ସ୍କୁଲ ମିଶ୍ରଣ ପ୍ରକ୍ରୀୟା, ଅଭିଯୋଗର ତଦନ୍ତରେ ବିଳମ୍ବକୁ ନେଇ ବଢ଼ୁଛି ଅସନ୍ତୋଷ

ହାଟଡିହି, (ବିକାଶ ବିଶ୍ୱାଳ ) : ରାଜ୍ୟ ସରକାର କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟ ମାନଙ୍କରେ ମିଶ୍ରଣ କରିବାକୁ ନିଷ୍ପତି ନେବାପରେ ଅନେକ ଗ୍ରାମରେ ଏହାକୁ ବିରୋଧ କରାଯାଇଥିଲା । ଅନେକ ସ୍ଥାନରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାରୁ ରାଜ୍ୟ ସରକାର ଏହାର ପୁନର୍ବଚାର ପାଇଁ ନିଷ୍ପତି ନେଇଥିଲେ । ଏଥିପାଇଁ ପ୍ରତି ବ୍ଲକରେ ବିଡିଓଙ୍କ ଅଧ୍ୟକ୍ଷତାରେ ସିଡିପିଓ, ଜିପିଓ ଏବଂ ଡବ୍ଲୁଇଓ ମାନଙ୍କୁ ନେଇ ଏକ କମିଟି ଗଠନ କରି ସେମାନଙ୍କ ଦ୍ୱାରା ତଦନ୍ତ କରାଯାଇ ସେମାନଙ୍କ ନିଷ୍ପତି ଅନୁସାରେ ପଦକ୍ଷେପ ନିଆଯିବାକୁ ଘୋଷଣା କରିଥିଲେ । କିନ୍ତୁ ହାଟଡିହି ବ୍ଲକରେ ୧୧ଟି ଗ୍ରାମର ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇପାରି ନାହିଁ । ବ୍ଲକର ଏଲକଣିଆଁ ପ୍ରାଥମିକ, ବିଷ୍ଣୁପୁର ପ୍ରାଥମିକ, ଜାମିତିରା ୟୁଜିୟୁପି, ମଧୁରଗଡିଆ ନୁତନ ପ୍ରାଥମିକ, ତରାଗାଡିଆ ପ୍ରାଥମିକ, ବରାଙ୍ଗ ପ୍ରାଥମିକ, ନୁଆ ସିଙ୍ଗଡୋବ ପ୍ରାଥମିକ, ଧାନଘର ପ୍ରାଥମିକ,ବଣିଆରୀ ମୁଦୁଲିପଦା ନୁତନ ଉଚ୍ଚ ପ୍ରାଥମିକ, କାଠିଆସରା ପ୍ରାଥମିକ, କୁରାଢ଼ିଘସା ପ୍ରାଥମିକ ବିଦ୍ୟାଳୟ ଆଦି ବିଦ୍ୟାଳୟ ଗୁଡିକ ଅନ୍ୟ ବିଦ୍ୟାଳୟ ସହିତ ମିଶ୍ରଣ ହେବାକୁ ଥିବାବେଳେ ଗ୍ରାମବାସୀ ଓ ଅଭିଭାବକମାନେ ଏହାର ବିରୋଧ କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଜଣାଇ ପୁନତଦନ୍ତ କରିବାକୁ ନିବେଦନ କରିଥିଲେ । କିନ୍ତୁ ବ୍ଲକରେ ଗଠିତ ହୋଇଥିବା କମିଟି ଆଜି ପର୍ଯ୍ୟନ୍ତ ଏଲକଣିଆଁ, ବିଷ୍ଣୁପୁର ଓ ବଣିଆରୀ ମୁଦୁଲିପଦା ସ୍କୁଲ ପରିଦର୍ଶନ କରି ସ୍କୁଲ ରହିବା ନରହିବା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ମାତ୍ର ତିନୋଟି ବିଦ୍ୟାଳୟ ବ୍ୟତିତ ଅନ୍ୟ ବିଦ୍ୟାଳୟ ଗୁଡିକୁ ଅନୁଧ୍ୟାନ କରିବାକୁ ଯିବାକୁ କମିଟି ବିଳମ୍ବ କରୁଥିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ