ସ୍କୁଲରେ ଦିଆଯିବ ହକି କୋଚିଂ
ଭୁବନେଶ୍ୱର : ତୃଣମୂଳସ୍ତରରୁ ଜାତୀୟ ଖେଳ ହକି ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀଙ୍କୁ ହକି ଖେଳ ସମ୍ପର୍କରେ କୋଚିଂ ଦିଆଯିବ । ଛାତ୍ରଛାତ୍ରୀ ଭବିଷ୍ୟତରେ କିଭଳି ରାଜ୍ୟ ତଥା ଦେଶ ପାଇଁ ଭଲ ପ୍ରଦର୍ଶନ କରିପାରିବେ ସେଦିଗରେ ବି ପଦକ୍ଷେପ ନିଆଯିବ । ଏଥିପାଇଁ ନାଭାଲ୍ ଟାଟା ହକି ଏକାଡେମି ପକ୍ଷରୁ ଉକ୍ତ ଦୁଇ ଜିଲ୍ଲାର ୭ଟି ସ୍କୁଲର ଖେଳପଡ଼ିଆରେ ହକି ତାଲିମ ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
କ୍ରୀଡ଼ା ସଚିବ ବିଶାଳ ଦେବ ଏନେଇ ଗତ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବକୁ ଚିଠି ଲେଖି ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ । ସଚିବ ଶ୍ରୀ ଦେବ କହିଥିଲେ ଯେ ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ହକି ତାଲିମ ଦିଆଯିବ । ୧୦ଟି କେନ୍ଦ୍ରରେ ଏହି ତାଲିମ ଶିବିର ହେବ । ସେଥିମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାର ୫ଟି ଓ ସମ୍ବଲପୁର ଜିଲ୍ଲାର ୨ଟି ସରକାରୀ ଅନୁବନ୍ଧିତ ବିଦ୍ୟାଳୟ(ଯେଉଁଥିରେ ମିସନ ସ୍କୁଲ ରହିଛି)ରେ ଖେଳ ପଡ଼ିଆ ରହିଛି । ଯେଉଁଠାରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ପିଲାଙ୍କୁ ହକି ତାଲିମ ମିଳିବ । ସ୍କୁଲ ସମୟ ପୂର୍ବରୁ କିମ୍ବା ପରେ ଏହି ତାଲିମ କାର୍ଯ୍ୟକ୍ରମ ଚାଲିବ । ତେଣୁ ସମ୍ପୃକ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ତାଲିମ ଦିଗରେ ସମସ୍ତ ପ୍ରକାର ସହଯୋଗ କରିବାକୁ କହିଥିଲେ ।
ଉକ୍ତ ଚିଠିକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଯୁଗ୍ମ ସଚିବ ପି କେ ମିଶ୍ର ଏବେ ଉକ୍ତ ଦୁଇ ଜିଲ୍ଲାର ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ସହଯୋଗ କରିବାକୁ କହିଛନ୍ତି । ପ୍ରସ୍ତାବିତ ସ୍କୁଲଗୁଡ଼ିକ ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ାର ବିସୋପ ହର୍ମନ ମିସନ ୟୁପି ସ୍କୁଲ, ନୂଆଗାଁର ପଞ୍ଚାୟତ ସମିତି ହାଇସ୍କୁଲ ଓ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ, କୁର୍ତ୍ତାର କାହୁପାଣି ମିସନ ୟୁପି ସ୍କୁଲ, ସବଡେଗାର ନୁ୍ୟ ଓଡ଼ିଶା ହାଇସ୍କୁଲ, ସମ୍ବଲପୁର ଜିଲ୍ଲାର ବାମରାସ୍ଥିତ ରାବଗା ମାଝପଡ଼ା ମିସନ ହାଇସ୍କୁଲ ଓ ଯୁଯୁମରାର ସତ୍ୟଜ୍ୟୋତି ୟୁପି ସ୍କୁଲ କର୍ତ୍ତୃପକ୍ଷ ଏ ଦିଗରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।