ସ୍କାଉଟ-ଗାଇଡ କ୍ୟାମ୍ପୋରି ଓ ଜେଆରସି କାଉନସେଲର ତାଲିମ ଶିବିର ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରରେ ୩ ଦିନିଆ ଜିଲାସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ କ୍ୟାମ୍ପୋରୀ ଶନିବାର ଉଦଘାଟିତ ହୋଇଯାଇଛି । ଜିଲା ସ୍କୁଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ପ୍ରାଚୀ ତନୟା ଗିରି ଓ ଧରଣୀଧର ପାତ୍ର, କବି ପ୍ରଶାନ୍ତ ଦାସ, ପୂର୍ବତନ ଜିଲା କମିଶନର ନରହରି ଭୂୟାଁ, ଜିଲା କମିଶନର ତଥା ପ୍ରଧାନ ଶିକ୍ଷୟିତ୍ରୀ ସୁମତି ମଣ୍ଡଳ ପ୍ରମୁଖ ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସ୍କାଉଟ ଓ ଗାଇଡ କ୍ୟାମ୍ପୋରୀଙ୍କ ସାମାଜିକ ଦାୟିତ୍ୱବୋଧତା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ କୁମାର ନାୟକ ଏଥିରେ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ରାଜ୍ୟ ସ୍କାଉଟ ମୁଖ୍ୟ ପ୍ରଶିକ୍ଷକ ସୁଦର୍ଶନ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପବ୍ଲିକ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀମଣି ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜିଲାସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡ୍ସ ସଙ୍ଗଠନ ତଥା ଜିଲା ସ୍କାଉଟସ ଓ ଗାଇଡସ ସଂଗଠନର ମିଳିତ ସହଯୋଗରେ ଆୟୋଜିତ କେମ୍ପୋରି ଜିଲାର ମୋଟ ୧୮୫ ବିଦ୍ୟାଳୟରୁ ୩୯୯ ସ୍କାଉଟ, ୧୨୬ ଗାଇଡ, ସ୍କାଉଟ ମାଷ୍ଟର ୧୨୫ ଓ ଗାଇଡ କ୍ୟାପଟେନ ୬୭ ଏବଂ ୩୦ ପରିଚାଳକ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ତିନି ଦିନିଆ ଶିକ୍ଷା କ୍ୟାମ୍ପୋରିରେ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନିସକ ଓ ବୌଦ୍ଧିକ ବିକାଶ ଭିତ୍ତିକ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି କର୍ମକର୍ତ୍ତା ସୂଚନା ଦେଇଛନ୍ତି । ସେହିଭଳି ବାଲେଶ୍ୱର ଜିଲା ଜୁନିଅର ରେଡ଼କ୍ରସ କାଉନସେଲର ଟ୍ରେନିଂ କ୍ୟାମ୍ପ ମଧ୍ୟ ଆରମ୍ଭ ହୋଇଛି । ପ୍ରତି ସଂଧ୍ୟାରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ବାଲେଶ୍ୱର ଜିଲାର ବିଭିନ୍ନ ବିଦ୍ୟାଳୟରୁ ୩୦ କାଉନସେଲର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଶିକ୍ଷକ ଭାବେ ରିସୋର୍ସ ପର୍ସନ ବାମନ ଚରଣ ମହାନ୍ତି, ଉମାକାନ୍ତ ବେହେରା, ଚିତ୍ତରଂଜନ ପରିଡ଼ା, ସତ୍ୟନାରାୟଣ ଦାସ, ମିହିର କୁମାର ପାଣିଗ୍ରାହୀ ଓ ନରୋତ୍ତମ ପୃଷ୍ଟି ପ୍ରଶିକ୍ଷଣ ଦେଉଛନ୍ତି ।
ପୌର ନିର୍ବାଚନରେ ବିଜେଡିର ବାଜିମାତ