ସ୍କାଉଟ-ଗାଇଡ କ୍ୟାମ୍ପୋରି ଓ ଜେଆରସି କାଉନସେଲର ଟ୍ରେନିଂ ଶିବିର ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରରେ ଗତ ୨୬ ତାରିଖରୁ ଚାଲିଥିବା ୩ ଦିନିଆ ଜିଲାସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ କ୍ୟାମ୍ପୋରୀ ଏବଂ ଜିଲା ଜୁନିୟର ରେଡ଼କ୍ରସ କାଉନସେଲର ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି । ଜିଲା ସ୍କୁଲ ପରିସରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜ ପ୍ରତି ସ୍କାଉଟ୍ ଗାଇଡ୍‌ଙ୍କ ଅବାଦନ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ତର୍ନିହିତ ଗୁଣ ପରିପ୍ରକାଶରେ ହିଁ ସ୍କାଉଟ ଓ ଗାଇଡ ନାମକରଣର ସାର୍ଥକତା ରହିଛି ବୋଲି ସେ କହିଥିଲେ । ଶିକ୍ଷାଗ୍ରହଣ ସହ ସ୍କାଉଟ୍‌ି ଭାବେ ସେବାଧାରା ଜୀବନର ପ୍ରତିଟି ମୁହୂର୍ତ୍ତରେ ଆବଶ୍ୟକତା ରହିଛି ବୋଲି ଅତିଥିମାନେ ଶ୍ରୀ ମହାପାତ୍ର ମତ ପ୍ରକାଶ କରିଥିଲେ । ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର ଏହି ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଜିଲା ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ, ପ୍ରାଚୀ ତନୟା ଗିରି ଓ ଧରଣୀଧର ପାତ୍ର, ପୂର୍ବତନ ଶାରୀରିକ ଶିକ୍ଷା ନିରୀକ୍ଷକ ପ୍ରଦୀପ କୁମାର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେଶ୍ୱର ପଣ୍ଡା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୀନଦୁଃଖୀଙ୍କ ସେବା ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ଜରୁରୀକାଳୀନ ପରିସ୍ଥିତିରେ ଜନସାଧାରଣଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନରେ ହିଁ ସ୍କାଉଟ ଓ ଗାଇଡଙ୍କ ମହାନତା ପରିପ୍ରକାଶ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ । ଜିଲାସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ ଏଥିରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ କୁମାର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କ୍ୟାମ୍ପୋରିରେ ଶ୍ରେଷ୍ଟ ସ୍କାଉଟ ମାଷ୍ଟର ଫୁଲବଣୀ ହାଇସ୍କୁଲର ତାରାପଦ ସେଠୀ, ଶ୍ରେଷ୍ଠ ଗାଇଡ ଟାଉନ ହାଇସ୍କୁଲର ଲୀନା ରାମ, ଶ୍ରେଷ୍ଠ ସ୍କାଉଟ ଅରବିନ୍ଦ ଇଣ୍ଟିଗ୍ରାଲ ହାଇସ୍କୁଲର ବିସ୍ମୟ କୁମାର ପଟ୍ଟନାୟକ ଓ ଶ୍ରେଷ୍ଠ ଗାଇଡ କ୍ୟାପଟେନ ରେମୁଣା ସରକାରୀ ବାଳିକା ବିଦ୍ୟାଳୟର ଦେବସୋମା କରଙ୍କୁ ପୁରସ୍କୃତ କରାଯାଇଥିଲା । ରାଜ୍ୟ ଭାରତ ସ୍କାଉଟସ ଏବଂ ଗାଇଡ୍ସ ସଙ୍ଗଠନ ତଥା ଜିଲା ସ୍କାଉଟସ ଓ ଗାଇଡସ ସଂଗଠନର ମିଳିତ ସହଯୋଗରେ ଆୟୋଜିତ କେମ୍ପୋରି ଜିଲାର ମୋଟ ୧୮୫ ବିଦ୍ୟାଳୟରୁ ୩୯୯ ସ୍କାଉଟ, ୧୨୬ ଗାଇଡ, ସ୍କାଉଟ ମାଷ୍ଟର ୧୨୫ ଓ ଗାଇଡ କ୍ୟାପଟେନ ୬୭ ଏବଂ ୩୦ ପରିଚାଳକ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏହି ତିନି ଦିନିଆ ଶିକ୍ଷା କ୍ୟାମ୍ପୋରିରେ ଛାତ୍ରଛାତ୍ରୀଙ୍କ ଶାରୀରିକ, ମାନିସକ ଓ ବୌଦ୍ଧିକ ବିକାଶ ଭିତ୍ତିକ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେହିଭଳି ବାଲେଶ୍ୱର ଜିଲା ଜୁନିଅର ରେଡ଼କ୍ରସ କାଉନସେଲର ପ୍ରଶିକ୍ଷଣ ଶିବିର ଉଦଯାପନୀ ଉତ୍ସବରେ ଜିଲା ଶିକ୍ଷାଧିକାରୀ ବିଷ୍‍ଣୁ ଚରଣ ସୂତାର ମୁଖ୍ୟଅତିଥି ଓ ପୂର୍ବତନ ଜିଲା ଜୁନିୟର ରେଡ଼କ୍ରସ ସମ୍ପାଦକ ପ୍ରଦୀପ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବାମନ ଚରଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଶୋକ କୁମାର ନାୟ ଶେଷରେ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ