତି ଓ ଉପସଭାପତି ମାନଙ୍କର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ରାଜ୍ୟ ସଭାପତି ଭାବରେ ଏବଂ ମାନ୍ୟବର ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ବିଭାଗ, ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ମାନ୍ୟବର ବିଧାୟକ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ ସୁଶାନ୍ତ କୁମାର ରାଉତ, ସମାଜର ମୁଦ୍ରାକାର ଓ ପ୍ରକାଶକ ଶ୍ରୀଯୁକ୍ତ ନିରଞ୍ଜନ ରଥ, ମହିଳା କମିଶନର ଅଧ୍ୟକ୍ଷା ଡଃ. (ଶ୍ରୀମତୀ) ମିନତୀ ବେହେରା, ଅବସରପ୍ରାପ୍ତ ନ୍ୟାୟଧୀଶ ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି, ଆନ୍ତର୍ଜାତୀୟ ସମବାୟ ମତ୍ସ୍ୟ ସଂଗଠନ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଟି. ପ୍ରସାଦ ରାଓ ଦୋରା ରାଜ୍ୟ ଉପସଭାପତି ଭାବେ ଶପଥ ଗ୍ରହଣ କରିଥିଲେ । ସଂଗଠନର ସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର ତାଙ୍କ ସ୍ୱାଗତ ଭାଷଣ ବିଗତ ଦିନମାନଙ୍କରେ ରାଜ୍ୟ ସଂସ୍ଥା ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଦ୍ୱାରା ନିଜର ପ୍ରତିଷ୍ଠା ଲାଭ କରିଥିବା ବର୍ଣ୍ଣନା କରିଥିଲେ । ଏଥିନିମନ୍ତେ ସଦସ୍ୟମାନଙ୍କର ସକ୍ରିୟ ସହଯୋଗର ଉଚ୍ଚପ୍ରଶଂସା କରିବା ସହିତ ଆଗାମୀ ଦିନରେ ଏହାକୁ ଆହୁରି ଦୃଢ଼ୀଭୂତ କରିବା ପାଇଁ ଆଶା ବ୍ୟକ୍ତ କରିଥିଲେ । ପରେ ପରେ ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶପଥପାଠ କରାଇ ସ୍କାର୍ପ ପ୍ରଦାନ କରିଥିଲେ ଏବଂ ମାନ୍ୟବର ରାଜ୍ୟପାଳ ସମସ୍ତଙ୍କୁ ସ୍କାଉଟ ଗାଇଡ୍ର ଇନ୍ସିଗିନିଆ ବ୍ୟାଚ ଓ ମେମେଣ୍ଟୋ ପ୍ରଦାନ କରିଥିଲେ । ଏହି ଉତ୍ସବରେ ରାଜ୍ୟ ସରକାରଙ୍କର ବହୁ ଉଚ୍ଚ ପଦାଧିକାରୀ ଯୋଗଦେଇଥିଲେ । ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣରେ ସେବାର ମହତ୍ୱ ବର୍ଣ୍ଣନା କରିଥିଲେ । ପୃଥିବୀର ପ୍ରତ୍ୟେକ ସ୍ଥାନକୁ ନିଜର ଗ୍ରାମ ଓ ପ୍ରତ୍ୟେକ ବ୍ୟକ୍ତିକୁ ନିଜର ସମ୍ପର୍କୀୟ ଭାବି କର୍ତ୍ତବ୍ୟ କରିଚାଲ । ଏହି ସୁଯୋଗ ଲାଭ କରିବା ନିମନ୍ତେ ସ୍କାଉଟିଂ ଗାଇଡିଂରେ ଯୋଗଦେବାର ଆବଶ୍ୟକତା ରହିଛି । ସ୍କାଉଟିଂ ଶପଥର ବାଖ୍ୟା କରିବାକୁ ଯାଇ ସନାତନ ଧର୍ମର ବ୍ରହ୍ମ ତତ୍ୱ ପରିବେଷଣ କରି ଉପସ୍ଥିତ ଅତିଥିମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ତାଙ୍କ ମତରେ ଆଧ୍ୟାତ୍ମିକତା ହିଁ ଉନ୍ନତିର ଏକମାତ୍ର ମାର୍ଗ । ଯାହା ସ୍କାଉଟିଂ ଗାଇଡିଂର ମୁଳମନ୍ତ୍ର ।


