ସ୍ତ୍ରୀକୁ ବାପଘରେ ଛାଡି ଚାଲିଯାଉଥିବା ସମୟରେ ଜ୍ୱାଇଁକୁ ଅଟକ ରଖି ଥାନାରେ ଦେଲେ ଶ୍ୱଶୁର ଘର ଲୋକେ
ଘଟଗାଁ,(ଓ୍ବାଇଏନ୍ଏସ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ସାନ୍ତାପୁର ଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ବର୍ତମାନ ସାମ୍ନାକୁ ଆସିବା ସହିତ ବର୍ତମାନ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସାନ୍ତରାପୁର ଗ୍ରାମର ବିଧବା ବାସନ୍ତି ମହାନ୍ତଙ୍କ ଝିଅ କୌଶଲ୍ୟା ମହାନ୍ତ ୬ ବର୍ଷ ପୂର୍ବେ ଗୁଜୁରାଟ ରାଜ୍ୟର ଭାନବାଦ ଗ୍ରାମର ହିରାଭାଇଙ୍କ ପୁଅ ରାଥୋର୍ଡ ହରେଶ ଭାଇଙ୍କୁ ବିବାହ କରିଥିଲେ । କିନ୍ତୁ ଚଳିତ ବର୍ଷ ନୂଆ ବର୍ଷ ଦିନ ସ୍ୱାମୀ ସ୍ତ୍ରୀ ଦୁହେଁ ଆସିଥିଲେ ସାନ୍ତରାପୁର କୌସଲ୍ୟାଙ୍କ ବାପ ଘରକୁ । ଗୋଟିଏ ଦିନ ରହି କୌସଲ୍ୟାଙ୍କ ସ୍ୱାମୀ ରାଥୋର୍ଡ ହରେଶ ଭାଇ କୌସଲ୍ୟାକୁ ସବୁଦିନ ପାଇଁ ବାପ ଘରେ ଛାଡି ଚାଲିଯାଉଥିବା ସମୟରେ କୌସଲ୍ୟାଙ୍କ ପରିବାର ଲୋକେ ରାଥୋର୍ଡ ହରେଶ ଭାଇକୁ ଅଟକ ରଖିବା ସହିତ ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ୍ ଅଭିଯୋଗ ପାଇ ଅଭିଯୁକ୍ତକୁ ଥାନାରେ ଅଟକ ରଖିବା ସହିତ ତଦନ୍ତ ଚଲାଇଛି । ସମ୍ପୁର୍ଣ୍ଣ ଖବର ଅନୁସାରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ସାନ୍ତାପୁର ଗ୍ରାମର ବିଧବା ବାସନ୍ତି ମହାନ୍ତଙ୍କ ବଡ ଝିଅ କୌଶଲ୍ୟା ମହାନ୍ତ । ବାସନ୍ତିଙ୍କ ସ୍ୱାମୀ ସ୍ୱର୍ଗତ ଗୁରୁଚରଣ ମହାନ୍ତ । ବାସନ୍ତିଙ୍କର ପାଂଚଟି ଝିଅ । ଆଜକୁ ୮ ରୁ ୧୦ ବର୍ଷ ପୂର୍ବେ ମୃତ୍ୟୁବରଣ କରିବା ପରେ ବିଧବା ବାସନ୍ତଙ୍କ ମୁଣ୍ଡରେ ପାଂଚ ପାଂଚଟି ଝିଅର ବୋଝ । ତଥାପୀ ଆଜକୁ ୬ ବର୍ଷ ପୂର୍ବେ ବାସନ୍ତି ମହାନ୍ତ ଗୁଜୁରାଟ ରାଜ୍ୟର ଭାନବାଦ ଗ୍ରାମର ହିରାଭାଇଙ୍କ ପୁଅ ରାଥୋର୍ଡ ହରେଶ ଭାଇଙ୍କ ସହିତ କୌସଲ୍ୟାକୁ ବିବାହ କରିଥିଲେ । ତେବେ ଦୀର୍ଘ ୬ ବର୍ଷ ଦୁହିଁଙ୍କ ବୈବାହିକ ଜୀବନ କିଭଳି ଥିଲା ତାହା ଅଷ୍ପଷ୍ଟ । କିନ୍ତୁ କେଉଁ କାରଣରୁ ଗତ ଜାନୁଆରୀ ୧ ତାରିଖ ନୂଆ ବର୍ଷ ଦିନ ଉଭୟ କୌସଲ୍ୟା ଓ ତାଙ୍କ ସ୍ୱାମୀ ସାନ୍ତରାପୁର ଆସିଥିଲେ । ଦୁଇ ଦିନ ଗଲା ପରେ ଆଜି କୌସଲ୍ୟାକୁ ତାଙ୍କ ସ୍ୱାମୀ ରାଥୋର୍ଡ ହରେଶ ଭାଇ ସବୁଦିନ ପାଇଁ ଛାଡି ଚାଲିଯାଉଛି ବୋଲି ଶାଶୁ ବାସନ୍ତ ମହାନ୍ତୁଙ୍କୁ କହି ପଳାଇଯାଉଥିଲା । ଏକଥା ଦେଖି ବିଧବା ବାସନ୍ତି ମହାନ୍ତ ମୋ ଝିଅକୁ ୬ ବର୍ଷ ରଖି ଏବେ କଣ ପାଇଁ ଛାଡି ପଳାଉଛୁ ବୋଲି କହି ଗାଁ ଲୋକଙ୍କୁ ଡାକି ତାକୁ ଅଟକ ରଖି ତାକୁ ବୁଝାସୁଝା କରିଥିଲେ । କିନ୍ତୁ ରାଥୋର୍ଡ ହରେଶ ଭାଇ କୌସଲ୍ୟାକୁ ନେବାକୁ ଆଦୌ ରାଜି ନହେବାରୁ କୌସଲ୍ୟା ନିକଟସ୍ଥ ଘଟଗାଁ ଥାନା ଅଧିନସ୍ଥ ଢେଙ୍କିକୋଟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ଘଟଗାଁ ପୋଲିସ ଅଭିଯୁକ୍ତ ରାଥୋର୍ଡ ହରେଶ ଭାଇଙ୍କୁ ଥାନାରେ ଅଟକ ରଖିବା ସହିତ ତଦନ୍ତ ଚଲାଇଛି ।