ସ୍କୁଲ ଭିତରେ ମଳ ବର୍ଷା ଘଟଣାରେ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଆରମ୍ଭ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍କୁଲ ଭିତରେ ମଳ ବର୍ଷା ହେବା ଘଟଣାରେ ଆଜି ତଦନ୍ତ ଆରମ୍ଭ କରିଛି ସାଇଣ୍ଟିଫିକ୍ ଟିମ୍ । ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନଙ୍କ ଦ୍ୱାରା ସୋମବାର ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଳିଙ୍ଗୀ ପଂଚାୟତର ତୁଡୁକପଲ୍ଲୀ ଗ୍ରାମରେ ଥିବା ସ୍କୁଲରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହ ସ୍କୁଲର ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ତେବେ ରାସ୍ତାରେ ପଡିଥିବା ମଳ ଛାତ୍ରଛାତ୍ରୀ ମାନଙ୍କ ଡ୍ରେସରେ ଲାଗିଥିବା ନେଇ କହିଛନ୍ତି ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ । ସୂଚନା ଯୋଗ୍ୟ ଯେ, ଗତ କିଛି ଦିନ ହେଲା ଛତ୍ରପୁର ବ୍ଲକର ତୁଡୁକପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କ ଉପରେ ମଳ ପଡୁଥିବା ସହ ମଧ୍ୟାହ୍ନ ଭୋଜନରେ ମଧ୍ୟ ମଳଛିଟା ପଡୁଥିବା ଅଭିଯୋଗ ହୋଇ ଆସୁଥିଲା । ଯାହା ଫଳରେ ପାଠ ପଢା ବାଧାପ୍ରାପ୍ତ ହେବା ସହ ପିଲାମାନେ ମଧ୍ୟ ସ୍କୁଲକୁ ଯିବା ପାଇଁ ଭୟ କରୁଥିଲେ । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରୁଥିଲା । ସୋମବାର ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।