ସ୍ଥାୟୀ ନିଯୁକ୍ତି ଓ ପରିଚୟ ପତ୍ର ସହ ସର୍ବନିମ୍ନ ମଜୁରି ଦିଅ ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଧ୍ୟାହ୍ନ ଭୋଜନ ଯୋଗାଇ କୁପୋଷଣ ଦୂର କରି ପିଲାମାନଙ୍କୁ ପୋଷଣ ଯୋଗାଇବା ସରକାରୀ ସ୍କୁଲର ସବୁଠୁ ବଡ଼ ଯୋଜନା। ହେଲେ ଏହି ଯୋଜନାର ମୂଳ ମେଢି ହେଉଛନ୍ତି ପାଚକ ପାଚିକା। ଯେଉଁମାନେ ନିରବଚ୍ଛିନ୍ନ ଭାବେ ଖାଦ୍ୟ ରାନ୍ଧି ବ୍ୟବସ୍ଥିତ ଢଙ୍ଗରେ ଯୋଗାଇ କୁନି କୁନି ପିଲାଙ୍କୁ ଆଜିପର୍ଯ୍ୟନ୍ତ ଏହି ଯୋଜନାର ସଫଳତା ଦେଇ ସରକାରୀ ବ୍ୟବସ୍ଥାକୁ ବାଃ ବାଃ କରାଇ ଚାଲିଛନ୍ତି, ସେମାନଙ୍କ ବିଭିନ୍ନ ଦାବି ଓ ଆଲୋଚନା ନେଇ ରବିବାର ଭୁବନେଶ୍ୱର ୟୁନିଟ୍‌-୬ସ୍ଥିତ ଫରୱାର୍ଡ ବ୍ଲକ, ନେତାଜୀ ଭବନଠାରେ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ ସଭାପତି ଶ୍ରୀଯୁକ୍ତ ଯୋଗେନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଭିଭାବକ ମହାସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରସନ୍ନ ବିଷୋୟୀ, ମୁଖ୍ୟ ସଂଯୋଜକ ପ୍ରଦୀପ ନାୟକ, ଦୂରଦର୍ଶୀର ସମ୍ପାଦକ ଦୁର୍ଗା ସାମନ୍ତରାୟ ପ୍ରମୁଖ ଯୋଗଦେଇ ପାଚିକାମାନଙ୍କ ସମସ୍ୟା ଗୁରୁତର ଓ ଦାବି ଯୁକ୍ତିଯୁକ୍ତ। ତେଣୁ ନ୍ୟାର୍ଯ୍ୟ ଲଢେଇରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରଥମେ ମହାସଂଘର ଦାବି ସମ୍ପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀଙ୍କୁ ଭେଟି ଆଲୋଚନା କରାଯିବ। ରାଜ୍ୟରେ ପ୍ରାୟ ୧ଲକ୍ଷ ୨୦ ହଜାର ପାଚକ ପାଚିକା ସରକାରୀ ବିଦ୍ୟାଳୟରେ ଦୀର୍ଘ ୨୫ବର୍ଷରୁ ଉର୍ଦ୍ଧ୍ୱ ସମୟ ମଧ୍ୟାହ୍ନ ଭୋଜନ ରାନ୍ଧି ପିଲାମାନଙ୍କୁ ଖାଇବାକୁ ଦେଇ ଆସୁଛନ୍ତି। ସେମାନେ ଏପର୍ଯ୍ୟନ୍ତ କୌଣସି ସୁବିଧା ସୁଯୋଗ ପାଇପାରି ନାହାଁନ୍ତି। ମାସିକ ମାତ୍ର ଦୁଇହଜାର ଟଙ୍କା ଦରମା। ହିସାବ କଲେ ଦୈନିକ ୬୫ ଟଙ୍କା ପଡୁଛି। ସର୍ବନିମ୍ନ ମଜୁରି ବ୍ୟବସ୍ଥାକୁ ସତେ ଯେପରି ଏହି ପ୍ରାପ୍ୟ ହାସ୍ୟସ୍ପଦ ପରି ମନେହେଉଛି। ତେଣୁ ସରକାରଙ୍କ ନିକଟରେ ଦାବି ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ପରବର୍ତ୍ତୀ ସମୟରେ ପଦକ୍ଷେପ ଗ୍ରହଣ ପାଇଁ ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକରେ ଆଲୋଚନା ହୋଇଯାଇଛି। ସରକାରୀ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନ ରାନ୍ଧୁଥିଲେ ମଧ୍ୟ ସେମାନଙ୍କ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ସରକାରୀ ନିଯକ୍ତିପତ୍ର ବା ପରିଚୟ ପତ୍ର କିମ୍ବା କ୍ରମିକ ନମ୍ବର ଦିଆଯାଇ ନାହିଁ। ଏସ୍‌ଏମ୍‌ସି କମିଟି ଏବଂ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଏସ୍‌ଏଚ୍‌ଜି କମିଟି ମାନଙ୍କ ନିୟନ୍ତ୍ରଣରୁ ବାହାର କରି ସରକାର ପାଚକ ପାଚିକାମାନଙ୍କୁ ତୁରନ୍ତ ନିଯୁକ୍ତି ପ୍ରଦାନ କରନ୍ତୁ। ସରକାର ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିଥିଲେ ମଧ୍ୟ ପାଚିକାମାନଙ୍କ କଥା ଭୁଲି ଯାଇଛନ୍ତି। ତେଣୁ ପାଚିକାମାନଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରିବା, ପାଚିକାମାନଙ୍କ ପାଇଁ ଜୀବନବୀମା କରିବା, ଅବସର ସମୟରେ ଏକଲକ୍ଷ ଟଙ୍କା ଅବସରକାଳୀନ ଭତ୍ତା ପ୍ରଦାନ, ପୂର୍ବ ଘୋଷଣା ମୁତାବକ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା, ଗ୍ରୀଷ୍ମକାଳୀନ ଛୁଟିକୁ ବାଦ ନଦେଇ ଦଶମାସ ବଦଳରେ ସମ୍ପୂର୍ଣ୍ଣ ୧୨ ମାସର ଦରମା ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ ପାଇଁ ପ୍ରସ୍ତାବ ଗ୍ରହଣ କରାନଗଲେ, ଆଗାମୀ ବିଧନସଭା ଅଧିବେଶନ ସମୟରେ ସମସ୍ତ ୧ଲକ୍ଷ ୨୦ ହଜାର ପାଚକ ପାଚିକା ଆସି ଗାନ୍ଧୀମାର୍ଗରେ ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଆଗାମୀ ୧୫ ତାରିଖ ଠାରୁ ପ୍ରଥମେ ଗଞ୍ଜାମ ଜିଲ୍ଲାରୁ ଆରମ୍ଭ କରି ପ୍ରତି ଜିଲ୍ଲାରେ ବୈଠକ ଅନୁଷ୍ଠିତ ହେବ ବୋଲି ସଭାପତି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି। ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ଦୀପାଞ୍ଜଳି ଯାଦବ, କୋଷାଧ୍ୟକ୍ଷ ସନ୍ଧ୍ୟାରାଣି ସ୍ୱାଇଁ, ରାଜ୍ୟ ଆଶା ସଂଘର ସଭାପତି ମମତା ବେହେରା, ଉପସଭାପତି ପୂର୍ଣ୍ଣିମା ଷଣ୍ଢ, ଅହଲ୍ୟା ସାହୁ, ସଂଯୁକ୍ତା ବିଶୋୟୀ, ସୁମିତ୍ର ରଥ, ସମ୍ପାଦକ ବିଜୟ ରଥ, ଜଗନ୍ନାଥ ମୁଦୁଲି, ମଲ୍ଲି ବେହେରା, ରଙ୍କୁଣୀ ଆମ୍ମା, ଉଷା ବେହେରା, ସୁମିତ୍ରା ଦୁରୁଆ, ସୂର୍ଯ୍ୟକାନ୍ତି ବଗର୍ତ୍ତିଙ୍କ ସମେତ ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ