ସ୍କାଉଟ ଗାଇଡ୍ ତରଫରୁ ଅନ୍ଲାଇନ୍ କୋଭିଡ୍ ୧୯ ସଚେତନତା
ଭୁବନେଶ୍ୱର ,(ଓ୍ବାଇଏନ୍ଏସ୍): ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ରାଜ୍ୟ ଗାଇଡ୍ ସଂଗଠନ କମିଶନର ଶ୍ରୀମତୀ ଅନାମିକା ଦାସଙ୍କ ସଂଯୋଜନାରେ ଜନସାଧାରଣଙ୍କ କୋଭିଡ୍ ୧୯ର ଭୟାବହତା ତା’ର ପ୍ରତିକାର ତଥା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରିବା ପ୍ରଣାଳୀ ଆଦିରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଭର୍ଚୁଆଲ ଆଲୋଚନା ଚକ୍ର ତା୧୨ା୦୮ା୨୦୨୦ରିଖ ଦିନ ଆୟୋଜିତ ହୋଇଥିଲା । ଉକ୍ତ ଦିନ ଅପରାହ୍ନ ୩ ଘଟିକା ସମୟରେ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ରାଜ୍ୟ ସମ୍ପାଦକ ଶ୍ରୀ ରାମମୂର୍ତ୍ତି ଦୋରା ଏବଂ ରାଜ୍ୟ କୋଷାଧ୍ୟକ୍ଷ ଶ୍ରୀ ଶରତ ଚନ୍ଦ୍ର ପାଇକରାୟଙ୍କ ଉପସ୍ଥିତିରେ ମୁଖ୍ୟ ଆଲୋଚକ ଭାବେ ସମ୍ ହସ୍ପିଟାଲର ଯକୃତ ବିଭାଗର ମୁଖ୍ୟ ଡଃ ମନୋଜ ସାହୁ ଏବଂ କିମ୍ସ୍ ହସ୍ପିଟାଲର ଡଃ ପ୍ରଣବ ମହାପାତ୍ର ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଡଃ ମହାପାତ୍ର ବର୍ତ୍ତମାନ ନିଜେ କରୋନାରେ ସଂକ୍ରମିତ ହୋଇଥିବା ଅବସ୍ଥାରେ ତାଙ୍କର ରୋଗ ସମ୍ବନ୍ଧୀୟ ବିଭିନ୍ନ ଅନୁଭୂତି ବର୍ଣ୍ଣନା କରିବା ସହିତ ଭୟଭିତ ନହୋଇ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ । ଡଃ ସାହୁ ମଧ୍ୟ କୋଭିଡ୍ ୧୯ ସମ୍ବନ୍ଧରେ ସୂଚନା ଦେବାକୁ ଯାଇ କେଉଁ ପରିସ୍ଥିତିରେ କିପରି ଅବସ୍ଥାରେ କରୋନା ଭୂତାଣୁ ଶରୀରରେ ପ୍ରବେଶ କରି ରୋଗୀକୁ ଆକ୍ରମଣ କରିଥାଏ, ସେ ବିଷୟରେ ସୂଚନା ଦେବା ସହ ସଂକ୍ରମରରୁ ନିଜକୁ ସୂରକ୍ଷା ଦେବା ପାଇଁ କେଉଁ କେଉଁ ସଚେତନତା ଆବଶ୍ୟକ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବିଶେଷକରି ଜରୁରୀ ନଥିଲେ ଘରୁ ନ ବାହାରିବା, ସାନିଟାଇଜର ଦ୍ୱାରା ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ବଜାୟ ରଖିବା ତଥା ନିତାନ୍ତ ଭାବେ ମାସ୍କ ବ୍ୟବହାର କରିବା ଉପରେ ଡଃ ସାହୁ ବିଶେଷ ଗୁରୁତ୍ୱ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ମୁଖ୍ୟ କମିଶନର ଡଃ ମିଶ୍ରଙ୍କ ନିର୍ଦ୍ଦେଶ ତଥା ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ କୋଭିଡ୍ ୧୯ର ମୁକାବିଲା ପାଇଁ ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନର ଏପରି ଏକ ଜନସଚେତନତା କାର୍ଯ୍ୟକ୍ରମକୁ ସବୁ ସ୍ତରରୁ ସ୍ୱାଗତ କରାଯାଇଥିଲା ।


