ସ୍ଥାନାନ୍ତରିତ ହେବ ଉଠା ପରିବା ଦୋକାନୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ତରାତାରିଣୀ ମୁଖ୍ୟ ରାସ୍ତା ପ୍ୱାଶ୍ୱର୍ରେ ଅବସ୍ଥିତ ପରିବା ବଜାର ମଧ୍ୟରେ ଦୀର୍ଘ ଦିନ ଧରି ପରିବା ବ୍ୟବସାୟ କରି ଆସୁଥିବା ଉଠା ବେପାରୀ ମାନେ ଦୀର୍ଘ ଦିନ ପରେ ସେଠାରୁ ସ୍ଥାନାନ୍ତର ହେବା ପାଇଁ ରାଜି ହୋଇଛନ୍ତି । ପରିବା ବଜାର ଦୋକାନ ଗୁଡ଼ିକ ସମ୍ମୁଖ ଭାଗରୁ ରାସ୍ତାର ପ୍ରାୟ ଅର୍ଦ୍ଧାଧିକ ଭାଗ ରାସ୍ତା ଉପରେ ଉଠା ପରିବା ବ୍ୟବସାୟୀ ମାନେ ରାସ୍ତାକୁ କବ୍ଚା କରି ରଖୁଥିଲେ । ପରିବା ବଜାର ପରିସରରେ ଉଠା ପରିବା ବେପାରୀ ମାନଙ୍କ ଯୋଗୁଁ ରାସ୍ତା ଜାମ ସହ ବହୁ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ଆସୁଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇ ଆସୁଥିଲା । ସ୍ଥାନୀୟ ପୋଲିସ ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ବହୁ ସମୟରେ ପ୍ରତିକାର ବ୍ୟବସ୍ଥା ସ୍ୱରୁପ ଉଠା ପରିବା ବେପାରୀ ମାନଙ୍କୁ ରାସ୍ତା ଉପରୁ ହଟାଯାଇ ପରିବା ବଜାର ପରିସରରେ ନିର୍ମାଣ ହୋଇଥିବା ଡ଼୍ରେନ ଠାରୁ ମାତ୍ର ଅଳ୍ପ ଦୂରତା ମଧ୍ୟରେ ବ୍ୟବସାୟ କରିବା ସକାଶେ ଅନୁମତି ପ୍ରଦାନ କରାଯାଇଥିଲେ ମଧ୍ୟ ପ୍ରଶାସନର କଟକଣାର ମାତ୍ର ୨/୩ ଦିନ ପରେ ଯଥା ପୂବଂ ତଥା ପରଂ ନୀତିରେ ପୁଣିଥରେ ଉଠା ବ୍ୟବସାୟୀ ମାନେ ରାସ୍ତା ଅବରୋଧ କରି ନିଜ ନିଜର ବେପାର ବଣିଜ କରି ଆସୁଥିଲେ । ଫଳରେ ଏହାର ସ୍ଥାୟୀ ପ୍ରତିୀକାର ହୋଇ ପାରୁନଥିଲା । ଚଳିତ ମାସ ୩ ତାରିଖରେ ପୌରପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବେ ଡ଼ଃ. ମନୋରଂଜନ ସାହୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ସ୍ଥାନୀୟ ପୌରାଂଚଳର ସୌନ୍ଦର୍ଯ୍ୟକରଣ ଓ ଟ୍ରାଫିକ ସମସ୍ୟା ପ୍ରତି ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରିଥିଲେ । ୫୯ ନଂ ଜାତୀୟ ରାଜପଥ ତଥା ପୌରାଂଚଳ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ପ୍ୱାଶ୍ୱର୍ରେ ଅସ୍ଥାୟୀ ଭାବେ ଠେଲାଗାଡ଼ି ସାହାର୍ଯ୍ୟରେ ଫାଷ୍ଟଫୁଡ଼ ଦୋକାନ କରିଥିବା ପ୍ରାୟ ୧୮ ଟି ଦୋକାନୀଙ୍କୁ ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ନିକଟସ୍ଥ ଅଂଚଳକୁ ସ୍ଥାନାନ୍ତରିତ କରାଯାଇଥିଲା । ଫଳରେ ଉକ୍ତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ନିକଟରେ ଦେଖାଯାଉଥିବା ଗୁରୁତର ଟ୍ରାଫିକ ସମସ୍ୟାରେ ସୁଧାର ଆସିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ତରାତାରିଣୀ ମୁଖ୍ୟ ରାସ୍ତା ପ୍ୱାଶ୍ୱର୍ରେ ଅବସ୍ଥିତ ପରିବା ବଜାର ମଧ୍ୟରେ ଦୀର୍ଘ ଦିନ ଧରି ପରିବା ବ୍ୟବସାୟ କରି ଆସୁଥିବା ଉଠା ବେପାରୀ ମାନଙ୍କ ସହ ଶନିବାର ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ସାହୁ ଆଲୋଚନା କରିଥିଲେ । ବହୁ ଆଲୋଚନା ପରେ ସଂପୃକ୍ତ ଅଂଚଳା ଉଠା ବେପାରୀ ମାନେ ଅନ୍ୟତ୍ର ସ୍ଥାନକୁ ସ୍ଥାନାନ୍ତରିତ ହେବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଉଠା ବେପାରୀ ମାନଙ୍କ ସମ୍ମତି ଅନୁସାରେ ବ୍ୟବସାୟୀ ମାନେ ଆସନ୍ତା ଦିନରେ ପରିବା ବଜାର ମୁଖ୍ୟୃ ରାସ୍ତା ଉପରେ ବ୍ୟବସାୟ ନକରି ସେମାନେ ତରାତାରିଣୀ ରୋଡ଼ ନିକଟରେ ଥିବା ଗଜଲକ୍ଷ୍ମୀ ପଡ଼ିଆ ମଧ୍ୟରେ ବ୍ୟବସାୟ କରିବେ । ପ୍ରାଥମିକ ପର୍ଯ୍ୟାୟରେ ଉଠା ବେପାରୀ ମାନଙ୍କୁ କୌଣସି ପ୍ରକାର ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ ଏବଂ ପୌର କାର୍ଯ୍ୟାଳୟ ପକ୍ଷରୁ ଉକ୍ତ ସ୍ଥାନରେ ଆଲୋକର ବ୍ୟବସ୍ଥା କରାଯିବ ବୋଲି ପୌର ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲା । ଉକ୍ତ ଆଲୋଚନା ବୈଠକରେ ନିର୍ବାହୀ ଅଧିକାରୀ ଡ଼ଃ. ସାହୁ, କନିଷ୍ଠ ଯନ୍ତ୍ରୀ ମାନସ ରଂଜନ ଦାଶ, ଦିଲ୍ଲିପ କୁମାର ମିଶ୍ରଙ୍କ ସମେତ ଶତାଧିକ ଉଠା ପରିବା ବେପାରୀ ଉପସ୍ଥିତ ଥିଲେ ।


