ସ୍କୁଲ ଯିବାକୁ କହିବାରୁ ନାବାଳକ ପୁଅ ନେଲେ ଚରମ ନିଷ୍ପତ୍ତି

କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି):ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ସେମେଲପଦର ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିଖୋଜ ହେବାର ୪ଦିନ ପରେ ଜଣେ ନାବାଳକଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି, ମିଳିଥିବା ସୂଚନା ମୁତାବକ ଗ୍ରାମର ସୋରିଷ ମାଝୀଙ୍କ ୧୪ ବର୍ଷୀୟ ପୁଅ ଶୁଭେନ୍ଦ୍ର ମାଝୀ ଗତ ୧୪ ତାରିଖରେ ଘରୁ ଗାଧୋଇ ଯିବାପାଇଁ କହି ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ନ ପାଇବାରୁ ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନିଖୋଜ ମାମଲା (ନଂ.୫/୨୫) ରୁଜୁକରି ତଦନ୍ତ ଜାରି ରଖିଥିଲା, ଏପରିସ୍ଥଳେ ଶନିବାର ଗ୍ରାମ ନିକଟ ଡ଼ିମଡିସିଲ ଜଙ୍ଗଲର ଏକ ଗଛରେ ଶୁଭେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ପରିବାର ଲୋକେ ଦେଖି କର୍ଲାପାଟ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ କୋଲକା ଘଟଣାସ୍ଥଳରେ ପହଞ୍ଚି ଗଛରୁ ମୃତଦେହ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଡାକ୍ତରଖାନାକୁ ପଠାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ଶୁଭେନ୍ଦ୍ର ସାଇସୁରୁଣୀସ୍ଥିତ ଏକଲବ୍ୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ। ସ୍କୁଲ ଯିବା ପାଇଁ କହିବାରୁ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ଗ୍ରାମବାସୀଙ୍କଠାରୁ ଶୁଣାଯାଉଛି। ପୋଲିସ ମଧ୍ୟ ଏଭଳି ହୋଇଥାଇପାରେ ବୋଲି ସନ୍ଦେହ କରି ତଦନ୍ତ କରୁଥିବା ଥାନା ଏଏସ୍‌ଆଇ ହେମନ୍ତ ହରିଜନ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ