ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ଦାବିରେ ଓଡ଼ିଶା ଭୋକେଶନାଲ ଟ୍ରେନର୍ସ ଆସୋସିଏସନର ବିକ୍ଷୋଭ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ପ୍ରଦାନ ପାଇଁ ପୂର୍ବରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଣାଇଛୁ । ଏପରିକି ଭୋକେଶନାଲ ସଚିବ, ନିର୍ଦ୍ଦେଶକ, ଉପନିର୍ଦ୍ଦେଶକଙ୍କ ସହିତ ଆମର ସମସ୍ୟା ବିଷୟରେ ବାରମ୍ବାର ଆଲୋଚନା କରିଛୁ । ହେଲେ କିଛି ସୁଫଳ ନ ମିଳିବାରୁ ଆଜି ରାଜରାସ୍ତାକୁ ଆସି ବିକ୍ଷୋଭ କରୁଛୁ ବୋଲି ଓଡ଼ିଶା ଭୋକେଶନାଲ ଟ୍ରେନର୍ସ ଆସୋସିଏସନର ରାଜ୍ୟ ସଭାପତି ସୁନିଲ ଦେବତା କ୍ଷୋଭର ସହ ପ୍ରକାଶ କରିଛନ୍ତି । ଓଡ଼ିଶାର ସବୁ ଜିଲ୍ଲାରୁ ଭୋକେଶନାଲ ଟ୍ରେନର୍ସ ମାନେ ସଚିବାଳୟ ପଛପାଖରେ ଥିବା ଶିକ୍ଷାସୌଧ ଅଫିସ୍ ସମ୍ମୁଖରେ ନିଜର ଦାବି ପାଇଁ ଏକାଠି ହୋଇ ବିକ୍ଷାଭ କରିଥିଲେ । ସୋମନଙ୍କ କହିବା କଥା ହେଲା, ଆମ୍ଭେମାନେ ସମସ୍ତେ ପୋଷ୍ଟ ଗ୍ରାଜୁଏଟ । ଏପରିକି ଆମ ଭିତରେ ବହୁ ଟ୍ରେନର୍ସ ଓୟୁଏଟିରୁ ବିଏସିଏଜି ପାସ୍ କରି ବିଭିନ୍ନ ଜିଲ୍ଲାରେ ବିଭିନ୍ନ କମ୍ପାନୀ ଅଧିନରେ କାର୍ଯ୍ୟରତ ଅଛୁ । ହେଲେ କମ୍ପାନୀମାନେ ଆମକୁ ମନଇଚ୍ଛା ଦରମା ଦେଉଛନ୍ତି । ଆମେ ନିୟମିତ ଦରମା ପ୍ରଦାନ କରିବାକୁ କହିବା ପରେ, ସେମାନେ ଆମକୁ ଛଟେଇର ଧମକ ଦେଉଛନ୍ତି ଏବଂ କିଛି ପିଲାଙ୍କୁ ମଧ୍ୟ ଛଟେଇ କରିଛନ୍ତି । ଏପରିକି ପ୍ରତିମାସରେ ଦରମା ନଦେଇ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ଆମେ କିପରି ପରିବାର ପ୍ରତିପୋଷଣ କରିବୁ ବୋଲି ଭୋକେଶନାଲ ଟ୍ରେନର୍ସ ସଂଘର କର୍ମକର୍ତ୍ତାମାନେ ପ୍ରଶ୍ନ କରିଛନ୍ତି । ଅଧିକାଂଶ କମ୍ପାନୀ ଆମ୍ଭମାନଙ୍କୁ ଚାରିବର୍ଷ ଖଟେଇବା ପରେ ଛଟେଇ କରିଦେଉଛନ୍ତି ଏବଂ ନୂଆ କମ୍ପାନୀ ରେ ନିଯୁକ୍ତି ପାଇଁ ଆବେଦନ କରିବାରୁ, ସେମାନେ ଆମକୁ ଅଯୋଗ୍ୟ ବିବେଚିତ କରି ନିଯୁକ୍ତି ଦେଉନାହାଁନ୍ତି । ତେଣୁ ଆମେ ସରକାରଙ୍କୁ ପୁନଃ ନିବେଦନ କରୁଛୁ ଯେ ଆମକୁ ସ୍ଥାୟୀ ନିଯୁକ୍ତି ଓ ନିୟମିତ ଦରମା ଦେବାର ବ୍ୟବସ୍ଥା କରିବା ସହିତ ଛଟେଇ ହୋଇଥିବା ଟ୍ରେନର୍ସମାନଙ୍କୁ ପୁନଃ ନିଯୁକ୍ତିର ବ୍ୟବସ୍ଥା କରନ୍ତୁ । ଯଦି ସରକାର ଆମର ଦାବି ପ୍ରତି କର୍ଣ୍ଣପାତ ନକରନ୍ତି, ତେବେ ଆମେ ବିକ୍ଷୋଭକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରଖିବୁ ଏବଂ ଆଗାମୀ ଦିନରେ ମାଟ୍ରିକ ପରୀକ୍ଷାରେ କୌଣସି ସହଯୋଗ କରିବୁ ନାହିଁ ସ୍କୁଲ୍ ଯିବନାହି କିମ୍ବା ପରୀକ୍ଷା ଖାତା ମୂଲ୍ୟାୟନରେ ସହଯୋଗ କରିବାକୁ ନାହିଁ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି ।