ସ୍ଥଗିତ ରହିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା
କଟକ,(ଦୀପକ୍ କୁମାର ବେଉରା): ସ୍ଥଗିତ ରହିଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ପ୍ରକ୍ରିୟା । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ରାମସିସ ହାଜେରା । ସକାଳୁ ମାଟ୍ରିକ ଫର୍ମ ପୂରଣ ବିଜ୍ଞପ୍ତି ପ୍ରତ୍ୟାହାର କରିବା ପାଇଁ ବୋର୍ଡ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।କୋରୋନାର ଦ୍ବିତୀୟ ଲହରିକୁ ଆଶଙ୍କା କରି ଡିସେମ୍ବର ୩୧ ଯାଏ ସ୍କୁଲ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଏହାକୁ ଦୃଷ୍ଟିରେ ରଖି ବୋର୍ଡ ଏପରି ନିଷ୍ପତ୍ତି ନେଇଥିବା ସୂଚନା । ପୂର୍ବରୁ ନଭେମ୍ବର ୯ ରୁ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ ପ୍ରକ୍ରିୟା ଚାଲିବ ବୋଲି ବୋର୍ଡ ପକ୍ଷରୁ ଗତ ୫ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଫଳରେ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି । ସେପଟେ ସରକାରଙ୍କ ସହ ଆଲୋଚନା କରି ପରବର୍ତ୍ତୀ ସମୟରେ ଫର୍ମ ପୂରଣ ପାଇଁ ପୁନର୍ବାର ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ବୋର୍ଡ ସଭାପତି କହିଛନ୍ତି ।


