ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବା ଦାବିରେ ଗଣଧାରଣା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନିତ୍ରୀ ଗ୍ରାମ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଓ ମୋ ସ୍କୁଲ ପ୍ରକଳ୍ପ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କରିବା ଦାବିରେ ଧନିତ୍ରୀ ଗ୍ରାମବାସୀ, ମୋ ସ୍କୁଲ କମିଟି, ପୁରାତନ ଛାତ୍ରଛାତ୍ରୀ, ଛାତ୍ର ଅଭିଭାବକ, ବୁଦ୍ଧିଜୀବୀ ଓ ସଚେତନ ନାଗରିକ ସମୂହଙ୍କ ପକ୍ଷରୁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି । ଖବରରୁ ପ୍ରକାଶଯେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୦୮ସମିହାରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ନିମନ୍ତେ ହଟେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯାଇ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏହି ବିଦ୍ୟାଳୟ ପ୍ରତିଷ୍ଠା ହେବାର ୧୩ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି କରାଯାଇନାହିଁ । ଫଳରେ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଇବା ସହ ବିଦ୍ୟାଳୟ ପରିଚାଳନାରେ ଅବ୍ୟବସ୍ଥା, ସରକାରୀ ଅନୁଦାନର ବାଟମାରଣା ସହ ଶିକ୍ଷାଦାନ ବିପର୍ଯ୍ୟସ୍ତ ହୋଇପଡିଛି । ଏହି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଦାୟିତ୍ୱରେ ଜଣେ ଲେବୁଲ ୨ଶ୍ରେଣୀର ପ୍ରଧାନ ଶିକ୍ଷକ ରହିବାର ସରକାରୀ ନିର୍ଦ୍ଦେଶନାମା ରହିଥିବା ବେଳେ ଜଣେ ଲେବୁଲ ୫କନିଷ୍ଠ ବର୍ଗର ଶିକ୍ଷକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଧିଷ୍ଠିତ କରିବା ପଛରେ ଅସଲ ରହସ୍ୟ କଣ ତାହାର ବିଧିବଦ୍ଧ ଭାବେ ତଦନ୍ତ କରିବା ପାଇଁ ଧନିତ୍ରୀ ଗ୍ରାମବାସୀ, ସଚେତନ ନାଗରିକ, ମୋ ସ୍କୁଲ କମିଟି, ପୁରାତନ ଛାତ୍ରଛାତ୍ରୀ ମାନେ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବି କରିଛନ୍ତି । ଏହି ସମସ୍ୟା ନେଇ ବାରମ୍ବାର ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ବିଭାଗୀୟ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଫଳରେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା କନିଷ୍ଠ ବର୍ଗର ଶିକ୍ଷକ ଉମାଶଙ୍କର ଶତପଥୀଙ୍କ ମନମାନି ଓ ବିଦ୍ୟାଳୟ ମାରଣନୀତି ଯୋଗୁଁ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷାର ମାନ ହ୍ରାସ, ସରକାରୀ ଅନୁଦାନ ବିନିଯୋଗରେ ଅନିୟମିତତା ସହ ଶିକ୍ଷାଦାନ ବିର୍ଯ୍ୟସ୍ତ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଏହି ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ୫ଟି ଯୋଜନା ଅନ୍ତର୍ଗତ ମୋ ସ୍କୁଲ ପ୍ରକଳ୍ପ ମାଧ୍ୟମରେ ଆସିଥିବା ୩୫ଲକ୍ଷ ଟଙ୍କା ବାଟମାରଣା ରୋକିବା ପାଇଁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ପୁରୀ ଜିଲ୍ଲାପାଳଙ୍କୁ ପ୍ରଦତ୍ତ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ବାଘ ଘରେ ମିରିଗ ନାଟ ନ୍ୟାୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନ ଥିବାରୁ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହ ଗ୍ରାମର ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଧରି ମୋ ସ୍କୁଲ ପ୍ରକଳ୍ପ ପାଇଁ ଆସିଥିବା ଅର୍ଥ ବାଟମାରଣା ପାଇଁ ଗୁପ୍ତ ଭାବରେ ଷଡଯନ୍ତ୍ର କରୁଥିବା ଧନିତ୍ରୀ ଗ୍ରାମର ଶତାଧିକ ଗ୍ରାମବାସୀ, ଛାତ୍ର ଅଭିଭାବକ, ମୋ ସ୍କୁଲ କମିଟି, ପୁରାତନ ଛାତ୍ରଛାତ୍ରୀ ଏବଂ ସଚେତନ ନାଗରିକ ମାନେ ଅଭିଯୋଗ କରିଛନ୍ତି । ଆଗାମୀ ୩ଦିନ ମଧ୍ୟରେ ବିଦ୍ୟାଳୟରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ସହ ବିଦ୍ୟାଳୟ ଭିତ୍ତିଭୂମି ବିକାଶ ପାଇଁ ମୋ ସ୍କୁଲ ପ୍ରକଳ୍ପ ମାଧ୍ୟମରେ ଆସିଥିବା ଅନୁଦାନ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ସଂପାଦନ କରିବା ପାଇଁ ଧନିତ୍ରୀ ଗ୍ରାମର ସାମାଜିକ କର୍ମୀ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ, ମୋ ସ୍କୁଲ କମିଟି ସଭାପତି ଘନଶ୍ୟାମ ଜେନା, ସଂଗଠକ କୃଷ୍ଣଚନ୍ଦ୍ର ଯେନା, କୃଷ୍ଣଚନ୍ଦ୍ର ବେହେରା, ଅଭିମନ୍ୟୁ ବେହୁରା, ପୂର୍ବତନ ସରପଞ୍ଚ ଟୁନିଲତା ଜେନା, ପବିତ୍ର ମିର୍କାପ, ଦୁଃଶାସନ ବେହୁରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗନ୍ଧର୍ବ ବେହୁରା, ସୁରେନ୍ଦ୍ର ବେହୁରା, ଗଦାଧର ମଲ୍ଲ, ରଥ ମଲ୍ଲିକ, ଗଗନ କୁମାର ସ୍ଵାଇଁ, ସଂଗ୍ରାମ କେଶରୀ ବେହୁରା, ଧିରୁ ଜେନା, ମହେଶ୍ବର ବେହୁରା, ରାଜୁ ଯେନା, କାଳନ୍ଦି କାଣ୍ଡି, ଉଗ୍ରସେନ ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ, ସଚେତନ ନାଗରିକ, ମୋ ସ୍କୁଲ କମିଟି, ଛାତ୍ର ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ପୁରୀ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, କାକଟପୁର ବିଡିଓ, କାକଟପୁର ବ୍ଲକ ଶିକ୍ଷା ଅଧିକାରୀ, କାକଟପୁର ତହସିଲଦାର ଏବଂ କୋଣାର୍କ ଥାନା ଅଧିକାରୀ ପ୍ରମୁଖଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଆଗାମୀ ୩ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାନଗଲେ ଆସନ୍ତା ଗୁରୁବାର ଧନିତ୍ରୀ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଦାବି ପୁରଣ ହେବା ପର୍ଯ୍ୟନ୍ତ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।