ସ୍ଥାନ ସଂରକ୍ଷଣ ରାଜ୍ୟ ସରକାରଙ୍କୁ ଦାବୀ ଓ ଧର୍ମେନ୍ଦ୍ରଙ୍କୁ ଅଭିନନ୍ଦନ : ପାଇକ ମହାସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ପାଇକ ମାନଙ୍କ ପ୍ରତି ସ୍ୱତନ୍ତ୍ର ସ୍ଥାନ ଓ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ବାରମ୍ବାର ଦାବି କରିବା ସତ୍ତେ୍ୱ ଏହାକୁ କାର୍ଯ୍ୟକାରୀ ନକରିବା ପାଇକ ମାନଙ୍କ ପାଇଁ ବଡ ଉପହାସ ବୋଲି କହିଛନ୍ତି ନିଖିଳ ଓଡିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ । ଓଡ଼ିଶା ଜନସଂଖ୍ୟାର ଅର୍ଦ୍ଧାଧିକ ଜନସଂଖ୍ୟା ହେଉଛନ୍ତି ପାଇକ ସମ୍ପ୍ରଦାୟର । ପାଇକ ଆଖଡ଼ା ସହିତ ଜଡ଼ିତ ପାଇକ, ଖଣ୍ଡାୟତ, କ୍ଷତ୍ରୀୟମାନେ ଏହି ଶ୍ରେଣୀ ଅନ୍ତର୍ଭୁକ୍ତ । ପରନ୍ତୁ ଶିକ୍ଷା ଠାରୁ •କିରୀ ଜୀବନ, ଜୀବିକା ପ୍ରତ୍ୟେକ କ୍ଷେତ୍ରରେ ପାଇକମାନେ ଶୋଷଣର ଶିକାର ହେଉଛନ୍ତି । ବାରମ୍ବାର ମହାସଂଘ ଦାବୀକରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉନାହାଁନ୍ତି କି ପାଇକମାନଙ୍କ ପାଇଁ ପୂର୍ବସୁରୀ କଳିଙ୍ଗ ଯୁଦ୍ଧ ଠାରୁ ଇଂରେଜ ବିରୁଦ୍ଧ ସ୍ୱାଧୀନତା ସଂଗ୍ରାମ ପର୍ଯ୍ୟନ୍ତ ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ନିଜ ଢାଲ, ତଲବାରୀ ସହିତ ଦେଶ ମାତୃକାର ସେବା ପାଇଁ ପ୍ରାଣବଳୀ ଦେଇଥିଲେ, ସେମାନଙ୍କ ଦାୟାଦ ଆଜି ପେଟ ପାଇଁ ଦେଶାନ୍ତର ହୁଏ । ‘ଦାଦନ’ର ଆଖ୍ୟା ନେଇ ଭିଟାମାଟି ଛାଡ଼େ । ଗରିବର କଷାଘାତରେ ଜର୍ଜରିତ ହୁଏ । ରାଜ୍ୟ ସରକାର ଯୋଜନା ପରେ ଯୋଜନା ଗଠନ କରନ୍ତି କିନ୍ତୁ ଏ ଯୋଜନାରେ ପାଇକ ପୁଅର ନାମ ନିଶାନ ଥାଏ । ଶିକ୍ଷା କ୍ଷେତ୍ରରେ ମଧ୍ୟ ସେହି ଗୋଟିଏ ସମସ୍ୟା ଉଚ୍ଚତର ଗବେଷଣାରୁ ସେ ସୁଯୋଗ ପାଏ ନାହିଁ । କଳା, ବିଜ୍ଞାନ, ବାଣିଜ୍ୟ, ଯାନ୍ତ୍ରିକ ବିଶ୍ୱବିଦ୍ୟାଳୟରେ ସ୍ଥାନ ନଥାଏ । ପାଇକ ଆଖଡ଼ା ଆଜି ମାଟିରେ ମିଶିଗଲାଣି । ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି କି ଏହାର ପୁନରୁଦ୍ଧାର ପାଇଁ କୌଣସି ଯୋଜନା ନାହିଁ । ସ୍କୁଲ୍, କଲେଜରେ ପାଇକ ଆଖଡ଼ାକୁ ସ୍ଥାନ ଦେଇ ଏନ୍.ସି.ସି., ସ୍କାଉଟ୍ ଭଳି ମାନ୍ୟତା ଦେବାକୁ ପାଇକ ମହାସଂଘର ବାରମ୍ବାର ଦାବୀ କରି ଆସୁଛି । ଆଜି ଏହି ମର୍ମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପାଇକ ମହାସଂଘ ପ୍ରକାଶ କରିଛି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଛି ପାଇକମାନଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ପ୍ରଚଳନ କରିବା ଓ ପାଇକମାନଙ୍କର ଅର୍ଥନୈତିକ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବାକୁ ମହାସଂଘ ଦାବୀ କରିଛି । ଆଜି ଏହି ବୈଠକରେ ପାଇକ ଜିନ୍ ଗବେଷକ ପ୍ରଫେସର ଗାୟନ ସାମଲ, ଖୋର୍ଦ୍ଧା ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, ମହାସଚିବ ପ୍ରମୋଦ କୁମାର ସାମନ୍ତରାୟ, ରାଜ୍ୟ କୋଷାଧ୍ୟକ୍ଷ ରଞ୍ଜନ ବଳିୟାରସିଂହ, ଉପଦେଷ୍ଟା ଭୀମସେନ ବିଶ୍ୱାଳ, ବିଭୂତି ସ୍ୱାଇଁ, ପାଇକଗୁରୁ ଭାସ୍କର ସୁନ୍ଦରାୟ, କଟକ ଜିଲ୍ଲା ସଭାପତି ରାଜକିଶୋର ବେହେରା, ଢେଙ୍କାନାଳ ଜିଲ୍ଲା ସଭାପତି ନବକିଶୋର ସାମଲ, ପୁରୀ ଜିଲ୍ଲା କଣାଷ ଦଳବେହେରା, ମନୋରଞ୍ଜନ ପଶ୍ଚିମକବାଟ, ଭୁବନେଶ୍ୱର ସଭାପତି ଅଜୟ ନାୟକ ପ୍ରମୁଖ ଦାବୀ କରିଛନ୍ତି ।