ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ କରି ସ୍ୱାମୀ ଗିରଫ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ପଣିବନ୍ଧ ଗ୍ରାମରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ଗାଙ୍ଗପୁର ପୋଲିସ୍ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆଜି ସକାଳ ଛଅ ଘଣ୍ଟା ସମୟରେ ପଣିବନ୍ଧ ଗ୍ରାମର ବିଜୟ ବେହେରାଙ୍କ ସ୍ତ୍ରୀ ନିର୍ମଳା ବେହେରା ନିଜର ଦୁଇ ଶିଶୁଙ୍କୁ ଧରି ଘର ଛପର ନିମନ୍ତେ ଛଣ କାଠ ସଂଗ୍ରହ କରିବା ପାଇଁ ଯାଇଥିଲେ I ସେ ଛଣ କାଠ ଧରି ଫେରିବା ସମୟରେ ରାସ୍ତାରେ ତାଙ୍କ ସ୍ୱାମୀ ବିଜୟ ବେହେରା ତାଙ୍କୁ ଅଟକାଇବା ସହ ଅନ୍ୟ ଲୋକ ସହ ଅନୈତିକ ସମ୍ପର୍କ ରଖୁଥିବା ସନ୍ଦେହ କରି ଏକ କାଠ ଫାଳିଆରେ ନିର୍ମଳାଙ୍କ ମୁଣ୍ଡ ଏବଂ ଦେହକୁ ମରଣାନ୍ତକ ଆକ୍ରମଣ କରିଥିଲା I ଫଳରେ ନିର୍ମଳା ବେହୋସ ହୋଇ ପଡ଼ିଯାଇଥିଲେ I ଏହା ସହିତ ବିଜୟ ନିର୍ମଳାଙ୍କ ଗୁପ୍ତାଙ୍ଗଙ୍କୁ ମଧ୍ଯ ଆକ୍ରମଣ କରିଥିଲା I ଫଳରେ ନିର୍ମଳାଙ୍କର ପ୍ରବଳ ରକ୍ତସ୍ରାବ ହେବା ସହିତ ସେ ଗୁରୁତର ଭାବେ ଆହତ ହୋଇଥିଲେ I ନିର୍ମଳାଙ୍କ ଶାଶୁ ତାଙ୍କୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗେ ଧରାକୋଟ ମେଡ଼ିକାଲ୍ କୁ ନେଇଥିଲେ I କିନ୍ତୁ ନିର୍ମଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଠାରୁ ବ୍ରହ୍ମପୁର ମେଡ଼ିକାଲ୍ କୁ ସ୍ଥାନାନ୍ତର କରାଯାଇଛି I ଏନେଇ ବିଜୟ ବିରୁଦ୍ଧରେ ନିର୍ମଳାଙ୍କ ଭାଇ ସୋରଡ଼ା ଥାନା ଅନ୍ତର୍ଗତ ଭାଲିଆପଡା ଗ୍ରାମର ରାଜୁ ବେହେରା ଗାଙ୍ଗପୁର ଥାନାରେ ଅଭିଯୋଗ କରିଛନ୍ତି I ରାଜୁଙ୍କ ଏତାଲାକୁ ଭିତ୍ତିକରି ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 202/25 ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତକାରୀ ଅଧିକାରୀ ତଥା ଗାଙ୍ଗପୁର ଥାନା ଏସ୍ଆଇ ଆର୍ତ୍ତତ୍ରାଣ ଦାନୀ ଘଟଣାର ତଦନ୍ତ କରିବା ସହ ଘଟଣା ସ୍ଥଳକୁ ଯାଇ ସେଠାରୁ ଉକ୍ତ କାଠ ଫାଳିଆ ଜବତ କରିଛନ୍ତି I ଏହା ସହିତ ବିଜୟକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି I ପ୍ରକାଶ ଥାଉକି ଏହା ପୂର୍ବରୁ ନିର୍ମଳାଙ୍କ ସ୍ୱାମୀ ବିଜୟ ଅଧିକ ଯୌତୁକ ଦାବୀ କରି ନିର୍ମଳାଙ୍କ ଉପରେ ଶାରୀରୀକ ଏବଂ ମାନସିକ ଅତ୍ୟାଚାର କରିଥିବା ଅଭିଯୋଗରେ ଗାଙ୍ଗପୁର ଥାନାରେ 252/22 ରେ ଏକ ମାମଲା ରୁଜୁ ହେବା ସହିତ ସେ ଗିରଫ ହୋଇ ଜେଲ ଯାଇଥିବା ନେଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ