ସ୍ତ୍ରୀ’ ହତ୍ୟାକାରୀ ସ୍ୱାମୀକୁ ଥାନାରେ ଅଟକ

ସମ୍ବଲପୁର, (ଲିପନ ନାଏକ):କୁଚିଣ୍ଡା ଉପଖଣ୍ଡ ବେଣିଆପୋଷୀ ଗ୍ରାମରେ ରାଧା କିସାନ ନାମ୍ନୀ ଜନୈକା ୩୧ ବର୍ଷିୟା ମହିଳାକୁ ତା ସ୍ୱାମୀ ନିର୍ମମ ଭାବେ ହତ୍ୟା କରିବା ଘଟଣା ସଂପୃକ୍ତ ଅଞ୍ଚଳରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। ଏହି ଅପରାଧର ସୂଚନା ପାଇବା ପରେ ପୋଲିସ ମୃତ ମହିଳାଙ୍କ ଶବକୁ ଜବତ କରିବା ସହ ଅଭିଯୁକ୍ତ ସ୍ୱାମୀ ଗୁଣନିଧି କିସାନ‌କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାଯାଇଛି।ସୂଚନାନୁଯାୟୀ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ମହୁଲପାଲି ଥାନା ଅନ୍ତର୍ଗତ କୁସୁମୀ ନିକଟସ୍ଥ ବେଣିଆ ପୋଷୀ ଗ୍ରାମରେ ଏହି ଘଟଣା ଘଟିଛି ।ବଣିଆପୋଷୀ ଗ୍ରାମର ଇନ୍ଦ୍ର କିସାନଙ୍କ ୩୩ ବର୍ଷିଅ ପୁଅ ଗୁଣନିଧି ଗୁରୁଣ୍ଡିଆ ଥାନା ରାଇକାଜମ ଗ୍ରାମର ରାଧା କିସାନଙ୍କୁ ବିବାହ କରିଥିଲେ । ମାତ୍ର ନିଶା ଏବଂ ଘରୋଇ କଳିକୁ ନେଇ ଉଭୟଙ୍କ ମଧ୍ୟରେ ସର୍ବଦା କଳିଗୋଳ ଲାଗି ରହୁଥିଲା । ମାତ୍ର ଆଜି ରାଧାଙ୍କ ରକ୍ତାକ୍ତ ମୃତଦେହ ପଡିଥିବା ଲୋକେ ଦେଖିବା ପରେ ତୁରନ୍ତ ମହୁଲପାଲି ଥାନାକୁ ସୂଚନା ଦେଇଥିଲେ । ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ରାଧାର ଶବକୁ ଜବତ କରିବା ସହ ସନ୍ଦିଗ୍ଧ ଅଭିଯୁକ୍ତ ସ୍ୱାମୀ ଗୁଣନିଧିକୁ ପୋଲିସ ଥାନାକୁ ନେଇ ଅଟକ ରଖି ଘଟଣାର ତଦନ୍ତ କରୁଛି । କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ରାଧାର ମୃତଦେହ ବ୍ୟବଛେଦ ହୋଇଥିବା ଜଣାଯାଇଛି । ଥାନାରେ ଅଟକ ଅଭିଯୁକ୍ତକୁ ଜେରା ଓ ଘଟଣା ସ୍ଥଳରେ ପୋଲିସ ସାଇଣ୍ଟିଫିକ ଟିମର ତଦନ୍ତ ବେଳେ ଗୁଣନିଧି ନିଜ ସ୍ତ୍ରୀକୁ ବାଉଁଶ ଠେଙ୍ଗାରେ ନିର୍ମମ ଭାବେ ପିଟିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ସମ୍ପୁର୍ଣ୍ଣ ତଦନ୍ତ କରିବା ପରେ ଆସନ୍ତାକାଲି କୋର୍ଟ ଚାଲାଣ କରିବ ବୋଲି ଜଣାଯାଇଛି । ଖବରପାଇ ମୃତା ରାଧାଙ୍କ ଭାଇ ମଙ୍ଗଳୁ କିସାନ ମହୁଲପାଲି ଥାନାରେ ପହଞ୍ଚି ଭଉଣୀର ହତ୍ଯା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିବା ଥାନା ସୂତ୍ରରୁ ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ